ବିଦ୍ୟୁତ ସଂସ୍ପର୍ଶରେ ମହିଳା ଅାହତକୁ ନେଇ ଲଙ୍କାକାଣ୍ଡ
ବାରିପଦା: ବିଦ୍ୟୁତ ସଂସ୍ପର୍ଶରେ ମହିଳା ଆହତକୁ ନେଇ ବାରିପଦା କୋଚିଳାଖୁଣ୍ଟାରେ ଘଟିଛି ଲଙ୍କାକାଣ୍ଡ। ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ରୋକ ସହ ବିଦ୍ୟୁତ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି। ଅଭିଯୋଗ ଅନୁସାରେ ବାରିପଦା ବଡ଼ସାହି ବ୍ଳକ କୋଚିଳାଖୁଣ୍ଟାର ଜଣେ ମହିଳା ସକାଳେ ଜମିକୁ କାମ କରିବାକୁ ଯାଇଥିଲେ। ଏହି ସମୟରେ ଜମି ଉପରେ ଝୁଲି ରହିଥିବା ବିଦ୍ୟୁତ ତାର ସଂସ୍ପର୍ଷରେ ଆସିଥିଲେ। ଏଥିରେ ମହିଳାଙ୍କ ଗୋଟିଏ ହାତ ସଂପୂର୍ଣ୍ଣ ପୋଡିଯାଇଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବଡସାହି ଓ ପରେ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।
ସେପଟେ ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିବା ସହ କୋଚିଳାଖୁଣ୍ଟାରେ ଥିବା ବିଦ୍ୟୁତ୍ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ। ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା ଲୋକେ ଅଭିଯୋଗ କରିଛନ୍ତି। ବିଦ୍ୟୁତ୍ ତାର ସଜାଡ଼ିବା ପାଇଁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି। ତେବେ ଏନେଇ ବିଦ୍ୟୁତ ବିଭାଗ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନି।