ଭୁବନେଶ୍ୱର: ଚେକ୍ ଜାଲିଆତିରେ ଫସିଥିବା ଭୁବନେଶ୍ୱରର ଗୋଲ୍ଡେନ୍ ବାବାଙ୍କ ସହିତ ବିଜେଡି ଲିଙ୍କ୍କୁ ନେଇ ବିରୋଧ ବଢ଼ୁଛି। ଏଥିପାଇଁ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ବିକ୍ଷୋଭ କରାଯାଇଛି।
ଛାତ୍ର କଂଗ୍ରେସ କର୍ମୀ ଗୋଲ୍ଡେନ୍ ବାବାଙ୍କ ସହିତ ବିଜେଡିର ଲିଙ୍କ୍ ଥିବା ଅଭିଯୋଗ କରି ନବୀନ ନିବାସ ଘେରାଉ କରିବାକୁ ଯାଉଥିଲେ। ଏହି ସମୟରେ ଶିଶୁ ଭବନ ଛକରେ ସେମାନଙ୍କୁ ପୁଲିସ୍ ଅଟକାଇବାରୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।
ଏପରିକି କଂଗ୍ରେସ କର୍ମୀ ପୁଲିସ୍ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ। ଭୁବନେଶ୍ୱର ଡିସିପି ଅନୁପ ସାହୁଙ୍କ ଗୋଡ଼ରେ ଅଣ୍ଡା ବାଜିଛି। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସ୍ ମୃଦୁ ଲାଠି ଚାଳନା କରିବା ସହିତ ୨ ଶହ ଛାତ୍ର କଂଗ୍ରେସ କର୍ମୀଙ୍କୁ ଗିରଫ କରାଯାଇଛି।
ଚେକ୍ ଜାଲିଆତି ମାମଲାରେ ଗିରଫ ହୋଇଥିବା ଜ୍ୟୋତିରଞ୍ଜନ ବେଉରା ଓରଫ୍ ଗୋଲ୍ଡେନ୍ ବାବାଙ୍କ ସହିତ ମନ୍ତ୍ରୀ ଅଶୋକ ପଣ୍ଡା, ମେୟର ଅନନ୍ତ ଜେନା, ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ଏବଂ ଯୁବ ନେତା ଚିନ୍ମୟ ସାହୁଙ୍କ ସଂପର୍କ ଅଛି ବୋଲି ଅଭିଯୋଗ ହୋଇଛି । ଏହି ସବୁ ନେତାଙ୍କୁ ଗିରଫ ଓ ଇସ୍ତଫା ଦାବି ସହ ସେମାନଙ୍କର କୁଶପୁତ୍ତଳିକା ମଧ୍ୟ ଦାହ କରାଯାଇଛି। ତେବେ କଂଗ୍ରେସର ଏହି ଅଭିଯୋଗକୁ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି।