ସ୍ୱାଧୀନତା ସଂଗ୍ରାମୀଙ୍କ ବୀରତ୍ୱର ଗାଥା

ପୁରୀର ଦୁଇ ସଂଗ୍ରାମୀ ସୁଲକ୍ଷଣା ମହାପାତ୍ର ଓ ହେମଲତା ନନ୍ଦଙ୍କ କାହାଣୀ,ପିଲାଦିନୁ ଗାନ୍ଧୀଙ୍କ ମାର୍ଗଦର୍ଶନରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ

ପୁରୀ(ମଧୁସୂଦନ ମିଶ୍ର) :  ମହାତ୍ମାଗାନ୍ଧୀଙ୍କ ମାର୍ଗଦର୍ଶନରେ ହଜାର ହଜାର ଭାରତୀୟ ମହିଳା ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଇଂରେଜ ସରକାରଙ୍କୁ ଦେଶରୁ ବିତାଡିତ କରିବା ପାଇଁ ଦିନରାତି ଏକ କରିଦେଇଥିଲେ । ଖଟି ଖାଅ କାଟି ପିନ୍ଧର ନାରାକୁ ମହିଳାମାନେ ହିଁ ସାକାର କରିଥିଲେ । ଆଉ ସେହି ମହିଳାମାନଙ୍କ ଭିତରେ ଅନ୍ୟତମ ହେଉଛନ୍ତି ପୁରୀ ଜିଲ୍ଲାର ଦୁଇ ସ୍ୱାଧୀନତା ସଂଗ୍ରାମୀ ସୁଲକ୍ଷଣା ମହାପାତ୍ର ଓ ହେମଲତା ନନ୍ଦ । ମହାତ୍ମାଙ୍କ ୧୦୦ ବର୍ଷ ଆଗମନ ସ୍ମୃତିରେ ଖୁସି ବ୍ୟକ୍ତ କରି ବଖାଣିଛନ୍ତି ସଂଗ୍ରାମୀ ଜୀବନର କଥା ଓ ବୀରତ୍ୱର ଗାଥା ।

ପୁରୀ ଜିଲ୍ଲା ଡେଲାଙ୍ଗ ଶ୍ରୀପୁରୁଷୋତ୍ତମପୁରର ସ୍ୱାଧୀନତା ସଂଗ୍ରାମୀ ସୁଲକ୍ଷଣା ମହାପାତ୍ର । ପିଲାଟି ଦିନରୁ ମହାତ୍ମାଗାନ୍ଧୀଙ୍କ ମାର୍ଗଦର୍ଶନରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ୧୯୩୪ ମସିହାରେ ଗାନ୍ଧୀଙ୍କ ଓଡିଶା ଆଗମନ ବେଳେ ମାତ୍ର ୯ ବର୍ଷ ବୟସରେ ସୁଲକ୍ଷଣା ତାଙ୍କ କକେଇ ଶ୍ୱଶୁର ଭଗବାନ ମିଶ୍ରଙ୍କ ସହ ଭଦ୍ରକ ଯାଇ ଗାନ୍ଧୀଙ୍କୁ ଭେଟିଥିଲେ । ଗାନ୍ଧିଜୀଙ୍କ ସହ ସାମାନ୍ୟ ବାର୍ତ୍ତାଳାପ ପରେ ଗରିବଙ୍କ ଖାଇବା ପାଇଁ ନିଜେ ପିନ୍ଧିଥିବା ସାଢେ ୪ ଭରିର ଅଳଙ୍କାର ଗାନ୍ଧୀଙ୍କୁ ପ୍ରଦାନ କରି ଇଂରେଜଙ୍କ ବିରୋଧରେ ସଂଗ୍ରାମ ଆରମ୍ଭ କରିଥିଲେ ।

ଗାଁ ଗାଁ ରେ ବିଦେଶୀ ହଟାଅ, ସ୍ୱଦେଶୀ ବ୍ୟବହାର କର ବାର୍ତ୍ତାକୁ ନେଇ ଚରଖା ଚଳାଇ ସୂତା ଉତ୍ପାଦନ ପାଇଁ ଉଦ୍ୟମ କରିଥିଲେ  । ଏପରିକି ୧୯୩୮ରେ ଗାନ୍ଧୀ ଡେଲାଙ୍ଗର ବେରବୋଇ ଆସିଥିବାବେଳେ ତାଙ୍କୁ ସାକ୍ଷାତ କରିଥିଲେ ଏବଂ ଯେପର୍ଯ୍ୟନ୍ତ ଭାରତକୁ ସ୍ୱାଧୀନତା ମିଳିନାହିଁ, ଲଢେଇ ଜାରି ରହିବ । ଏହି ଆହ୍ୱାନ ସ୍ୱୀକାର କରି ସ୍ୱାମୀ ହରିହର ମହାପାତ୍ରଙ୍କ ସହ ମିଶି ସ୍ୱାଧୀନତା ସଂଗ୍ରାମକୁ ଆଗେଇ ନେଇଥିଲେ । ସ୍ୱାମୀ ହରିହର ଜେଲ ଯାଇଥିଲେ ଏବଂ ସୁଲକ୍ଷଣା ଗୃହବନ୍ଦୀ ଭାବରେ ୨ମାସ କଟାଇଥିଲେ । ସେ ଆଜି ବି ମନେପକାନ୍ତି ୧୯୪୭ ମସିହାରେ ଭାରତ ଇଂରେଜ କବଳରୁ ମୁକ୍ତ ବେଳେ କିଭଳି ଖୁସିରେ ନାଚି ଉଠିଥିଲେ ଏବଂ ଆଜି ବୟସର ଅପରାହ୍ନରେ ମହାତ୍ମାଙ୍କ ୧୦୦ବର୍ଷ ଆଗମନକୁ ନେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ।

ସେହିପରି ପୁରୀ ଚନ୍ଦନପୁର ଥାନା ଅନ୍ତର୍ଗତ ବଳଭଦ୍ରପୁରର ସ୍ୱାଧୀନତା ସଂଗ୍ରାମୀ ହେମଲତା ନନ୍ଦ  । ମହାତ୍ମାଗାନ୍ଧୀଙ୍କ ସାବରମତୀ ଆଶ୍ରମରେ ଅନେକ ଦିନଧରି ଶିକ୍ଷା ଗ୍ରହଣ କରି ସାରା ଭାରତବର୍ଷ ବୁଲି ବୁଲି ଲୋକଙ୍କୁ ପାଠ ପଢାଇ ଶିକ୍ଷିତ କରିବାର ଗୁରୁ ଦାୟିତ୍ୱ ଗ୍ରହଣ କରିଥିଲେ । କୋରାପୁଟର ଘଞ୍ଚ ଜଙ୍ଗଲ ହେଉ କି ସହର ତଳି ଅଞ୍ଚଳ ସବୁଆଡେ ବୁଲି ବୁଲି ଖଟି ଖାଅ କାଟି ପିନ୍ଧର ବାର୍ତ୍ତା ଦେବା ସହ ଏହାକୁ କିଭଳି ସାଧାରଣ ଲୋକ ପ୍ରତିପାଳନ କରିବେ, ତା ଉପରେ ଗୁରୁତ୍ୱ ଦେଉଥିଲେ ।  ଦେଶ ସ୍ୱାଧୀନ ପାଇଁ ଅନେକ ସଂଗ୍ରାମୀ ବଳିଦାନ ଦେଇଛନ୍ତି, ଯାହାଙ୍କ ବୀରତ୍ୱର ଗାଥା ଦେଖାଇଲା ବେଳେ ନିଜର ମଥା ସେମାନଙ୍କର ନିକଟରେ ନଇଁ ପଡେ ଏବଂ ଗର୍ବ ଅନୁଭବ ହୋଇଥାଏ

 

You might also like