ହୋମ୍ କ୍ୱାରେଣ୍ଟାଇନ୍ରେ ଥିବା ବ୍ୟକ୍ତିଙ୍କ ଘର ସାମ୍ନାରେ ଲାଗିବ ଷ୍ଟିକର
ଭୁବନେଶ୍ୱର: କରୋନା ସ୍ଥିତିକୁ ନେଇ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ହୋମ୍ କ୍ୱାରେଣ୍ଟାଇନ୍ରେ ରହୁଥିବା ଲୋକଙ୍କ ଘର ଆଗରେ ଲାଗିବ ସ୍ୱତନ୍ତ୍ର ଷ୍ଟିକର। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପୃଥକବାସ ଓ ପରିବାରର ଅନ୍ୟ ବିବରଣୀ ରହିବ। ବ୍ୟକ୍ତି ଜଣକ କେଉଁ ତାରିଖରୁ କେତେ ତାରିଖ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ୍ରେ ରହିବେ ତାହା ଉଲ୍ଲେଖ ରହିବ।
ଲଗାଯାଇଥିବା ଷ୍ଟିକରରେ କ୍ୱାରେଣ୍ଟାଇନ୍ରେ ଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ, ଠିକଣା, ଘରେ ରହୁଥିବା ବ୍ୟକ୍ତିଙ୍କ ସଂଖ୍ୟାର ବିବରଣୀ ରହିବ। ବ୍ୟକ୍ତି ଜଣକୁ ଯେପରି ଲୋକେ ସାମାଜିକ ବାସନ୍ଦ ନକରନ୍ତି ସେଥିପ୍ରତି ସତର୍କ ଦୃଷ୍ଟି ରଖିବ ପ୍ରଶାସନ।
ଯଦି କେହି ହୋମ କ୍ୱାରେଣ୍ଟାଇନ୍ରେ ଥିବା ବ୍ୟକ୍ତି କିମ୍ବା ତାଙ୍କ ପରିବାର ଲୋକଙ୍କୁ ସାମାଜିକ ବାସନ୍ଦ କରନ୍ତି ତେବେ ଏହାକୁ ଦଣ୍ଡନୀୟ ଅପରାଧ ଭାବେ ଧରାଯିବ ବୋଲି ଏହି ଷ୍ଟିକରରେ ଉଲ୍ଲେଖ ରହିଛି।
ସୂଚନାଥାଉ କି, କରୋନ ମୁକାବିଲା ପାଇଁ ରାଜ୍ୟ ସରକାର କଡା ପଦକ୍ଷେପ ନେଇଛନ୍ତି। ଯଦିଓ ରାଜ୍ୟରେ କରୋନା ନିୟନ୍ତ୍ରଣ ଭିତରେ ରହିଛି, ତଥାପି ଆଗୁଆ ସଚେତନତା ସ୍ୱରୂପ ସମ୍ପୂର୍ଣ୍ଣ ଓଡ଼ିଶାକୁ ଲକ୍ଡାଉନ କରାଯାଇଛି। ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ ଥିବାବେଳେ ଆଜି ଦିନ ୧୧ଟାରୁ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ନିଜର ତଥା ନିଜ ପରିବାରର ସୁରକ୍ଷା ପାଇଁ ଏସବୁ ମାନିବାକୁ covid19 ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ରାଜ୍ୟବାସଙ୍କୁ ଅନୁରୋଧ କରିଛନ୍ତି।