କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା) :  ପାହାଡ଼ ଚଢ଼ିଲେ ପିଲାଏ ପାଠ ପଢ଼ିବେ। ଅବହେଳିତ ଦୁର୍ଗମ ଅଞ୍ଚଳର ପିଲାଙ୍କ ଭବିଷ୍ୟତ ସହ ଖଳେ। ନାହିଁ ନାହିଁରେ ଉଜ୍ଜଳ ସ୍ୱପ୍ନ ଦେଖୁଛନ୍ତି ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ପିଲାମାନେ। ପାଠ ପଢ଼ିବା ପାଇଁ ପିଲାଏ ନିତି ପ୍ରତିଦିନ  ନୟାନ୍ତ ହୋଇ ଯାଉଛନ୍ତି । ରାସ୍ତା ସୁବିଧା ନଥିବାରୁ ପ୍ରତିଦିନ ପାହାଡ଼ ଚଢ଼ି ପାଠପଢ଼ିବା ପାଇଁ ଯାଉଛନ୍ତି କୋମଳମତି। ସର୍ବଦା ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଆସୁଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀଙ୍କ ନଜର ଏମାନଙ୍କ ଉପରେ ପଡୁନାହିଁ ।

କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକର ହାଟଗୁଡା ହାଇସ୍କୁଲ ୧୯୭୫ ମସିହାରେ ସ୍କୁଲଟି ପ୍ରତିଷ୍ଠା ହୋଇଥିଲା । ସରକାର ଶିକ୍ଷାର ଆଲୋକ ଜଳାଇବା ପାଇଁ ସ୍କୁଲ ଟିଏ ସିନା ଖୋଲିଦେଲେ, ହେଲେ ବିଦ୍ୟାଳୟକୁ ଯିବାକୁ ରାସ୍ତା ଟିଏ କରିବାକୁ ଭୁଲି ଗଲେ। ସେହିପରି ବିଦ୍ୟୁତ ଯୋଗାଣ ନଥିବାରୁ କୌଣସି ଶ୍ରେଣୀରେ ନାହିଁ ଫଙ୍ଖା, ନା ଅଛି ପାଣିର ବ୍ୟବସ୍ଥା। ବିଦ୍ୟୁତ ନଥିବାରୁ ପିଲାମାନେ କମ୍ପ୍ୟୁଟର ଓ ଲ୍ୟାବ ଯନ୍ତ୍ରପାତି ଶିକ୍ଷାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।  ପିଲାଙ୍କ ସୁରକ୍ଷା ପାଇଁ ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇନି ପାଚେରୀ ।

ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀର ପ୍ରାୟ ୩୦୦ ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢନ୍ତି। ଆଗକୁ ଯୁକ୍ତ ଦୁଇ ଖୋଲିବା ନେଇ ମଧ୍ୟ ଯୋଜନା କରାଯାଉଛି । ଯଦି ଏପରି ଅବ୍ୟବସ୍ଥା  ଲାଗିରହେ ତେବେ ହୁଏତ, ଏହି ଅଞ୍ଚଳର ପିଲାଙ୍କ ସ୍ୱପ୍ନ ଚୁରମାର ହୋଇଯାଏ । ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଏହି ସ୍କୁଲକୁ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ସମସ୍ତେ ପାହାଡ ଚଢି ସ୍କୁଲକୁ ଆସିଥାନ୍ତି । 

ସ୍କୁଲର ଏପରି ଅବସ୍ଥାରେ ପ୍ରଧାନଶିକ୍ଷକ ବାରମ୍ବାର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରିଆସୁଛନ୍ତି। ହେଲେ ଏଯାଏ ସମସ୍ୟାର ସମାଧାନ ହୋଇପାରିନାହିଁ। ଏ ନେଇ ସ୍ଥାନୀୟ ବିଧାୟକ ଖୁବଶୀଘ୍ର ସ୍କୁଲ ସମସ୍ୟାର ସମାଧାନ କରାଯିବ ବୋଲି କହୁଥିବା ବେଳେ ଜିଲା ଶିକ୍ଷା ଅଧିକାରୀ ସମସ୍ୟା ସମ୍ପର୍କରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ।

 

 

Other Stories