୫ ଘଣ୍ଟା ପରେ ସମୁଦ୍ରରୁ ଉଦ୍ଧାର ହେଲା ଯାତ୍ରୀବାହୀ ଲଞ୍ଚ୍‌

ଭଦ୍ରକ: ପାଖାପାଖି ୫ ଘଣ୍ଟା ପରେ ସମୁଦ୍ରରୁ ଉଦ୍ଧାର ହେଲା ସରକାରୀ ଯାତ୍ରୀବାହୀ ଲଞ୍ଚ୍‌। ଘନ କୁହୁଡ଼ି ଯୋଗୁ  ବାଟବଣା ହୋଇଥିବା ଲଞ୍ଚକୁ ଉଦ୍ଧାର କରିଛି ଧାମରା ମେରାଇନ୍ ପୁଲିସ୍।

ଆଜି ସକାଳୁ ଲଞ୍ଚଟି ପ୍ରାୟ ୨୫ ଜଣ ଯାତ୍ରୀଙ୍କୁ ଧରି କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ଘାଟରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ବ୍ରାହ୍ମଣୀ-ବୈତରଣୀ ମୁହାଣ ଦେଇ ଚାନ୍ଦବାଲି ଅଭିମୁଖେ ଯାଉଥିବା ବେଳେ ଘନ କୁହୁଡ଼ି ଯୋଗୁ ଲଞ୍ଚଟି ବାଟବଣା ହୋଇଯାଇଥିଲା। ଆଉ ନିର୍ଦ୍ଦିଷ୍ଟ ଜଳପଥ ବଦଳରେ ସମୁଦ୍ର ଭିତରକୁ ଚାଲି ଯାଇଥିଲା।

କୁହୁଡ଼ି ଲାଗି ରହିଥିବାରୁ ଦୀର୍ଘ ସମୟ ଧରି ସମୁଦ୍ରରେ ଫସି ରହିଥିଲା ଏହି ଲଞ୍ଚ। ଖବର ପାଇ ରାଜନଗର ପୁଲିସ ସହାୟତାରେ ଧାମରା ମେରାଇନ୍ ଥାନାର ଏକ ୬ ଜଣିଆ ଟିମ୍ ସ୍ପିଡ୍ ବୋଟ୍ ଜରିଆରେ ଲଞ୍ଚ ନିକଟକୁ ଯାଇ ଯାତ୍ରୀମାନଙ୍କୁ ଉଦ୍ଧାର କରିଛି। ପରେ ଲଞ୍ଚକୁ ଧାମରା ବନ୍ଦର ଜେଟିକୁ ଅଣାଯାଇଥିଲା। ଲଞ୍ଚରେ ଥିବା ସମସ୍ତ ଯାତ୍ରୀ ସୁସ୍ଥ ଥିବା ଧାମରା ମେରାଇନ୍ ଥାନାର ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

 

You might also like