ପ୍ଲାଷ୍ଟିକ୍‌ ମୁକ୍ତ ପରିବେଶ ପାଇଁ ପାଗଳ ସାଜିଛନ୍ତି ଅଭିମନ୍ୟୁ

ସୋର(ଶଶିକାନ୍ତ ବେହେରା): ସମସ୍ତ ତାଙ୍କୁ କୁହନ୍ତି ପାଗଳ। କହିବେନି ବା କାହିଁକି ?  ମୁଣ୍ଡରେ ଗାମୁଛା, ବେକରେ ପ୍ଲାଷ୍ଟିକ ବୋତଲର ମାଳ ଆଉ ହାତରେ ଜରି ବ୍ୟାଗ।  ଯେଉଁଠି  ପ୍ଲାଷ୍ଚିକ ଆବର୍ଜନା ଦେଖିବେ ସେ ସବୁକୁ ଆଡ଼େଇ ଆଡେଇ ସଂଗ୍ରହ କରୁଥିବେ।  ଦେଖିଲେ ଲାଗିବ ଜଣେ ଜରି ଗୋଟାଳି। କିନ୍ତୁ ତାଙ୍କ ପରି ଜଣେ ଉଚ୍ଚ ଶିକ୍ଷିତ ଲୋକ ଯଦି ଜରି ଗୋଟାଇବେ ତେବେ ତାଙ୍କୁ ପାଗଳ କହିବେନି ତ ଆଉ କ’ଣ !

ଭଲ ଆଉ କିଛି ଭିନ୍ନ କାମ କରୁଥିବା ଲୋକଙ୍କୁ ତ ଦୁନିଆ ସବୁବେଳେ ପାଗଳ କହିଥାଏ ! ଆମେ ଏଠି କହୁଛୁ ଅଭିମନ୍ୟୁ ମିଶ୍ରଙ୍କ କଥା। ଅଭିମନ୍ୟୁଙ୍କ ଘର ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ ଦଧିବାମନପୁର ଗାଁରେ।  ବାପା ହରିହର ମିଶ୍ରଙ୍କ ଦ୍ୱିତୀୟ ପୁଅ ଅଭିମନ୍ୟୁ। ସିଭିଲ୍‌ ଇଞ୍ଜିନିୟରିଂରେ ଡିପ୍ଲୋମା କରିବା ପରେ ପୁଅ ଚାକିରି କରିବ, ରୋଜଗାର କରିବ ..ଏମିତି କିଛି ସ୍ୱପ୍ନ ଦେଖୁଥିଲେ ବାପା-ମା’। ହେଲେ ଅଭିମନ୍ୟୁଙ୍କ ମୁଣ୍ଡରେ ଥିଲା ଅନ୍ୟ କିଛି ଚିନ୍ତା। ପରିବେଶ ଚିନ୍ତା।

ପରିବେଶର ସୁରକ୍ଷା ପାଇଁ ଗାଁ ଦାଣ୍ଡରୁ ଗୋଟାଇ ଚାଲିଲେ ପ୍ଲାଷ୍ଟିକ ଆବର୍ଜନା। ଦୁଇ ବର୍ଷ ଧରି ସେ ଏହି କାମ କରି ଚାଲିଛନ୍ତି। କିଏ ଚୋର କହି ଘଉଡ଼ାଇ ଦେଉଛନ୍ତି ତ କିଏ ପାଗଳ କହୁଛନ୍ତି। ଏପରିକି ଘର ଲୋକେ ବି ତାଙ୍କୁ ପାଗଳ କହୁଛନ୍ତି । ହେଲେ ସେଥିକି ଖାତିର ନାହିଁ ଅଭିମନ୍ୟୁଙ୍କର। ପରିବେଶ ପ୍ରଦୂଷଣ ନେଇ ସେ ଖୁବ୍ ଚିନ୍ତିତ। ପରିବେଶକୁ କିପରି ପ୍ଲାଷ୍ଟିକ ରାକ୍ଷସ କବଳରୁ ରକ୍ଷା କରିବେ ସେଥିପାଇଁ  ପାଗଳଙ୍କ ପରି ଗୋଟାଇ ଚାଲିଛନ୍ତି ପ୍ଲାଷ୍ଟିକ ଆବର୍ଜନା । କିଛି ପାଇବାର ଆଶା ନାହିଁ କି ନାଁ ନେବାର ନିଶା ନାହିଁ। ପଚାରିଲେ କୁହଁନ୍ତି ‘ଏହି କାମରୁ ଆତ୍ମସନ୍ତୋଷ ମିଳୁଛି ’।

ସକାଳ ହେଲେ ଗାଁ ଚାରିପାଖରୁ ପ୍ଲାଷ୍ଟିକ ବୋତଲ, ଜରି, ପ୍ଲାଷ୍ଟିକ୍‌ ଆବର୍ଜନା ସଫା କାମ ଆରମ୍ଭ ହୁଏ ଅଭିମନ୍ୟୁଙ୍କର । ଖରାତରାରେ  ଗାଁ ସାରା  ବୁଲୁଥାନ୍ତି। ଏବେ ଏହି ଗାଁ ଭିତରକୁ ପଶିଗଲେ ଲାଗିବ ଯେମିତି ପ୍ଲାଷ୍ଟିକ ନିଷିଦ୍ଧ ଗାଁଟିଏ। ଏହା କେବଳ ସମ୍ଭବ ହୋଇ ପାରିଛି ଅଭିମନ୍ୟୁଙ୍କ ଲାଗି। ଗାଁ ଲୋକେ ବି କିଛି କିଛି ତାଙ୍କୁ ସମର୍ଥନ କଲେଣି। ସମସ୍ତେ ଯଦି ଅଭିମନ୍ୟୁଙ୍କ ମହତ୍‌ ଉଦ୍ଦେଶ୍ୟ ବୁଝି ପାରିବେ ତେବେ ଏହି ଦଧିବାମନପୁର ଗାଁ ଦିନେ ପ୍ଲାଷ୍ଟିକ ନିଷିଦ୍ଧ ଗାଁର ମାନ୍ୟତା ପାଇବ।

 

You might also like