କୁକୁର ଠାବ କରୁଛି ବିସ୍ଫୋରକ: ରେଳଯାତ୍ରୀଙ୍କ କବଚ ଆରପିଏଫ୍ ଡଗ୍‌ସ୍ୱାଡ୍

ଭୁବନେଶ୍ୱର: କୁକୁର ଦେଖାଇଲେ କମାଲ। ଭୁବନେଶ୍ୱର ରେଲେୱେ ଷ୍ଟାଡିୟମ୍‌ରେ ଗଣତନ୍ତ୍ର ଦିବସ ପାଳନରେ ସାମିଲ ହୋଇଥିଲା ଆରପିଏଫ୍‌ର ଡଗ୍ ସ୍ୱାଡ୍। ଏହି ଅବସରରେ ତାଲିମପ୍ରାପ୍ତ ବିଭିନ୍ନ ପ୍ରଜାତିର କୁକୁର ଦେଖାଇଥିଲେ ବିଭିନ୍ନ କ୍ରୀଡ଼ା କୌଶଳ। ଖାଲି ସେତିକି ନୁହେଁ ସନ୍ଦିଗ୍ଧର ଗତିବିଧି ଓ ଉଦ୍ଦେଶ୍ୟକୁ ବି ବାରି ପାରନ୍ତି ଏହି ପ୍ରତିଭାଶାଳୀ କୁକୁର।କୁକୁର ଠାବ କରୁଛି ଏକ୍ସପ୍ଲୋସିଭ୍। କୁକୁର ଦେହରେ ହାଇଟେକ୍ନୋଲୋଜିର ଗୋପ୍ରୋ କ୍ୟାମେରା। ଏମାନେ ଏମିତି ସେମିତି କୁକୁର ନୁହଁନ୍ତି, ରେଳ ବିଭାଗର ସ୍ନାଇପର ଆଉ ଟ୍ରାକର ଡଗ୍। ସୁରାଗ୍ ଆଉ ଗନ୍ଧ ବାରିବା ପାଇଁ ଏହି କୁକୁର ମାନଙ୍କୁ ଦିଆଯାଇଛି ତାଲିମ। କାର୍ଗୋ, ଟୋନି, ମ୍ୟାକ୍, ବ୍ରାଇଜର। ଏହିପରି ୧୩ଟି କୁକୁରକୁ ନେଇ ଗଠିତ ହୋଇଛି ପୂର୍ବତଟ ରେଳବାଇର ଆରପିଏଫ୍  ଡଗ ସ୍ୱାର୍ଡ।

ସନ୍ଦିଗ୍ଧଙ୍କ ମନ୍ଦ ଉଦ୍ଦେଶ୍ୟ ଜାଣିବା ହେଉ କିମ୍ବା ବିସ୍ଫୋରକ ଚିହ୍ନଟ ହେଉ କିମ୍ବା ଅପରାଧୀକୁ ଧରିବା ଲାଗି ସୁରାଗ ଯୋଗାଡ କରିବା, ସବୁଥିରେ ଏମାନେ ସିଦ୍ଧହସ୍ତ। ଓ୍ୱାଲଟିୟର ଡିଭିଜନର ସ୍ନାଇପର ଡଗ୍ ଟୋନି, ଯାଞ୍ଚ ବେଳର ସବୁ ଭିଡିଓ ଫୁଟେଜର ତଦାରଖ କରିବା ଲାଗି ଦେହରେ ଖଞ୍ଜାଯାଇଛି ବୋପ୍ରୋ କ୍ୟାମେରା।  ସେହିପରି ଟ୍ରାକର ଡଗ ବ୍ରାଇଜର ନିଜ ଆଘ୍ରାଣ ଶକ୍ତି ଦ୍ୱାରା କେମିତି ସନ୍ଦିଗ୍ଧ ଜିନିଷକୁ ଚିହ୍ନଟ ସହ ତାକୁ କାମୁଡି ଧରୁଛି, ଦେଖନ୍ତୁ ଆଉ ଇଏ ହେଉଛି ଭୁବନେଶ୍ୱର ମଞ୍ଚେଶ୍ୱର ଡଗ୍ ସ୍କାର୍ଡର ଟ୍ରାକର ଡଗ୍ କାର୍ଗୋ। ଚୋର ପାଖରେ ପହଞ୍ଚିବାରେ ଆଉ ଚୋରକୁ ଧରିବା ପାଇଁ ସୁରାଗ ଯୋଗାଇବାରେ ସେ ମାହିର।

ଆମେ ୯ ମାସ ଦିଲ୍ଲୀରେ ଟ୍ରେନିଂ ନେଇଛୁ। ଚୋର କିପରି ଧରିପାରିବୁ, ତଥା ଘ୍ରାଣରୁ କିପରି କୁକୁର ଜାଣିପାରିବ, ସେ ନେଇ ତାଲିମ୍ ଦିଆଯାଏ।
-ବି.ଏସ. ଏନ୍. ରାଓ, କାର୍ଗୋ ହ୍ୟାଣ୍ଡଲର

ଏମାନଙ୍କ  ହ୍ୟାଣ୍ଡଲରମାନେ ରାଜ୍ୟ ବାହାରେ ତାଲିମ ନେଉଛନ୍ତି। ଆଉ ୩ ମାସର ଛୁଆ ଅବସ୍ଥାରୁ ସେମାନେ କୁକୁର ଗୁଡିକ ସହ ନିଜକୁ ଓତପ୍ରୋତ ଭାବେ ସାମିଲ କରିଥାନ୍ତି। ୨୦୧୯ରେ ହରିପୁର ନିକଟରେ ରେଳବାଇର ୧୦ ଲକ୍ଷ ଟଙ୍କାର ଆଲୁମିନିୟମ ଚୋରିର ପର୍ଦ୍ଦାଫାସ କରିଥିଲା କାର୍ଗୋ। ସେହିପରି ସ୍ନିପର ଡଗ ଟୋନି ୨୦୧୯ରେ କୋରାପୁଟ ଷ୍ଟେସନରେ ବିସ୍ପୋରକ ଠାବ କରିଥିଲା।

୨୦୧୭ରୁ ଟୋନି ତାଲିମ୍ ନେବା ଆରମ୍ଭ କରିଥିଲା।  ନିକଟରେ କୋରାପୁଟ ରେଳ ଷ୍ଟେସନ୍ ଠାରେ ଆମେ ପ୍ୟାସେଞ୍ଜର ବ୍ୟାଗ୍ ଚେକ୍ କରୁଥିବା ସମୟରେ ଅଜଣା ବ୍ୟାଗ୍ ମିଳିଥିଲା।  ସେଥିରେ ବିସ୍ଫୋରକ ଥିବା ଜଣାପଡ଼ିଥିଲା। ଏହି ବ୍ୟାଗ୍‌ ଟୋନି ହିଁ ଠାବ କରିଥିଲା। ତାଙ୍କ ସିଗ୍‌ନାଲକୁ ଦେଖି ଆମେ ସେହି ବ୍ୟାଗ୍‌କୁ ଜବତ କରିଥିଲୁ।
-ସଫିକ ମହମ୍ମଦ, ଓ୍ୱାଲଟିୟର ଡିଭିଜନ ହ୍ୟାଣ୍ଡଲର

 

ଭୁବନେଶ୍ୱରରୁ କ୍ୟାମେରାପର୍ସନ ବିଶ୍ୱଜିତ୍‌ଙ୍କ  ସହ ଆଲୋକ ମହାନ୍ତିଙ୍କ ରିପୋର୍ଟ
You might also like