ଦୁର୍ନୀତି ପ୍ରସଙ୍ଗରେ ମୋଦିଙ୍କ ଆଟାକ୍, ନବୀନଙ୍କ କାଉଣ୍ଟର୍‌ ଆଟାକ୍ ନେଇ ହଲଚଲ୍

ଭିତିରି ସଂପର୍କ ନେଇ ଏବେ ବି ସନ୍ଦେହରେ କଂଗ୍ରେସ୍‌

ଭୁବନେଶ୍ୱର: ଦୁର୍ନୀତି ପ୍ରସଙ୍ଗରେ ନବୀନଙ୍କୁ ମୋଦିଙ୍କ ସିଧା ନିଶାନା, ରାଜ୍ୟ ରାଜନୀତିରେ ହଲଚଲ୍ ସୃଷ୍ଟି କରିଛି। ନବୀନଙ୍କ ବିରୋଧରେ ରାଜ୍ୟ ବିଜେପି ବ୍ୟବହାର କରୁଥିବା ଶଦ୍ଦକୁ ନେଇ ଯେଭଳି ଢଙ୍ଗରେ ମୋଦି ଆଟାକ୍ କଲେ ତାହା ବିଜେପି କ୍ୟାମ୍ପକୁ ବେଶ୍ ଉତ୍ସାହିତ କରିଛି।

ପିସି କାରବାରରୁ ଆରମ୍ଭ କରି ଚାରା ଘୋଟାଲା, ସମବାୟ ଓ ଓମଫେଡ୍ ଦୁର୍ନୀତିର କଥା କହି ମୋଦି ଯେଭଳି ନବୀନଙ୍କୁ ନିଶାନା କଲେ ତାହା ଦୁଇ ଦଳର ସଂପର୍କରେ ବି ଟୁଇଷ୍ଟ ଆଣିଛି।

କିଛିଦିନ ତଳେ ସଂସଦର ଅନାସ୍ଥା ଭୋଟ୍ ଓ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ବେଳେ ବିଜେଡିର ସହଯୋଗ ପରେ ଦୁହିଁଙ୍କ ସଂପର୍କର ଗଣିତକୁ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚାରେ ବି ପୂର୍ଣଛେଦ ପଡ଼ିଛି। ୪ ମାସ ତଳେ ବିକାଶର ହିସାବ ଦେବାକୁ କଟକ ଆସିଥିବା ମୋଦି ଯଦିଓ ମହାନଦୀ ଓ ସ୍ୱାସ୍ଥ୍ୟ ସେବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ, କିନ୍ତୁ ଏଥରର ଆଭିମୁଖ୍ୟ ଅଧିକ କଠୋର ଥିଲା ।

ନିର୍ବାଚନ ଆଗକୁ ଥିବାରୁ ମୋଦିଙ୍କ ଏ ନିଶାନା ବିଜେପିକୁ ଉତ୍ସାହିତ କରିଥିବା ବେଳେ ବିଜେଡି କହିଛି ମୋଦି ନବୀନଙ୍କୁ ଆଟାକ କରି ନିଜକୁ ନ୍ୟୁନ କରିଛନ୍ତି।

ମୋଦିଙ୍କ କଡ଼ା ଆଭିମୁଖ୍ୟ ପଛର କାରଣକୁ ନେଇ ରାଜନୈତିକ ବିଷାରଦ ବି ଢେର ଗଣିତ କଷୁଛନ୍ତି। ଟିଡିପି ଓ ପିଡ଼ିପି ଏନଡିଏକୁ ବାଏ ବାଏ କରିବା ଓ  ଶିବସେନା ସହ ସଂପର୍କ ବିଗିଡିବା ପରେ ଜାତୀୟ ସ୍ତରରେ ନୂଆ ସାଥୀ ଖୋଜୁଛି ବିଜେପି।

ତେବେ ବିଜେଡି ଏନ୍‌ଡିଏର ସାଥୀ ହେବା ନେଇ ଜାତୀୟ ଗଣମାଧ୍ୟମରେ କିଛି ଦିନ ତଳେ ହେଉଥିବା ଚର୍ଚ୍ଚାକୁ ମୋଦିଙ୍କ ଆଟାକ୍ ପାଣିଚିଆ କରିଦେଇଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ଆକଳନ କରୁଛନ୍ତି।

କଂଗ୍ରେସ କିନ୍ତୁ ଭିନ୍ନ କଥା କହୁଛି। ଉପରେ କଳି କଲେ ବି ଦୁହଁଙ୍କ ଭିତରେ ସଂପର୍କ ଥିଲା ଓ ରହିବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ୍‌ ପଟ୍ଟନାୟକ।

ବିଜେଡି ବି ସମାନ ଢଙ୍ଗରେ ପ୍ରତି ଆକ୍ରମଣ କରି ଦୁହିଁଙ୍କ ଭିତରେ ରାଜନୈତିକ ଦୂରତା ବଢୁଛି ବୋଲି ପ୍ରମାଣିତ କରିଛି। ମୋଦିଙ୍କ ଆଟାକ୍ ଓ ନବୀନଙ୍କ କାଉଣ୍ଟର୍‌ ଆଟାକ ଦେଖି ରାଜନୈତିକ ବିଷାରଦମାନେ ଭବିଷ୍ୟବାଣୀ କରୁଛନ୍ତି। ୧୯ ପୂର୍ବରୁ ଦୁଇଦଳ ଭିତରେ କୌଣସି ରାଜନୈତିକ ବୁଝାମଣାର ବାଟ ଖୋଲିବା ସମ୍ଭାବନା ନାହିଁ ବୋଲି ସେମାନେ କହୁଛନ୍ତି।

 

You might also like