ଘରକୁ ବାହୁଡ଼ି ପାରିଲେନି, ଅଧା ବାଟରେ ଚାଲିଗଲା ପ୍ରବାସୀଙ୍କ ଜୀବନ

ସୋର: ହାଇଦ୍ରାବାଦରୁ ପଶ୍ଚିମବଙ୍ଗ ଫେରିବା ବାଟରେ ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲା ସୋରରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ହେଲେ ପଶ୍ଚିମବଙ୍ଗ ବୀରଭୂମି ଭବାନୀପୁର ଅଞ୍ଚଳର ଆୟାର ମହମ୍ମଦ।

ଆୟାର ହାଇଦ୍ରାବାଦରୁ ନିଜ ପୁତୁରାଙ୍କ ସହ ପଶ୍ଚିମବଙ୍ଗ ଯାଉଥିଲେ। ଉଭୟ କିଛି ବାଟ ଟ୍ରକ୍‌ରେ ଆସିଥିଲେ। ଏହା ପରେ ଚାଲିଚାଲି ଗନ୍ତବ୍ୟ ସ୍ଥଳ ଅର୍ଥାତ୍‌ ଘର ଅଭିମୁଖେ ଯାତ୍ରା କରିଥିଲେ।

ଗତରାତିରେ ଆୟାର ଅସୁସ୍ଥ ଅନୁଭବ କରିବାରୁ ଉଭୟ ସୋର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ବରଫକଳ ଛକ ଠାରେ ରହି ଯାଇଥିଲେ। ତେବେ ଆଜି ସକାଳୁ ଆୟାରଙ୍କୁ ତାଙ୍କ ପୁତୁରା ଡାକିବାରୁ ସେ ଉଠି ନ ଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ସୋର ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

You might also like