ଓଡ଼ିଶା ଚାଷୀଙ୍କ ପାଇଁ ନୂତନ ସମ୍ଭାବନା, ନିଜ ବାଡ଼ିରେ ଷ୍ଟ୍ରେବେରି ଫଳାଇଲେ କେନ୍ଦୁଝର ଚାଷୀ

କେନ୍ଦୁଝର(ପ୍ରଣୟ କୁମାର ପାଣି): ଓଡ଼ିଶାରେ ଷ୍ଟ୍ରବେରି ଚାଷ। ଜିଲ୍ଲାର ଥଣ୍ଡା ଜଳବାୟୁରେ ଚାଷୀଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି ଏହି ଚାଷ। ବଜାରରେ ନାଲି ଟୁକୁଟୁକୁ ଷ୍ଟ୍ରବେରିର ଭାଉ ଅଧିକ ଥିବାବେଳେ ରାଜ୍ୟବାସୀଙ୍କୁ ଆଉ ମନ ମାରିବାକୁ ବସିବ ନାହିଁ । କାରଣ କେନ୍ଦୁଝରରେ ସଫଳତାର ସହ ଷ୍ଟ୍ରବେରି ଚାଷ କରି ସମସ୍ତଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ସୃଷ୍ଟି କରିଛନ୍ତି ଚାଷୀ ଅଜୟ କୁମାର ପାଣି।  ଦୃଢ଼ ଇଛାଶକ୍ତି ଓ କଠିନ ପରିଶ୍ରମ ଫଳରେ ଆଜି ଅସମ୍ଭବକୁ ସମ୍ଭବ କରିପାରିଛନ୍ତି  ।

କେନ୍ଦୁଝରର ଅଜୟ କୁମାର ପାଣି। ଭାରତୀୟ ବାୟୁସେନାରୁ ଅବସର ନେବା ପରେ କେନ୍ଦୁଝର ଜିଲ୍ଲା ଡେପୁଟି ରେଜିଷ୍ଟାର କୋପରେଟିଭି ଅଫିସରେ ଡେପୁଟି ରେଜିଷ୍ଟର ଭାବେ କାମ କରନ୍ତି। ଅଫିସରେ କାମ କରୁଥିଲେ ସିନା, ମନ କିନ୍ତୁ ଚାଷରେ ଥିଲା। କାମ କରିବା ସହ ବିଭିନ୍ନ ପ୍ରକାର ଚାରା ସଂଗ୍ରହ କରି ଚାଷ କରିବା ଥିଲା ତାଙ୍କର ସଉକ୍। ୪ ବର୍ଷ ତଳେ  ଷ୍ଟ୍ରବେରି ଚାଷ ନେଇ ସାଙ୍ଗମାନଙ୍କ ସହ ତାଙ୍କର ଆଲୋଚନା ହୋଇଥିଲା। ଆଉ ତା’ପରେ ଏ ଚାଷ ସମ୍ପର୍କରେ ଜାଣିବା ପାଇଁ ମୋବାଇଲରେ ବିଭିନ୍ନ ପ୍ରକାର ଭିଡ଼ିଓ ଦେଖିଥିଲେ। କିଛି ଅଭିଜ୍ଞତା ହାସଲ କରିବା ପରେ ନିଜ ବାଡିରେ ଷ୍ଟ୍ରବେରି ଚାଷ କରିବାକୁ ମନ ବଳାଇଥିଲେ।

ବହୁ ଖୋଜ ଖବର ନେବାପରେ ଛତିଶଗଡ ରାୟପୁର ଠାରେ ଏହାର ଚାରା ମିଳୁଥିବା ସେ ଜାଣିବାକୁ ପାଇଥିଲେ। ଆଉ ସଙ୍ଗେ ସଙ୍ଗେ ଭଉଣୀଙ୍କ ସହାୟତାରେ ଛଅ ଶହ ଟଙ୍କାରେ ଛଟି ଚାରା ମାଗାଇଥିଲେ । ତେବେ ବହୁ ପରିଶ୍ରମ ପରେ ସେହି ଛ’ଟି  ଚାରାରୁ ପାଖାପାଖି ଛଅ ଶହ ସୃଷ୍ଟି କରି ନିଜର ବାଡ଼ିରେ ଲଗାଇଛନ୍ତି । ବର୍ତ୍ତମାନ ଏହି ନାଲି ଟୁକୁଟକୁ  ଷ୍ଟ୍ରବେରି ବାଡ଼ିରେ ଫଳିଥିବାବେଳେ ଅସମ୍ଭବ ମନେ ହେଉଥିବା ଫଳ ଗୋଡ଼ ପାଖରେ ମିଳୁଛି। ଅମଳ ଋତୁ ହୋଇଥିବାରୁ ତାଙ୍କ ବାଡି ସାରା କେବଳ ଷ୍ଟ୍ରବେରି ଫଳରେ ଭରପୁର ରହିଛି।

ତେବେ ଇତି ମଧ୍ୟରେ ଅଜୟ ଦୁଇ ଶହରୁ ଅଧିକା ଚାରା ଦାନ ଓ ବିକ୍ରି କରି ସାରିଲେଣି। ତାଙ୍କ ବାଡ଼ିରେ ଫଳିଥିବା ଷ୍ଟ୍ରବେରିର ଆକାର,ରଙ୍ଗ ଓ ସ୍ଵାଦ ବେଶ୍ ଭଲ ବୋଲି ସେ କହିଛନ୍ତି। ଏଥିରେ ତାଙ୍କ ଭାଇମାନେ ତାଙ୍କୁ ସଂପୂର୍ଣ୍ଣ ସହଯୋଗ କରଥିବା କଥା ସେ କହିଛନ୍ତି।

ନିଜ ଘର ପାଖରେ ବିଦେଶୀ ଫଳ ଫଳୁଥିବାରୁ ପାଖ ପଡ଼ୋଶୀମାନେ ଆଶ୍ଚର୍ଯ୍ୟ ହେବା ସହ ନିତିଦିନ ଆସି ବାଡ଼ିରେ ଘେରାଏ ବୁଲି ଯାଉଛନ୍ତି। କେନ୍ଦୁଝର ମାଟିରେ ମହାଙ୍ଗା ଫଳ ଷ୍ଟ୍ରବେରି ଫଳୁଥିବାରୁ ଏହାକୁ ଚାଷ କଲେ ବେଶ ଦୁଇ ପଇସା ରୋଜଗାର କରିପାରନ୍ତେ ବୋଲି ଆଶା କରାଯାଉଛି ।

You might also like