ଭୁବନେଶ୍ୱର: ନକଲି ଔଷଧ ବିକ୍ରି ଘଟଣାର ପଦ୍ଦାଫାଶ ହୋଇଛି। କରୋନା ବିତ୍ପତ୍ତି ସମୟରେ ନକଲି ଔଷଧ ବିକ୍ରି କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି STF । ଏ ନେଇ ଆଜି କ୍ରାଇମବ୍ରାଞ୍ଚ ଏଡିଜି ଯଶୋବନ୍ତ ଜେଠଓ୍ୱାଙ୍କ ସୂଚନା ଦେଇଛନ୍ତି।

ଜେଠଓ୍ୱା ସୂଚନା ଦେଇ କହିଛନ୍ତି, ମେଡିଲୟଡ ମେଡିକାମେଣ୍ଟ ସଂସ୍ଥା ନାମକ ଏକ କମ୍ପାନୀ ହିମାଚଳର ଏକ ନକଲି କଂପାନୀରୁ ଫାଭିପିରାଭିର ମେଡିସିନ କିଣି ବିକ୍ରି କରିବା ପାଇଁ ଯୋଜନା କରୁଥିଲା। ହେଲେ ଏହି ଔଷଧ ନକଲି ଥିବା ଜଣାପଡ଼ିଥିଲା। ମେଡିଲୟଡ କମ୍ପାନୀ ୧୦ଟି ଟାବଲେଟକୁ ୬୫ ଟଙ୍କାରେ କିଣି ୧୨୯୦ରେ ବିକ୍ରି କରୁଥିଲା । ଏହା ଜଣା ପଡ଼ିବା ପରେ ଔଷଧ ବିତରଣ କଂପାନୀର ଅନ୍ୟତମ ନିର୍ଦ୍ଦେଶକ ସମେତ ୩ ଗିରଫ ହୋଇଛନ୍ତି।

ଏହି ଘଟଣାରେ ୩ ଜଣଙ୍କ ଗିରଫ କରାଯାଇଥିଲେ ବି କଂପାନୀ ମୁଖ୍ୟ ଶିବ ଜେନା ଏବେ ମଧ୍ୟ ଫେରାର ଅଛନ୍ତି । ୩ ଗିରଫଙ୍କ ମଧ୍ୟରେ ଶିବ ଜେନାଙ୍କ ପତ୍ନୀ ଥିବା ସୂଚନା ମିଳିଛି।

ସୂଚନା ଥାଉ କି,  କିଛି ଦିନ ତଳେ ଡ୍ରଗ୍ସ କଣ୍ଟ୍ରୋଲର କଟକର ଏକ ଦୋକାନରେ ଚଢାଉ କରି ସମ୍ପୃକ୍ତ ଦୋକାନୀଙ୍କ ପାଖରୁ ୧୭୦ ବକ୍ସ ନକଲି ଫାଭିଫିରିଭିର୍ ଔଷଧ ଜବତ ହୋଇଥିଲା । ଏହାସହ ଅନ୍ୟ ୨୭ ପେଟି ଔଷଧ ଜବତ ହୋଇଥିଲା ।  ଅଧିକ ଖୋଳତାଡ଼ ପାଇଁ କ୍ରାଇମବ୍ରାଞ୍ଚ STF ଟିମ୍ ମୁମ୍ବାଇ ଯାଇ  ନକଲି କଂପାନୀ ମାକ୍ସ ରିଲିଫ୍ ହେଲ୍ଥ କେୟାର ମୁଖ୍ୟ ସୁଦୀପ ମୁଖାର୍ଜୀଙ୍କୁ ଜେରାଥିଲା। ପରେ ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରିଥିଲା । 

ଏହି ଘଟଣା ପରେ ନକଲି ଔଷଧ କାରବାରକୁ ବରଦାସ୍ତ କରାଯିବ ନାହିଁ, ଯେଉଁମାନେ ଏଥିରେ ସମ୍ପୃକ୍ତ ଥିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଚେତାଇ ଦେଇଥିଲେ। ଏପରିକି ନକଲି ଔଷଧ କାରବାରର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏଠି କହି ରଖିବୁ, କଟକରୁ ନକଲି ଔଷଧ ଜବତ ହେବା ପୂର୍ବରୁ ବରଗଡ଼ ଜିଲ୍ଲାରେ ମଧ୍ୟ ନକଲି କରୋନା ଔଷଧ ଠାବ କରାଯାଇଥିଲା । ସ୍ଥାନୀୟ ଭେଡେନ ଥାନା ରୁଷୁଡ଼ା ଗାଁରେ ନକଲି କରୋନା ଔଷଧ ପ୍ରସ୍ତୁତ କରୁଥିବା ଅଭିଯୋଗରେ ଚଢାଉ ହୋଇଥିଲା।  ସମ୍ବଲପୁର ଡ୍ରଗ୍ସ ଇନ୍ସପେକ୍ଟର ଓ ପୋଲିସ ମିଳିତ ଭାବେ ଚଢାଉ କରି ବିପୁଳ ପରିମାଣର ଔଷଧ ଖୋଳ, ପାଉଡର, ରାସାୟନିକ ପଦାର୍ଥ ଜବତ କରିଥିଲେ।

Other Stories