ବଢୁଛି ପଥର ମାଫିଆଙ୍କ ଉତ୍ପାତ

ନୟାଗଡ଼: ପଥର ମାଫିଆଙ୍କ ଆକ୍ରମଣରେ ବୃଦ୍ଧ ଗୁରୁତର ହୋଇଛନ୍ତି। ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଥାନା ଗିରିଡିପଲ୍ଲୀ ଅଂଚଳରେ ଘଟିଛି ଏହି ଘଟଣା। ନିଜ ଚାଷଜମି ପାଖେ ବେଆଇନ ପଥର ବ୍ଲାଷ୍ଟିଂ ଓ ଖଣି ଲୁଟ୍ ନେଇ ତହସିଲଦାରଙ୍କୁ ସୂଚନା ଦେଇଥିଲେ କବିଚନ୍ଦ୍ର ନାୟକ। ଏଥିରେ ପ୍ରତିଶୋଧ ପରାୟଣ ହୋଇ ଗାଁର କିଛି ପଥର ମାଫିଆ ତାଙ୍କୁ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ଅନ୍ୟପଟେ ଆକ୍ରମଣର ଶିକାର ହୋଇଥିବା ବୃଦ୍ଧଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ବେଳେ ଏବେ ସୁଦ୍ଧା ଅଭିଯୁକ୍ତମାନେ ଧରାପଡିନଥିବା ଜଣାପଡିଛି। ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି। ତେବେ କେବଳ ନୟାଗଡ଼ରେ ପଥର ମାଫିଆଙ୍କ ଉତ୍ପାତ ବଢିଛି ତାହା ନୁହେଁ ବରଂ ଜୟପୁର ତହସିଲ ଜୟନ୍ତଗିରି ନିକଟରେ ବି ଚାଲିଛି ବେଆଇନ ପଥର ଖନନ ଓ ବ୍ଲାଷ୍ଟିଂ। ଯେଉଁଥିପାଇଁ ନିକଟରେ ଥିବା ଆଦର୍ଶ ବିଦ୍ୟାଳୟ, ବୋରିଗୁମ୍ମା ଡିଗ୍ରୀ ମହାବିଦ୍ୟାଳୟ ତଥା ଆଖପାଖ ସରକାରୀ କୋଠା ଗୁଡିକରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ମହାବିଦ୍ୟାଳୟକୁ ପାଠ ପଢିବାକୁ ଆସୁଥିବା ପିଲା ଏଭଳି ଭୟଙ୍କର ଶଦ୍ଦରେ ଭୟଭୀତ ହୋଇଯାଉଛନ୍ତି। ଶୀଘ୍ର ଏହି ଖନନ ବନ୍ଦ କରାନଗଲେ ଆଗକୁ ପରିସ୍ଥିତି ଭୟଙ୍କର ହେବାକୁ ଥିବାବେଳେ ଏନେଇ ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଜୟପୁର ତହସିଲଦାର।

ଦିନ ଦ୍ୱିପହରରେ ବେଧଡ଼କ ଚାଲିଛି ପଥର ବ୍ଲାଷ୍ଟି। ପଥର ଖନନ ଯୋଗୁ ଶଦ୍ଦ ପ୍ରଦୂଷଣ ସହ ବଢୁଛି ପରିବେଶ ପ୍ରଦୂଷଣ। ଜୟପୁର ତହସିଲ ଅନ୍ତର୍ଗତ ଜୟନ୍ତଗିରି ନିକଟରେ ଜାତୀୟ ରାଜପଥ ୨୬ରୁ ମାତ୍ର ୨ଶହ ମିଟର ଦୂରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଆଉ ଏପଟେ ବ୍ଲାଷ୍ଟିଂର ସିଧାସଳଖ ପ୍ରଭାବ ପଡୁଛି ପାଖରେ ଥିବା ବୋରିଗୁମ୍ମା ଡିଗ୍ରୀ ମହାବିଦ୍ୟାଳୟ ତଥା ସରକାରୀ କୋଠା ଗୁଡିକ ଉପରେ। କାନ୍ଥ ଠାଏ ଠାଏ ଜାଗାରେ ଫାଟି ଯାଇ ବିପଦସଙ୍କୁଳ ଅବସ୍ଥା ସୃଷ୍ଟି କରିଛି। ପୁଣି ଭୟଙ୍କର ଶଦ୍ଦ ଯୋଗୁ ଛାତ୍ରଛାତ୍ରୀ ଭୟଭୀତ ହୋଇଯାଉଛନ୍ତି। ଏହି ସମସ୍ୟାକୁ ନେଇ ଜୟପୁର, ବୋରିଗୁମ୍ମା ତହସିଲଦାରଙ୍କ ସମେତ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ଡିଗ୍ରୀ କଲେଜ ସଂପାଦକ ଓ କର୍ମଚାରୀ।

ତେବେ ରାଜ୍ୟର ଅନେକ ସ୍ଥାନରେ ଏପରି ଭାବରେ ବେଆଇନ ପଥର ବ୍ଲାଷ୍ଟିଂ ଚାଲିଛି । ଯଦି ଏହାକୁ କେହି ବିରୋଧ କରୁଛନ୍ତି ତେବେ ତାଙ୍କ ଉପରେ ଆକ୍ରମଣ ବି କରିବାକୁ ପଛାଉନାହାନ୍ତି ମାଫିଆ। ବର୍ତ୍ତମାନ ଦେଖିବାକୁ ବାକି ରହିଲା କେବେ ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିବ ପୋଲିସ।

You might also like