ନିୟମ ମାନୁନାହାନ୍ତି ଲୋକେ, ଅମାନିଆଙ୍କଠାରୁ ଫାଇନ୍‌ ଆଦାୟ କରୁଛି ପୋଲିସ୍

ଅମାନିଆଙ୍କ ଉପରେ ପୋଲିସର ସ୍ୱତନ୍ତ୍ର ନଜର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଅମାନିଆଙ୍କୁ ସାବାଡ କରିବାକୁ ଓ ଅଯଥା ଭିଡ଼ କମାଇବାକୁ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଫୁଟ୍ ପାଟ୍ରୋଲିଂ। ନୂଆ ବସଷ୍ଟାଣ୍ଡଠାରୁ ଚାଲି ଚାଲି ପାଟ୍ରୋଲିଂ ଟିମ୍ ସହର ଭିତରେ ଅଯଥାରେ ବୁଲୁଥିବା ଲୋକଙ୍କୁ ଫାଇନ୍ କରିଛି। ଏହାସହ ବିଭିନ୍ନ ସ୍ଥାନରେ ଚେକିଂକୁ ଜୋରଦାର କରାଯାଇଛି। ତେବେ ଏଠାରେ ,  ସୂଚନା ଦେଉଛୁ କି ରାଜ୍ୟରେ କ୍ରମାଗତ ଭାବରେ ବଢିଚାଲିଛି କରୋନା ସଂକ୍ରମଣ। ତାହାକୁ ଦୃଷ୍ଟିରେ ରଖି, ରାଜ୍ୟ ସରକାର ଏହାରି ମଧ୍ୟରେ ଲକଡାଉନ୍‌ର ଅବଧି ମଧ୍ୟ ବଢାଇ ସାରିଛନ୍ତି। ହେଲେ କିଛି ଅମାନିଆ ଲୋକ ଏହାକୁ ମାନୁନଥିବା ଦେଖାଦେଇଛି। ଲକଡାଉନ୍‌ ବଢାଇବା ପରେ ସରକାର ଅନେକ କଟକଣା ମଧ୍ୟ ଜାରି କରିଛନ୍ତି।

ତେବେ ରାଜ୍ୟରେ ଲଗାତାର ଭାବରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଛି। ଲକ୍‌ଡାଉନ୍‌ ଓ  ସପ୍ତାହାନ୍ତ ସଟ୍‌ଡାଉନ୍‌ ସତ୍ତ୍ୱେ ମଧ୍ୟ ଦୈନିକ ସଂକ୍ରମଣ ୧୦ ହଜାର ତଳକୁ ଖସି ନଥିବା ଦେଖିବାକୁ ମିଳିଛି। ଆଉ ସଂକ୍ରମଣର ଚେନ୍‌ ଭାଙ୍ଗିବାକୁ ରାଜ୍ୟରେ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁସାରେ, ରାଜ୍ୟରେ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଇଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା,  ଲକଡାଉନ୍‌ ସହ ରାଜ୍ୟରେ ସଟଡାଉନ୍‌ ମଧ୍ୟ ଜାରି ରହିବ। ସୋମବାରରୁ ଶୁକ୍ରବାର ଦୈନିକ ସକାଳେ ମିଳୁଥିବା ମହଲତ କମାଇ ଦିଆଯାଇଛି। ଏଣିକି ଦୈନିକ ୬ ଘଣ୍ଟା ବଦଳରେ ୪ ଘଣ୍ଟାକୁ ମଧ୍ୟରେ ଦୈନଦିନ ସାମଗ୍ରୀ କିଣିପାରିବେ ଲୋକେ। ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ପରିବାପତ୍ର କିଣିବାକୁ ଅନୁମତି ଦିଆଯାଇଛି। ଆବଶ୍ୟକ ଅନୁସାରେ,  ଲୋକମାନେ ନିକଟସ୍ଥ ଦୋକାନକୁ ଚାଲି ଚାଲି ଯାଇ ଜିନିଷ କିଣିପାରିବେ। ଏହାସହ ବାହାଘର, ବ୍ରତଘର, ଶୁଦ୍ଧି କାର୍ଯ୍ୟରେ ଭୋଜିଭାତକୁ ସମ୍ପୂର୍ଣ୍ଣ ମନା କରାଯାଇଛି। ଘରକୁ ଡାକି କୌଣସି ଅତିଥିମାନଙ୍କୁ ଭୋଜିଭାତ ଦିଆଯାଇ ପାରିବ ନାହିଁ। ବରଂ ଅତିଥିମାନଙ୍କୁ ପ୍ୟାକେଟ ଜରିଆରେ ଖାଦ୍ୟ ଦିଆଯାଇପାରିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।

ଏପଟେ, ଆଜି ବି ରାଜ୍ୟରେ ସଂକ୍ରମଣ ହାର ବଢିବାରେ ଲାଗିଛି। ଆଜି ବି ରାଜ୍ୟରେ ୨୪ ଘଣ୍ଟାରେ ୧୧ ହଜାର ୪୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟା କ୍ୱାରେଣ୍ଟାଇନରୁ ୬୪୩୯ ଜଣ ଓ  ଲୋକାଲ କେସ୍ ୫୦୫୯ ଜଣ ଚିହ୍ନଟ ହୋଇଥିବା ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୪୯୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ କଟକରୁ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ଉପରେ ରହିଛି। କଟକରୁ ୧୧୦୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୮୬୭, ସୁନ୍ଦରଗଡ଼ରୁ ୭୦୩, ମୟୂରଭଞ୍ଜରୁ ୫୩୮, ବାଲେଶ୍ୱରରୁ ୫୨୪, ପୁରୀରୁ ୪୨୪ ବରଗଡ଼ରୁ ୩୯୫, ସମ୍ବଲପୁରରୁ ୩୯୩, ନୟାଗଡ଼ରୁ ୩୮୨, ଯାଜପୁରରୁ ୩୭୮, ଜଗତସିଂହପୁରରୁ ୩୨୫, ବୌଦ୍ଧରୁ ୩୧୩, ବଲାଙ୍ଗିରରୁ ୨୯୪, କୋରାପୁଟରୁ ୨୬୬ ଜଣ ଚିହ୍ନଟ ହୋଇଛନ୍ତି।

You might also like