ଥଟ୍ଟାମଜାକୁ ନେଇ ସ୍କୁଲ୍‌ ଭିତରେ ଛୁରାମାଡ଼

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଥଟ୍ଟାମଜାରୁ କଥା କଟାକଟି, ଆଉ ତା’ପରେ ଛୁରା ମାଡ଼। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ ବୋରସିଂ ହାଇସ୍କୁଲ୍‌ରେ ଜଣେ ଛାତ୍ର ଆଉ ଜଣେ ଛାତ୍ରଙ୍କୁ ଛୁରାମାଡ଼ କରିଛନ୍ତି। ଏଥିରେ ଜଣେ ଛାତ୍ର ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗୁରୁତର ଛାତ୍ରଙ୍କ ନାଁ ଅମିତ ନାୟକ। ସେ ବଡ଼ ବୋରସିଂ ଗାଁର ବୋଲି ଜଣାପଡ଼ିଛି। ଆକ୍ରମଣ କରିଥିବା ଛାତ୍ରଙ୍କୁ ସ୍କୁଲ୍‌ କର୍ତ୍ତୃପକ୍ଷ ଅଟକ ରଖିଛନ୍ତି।

ସୂଚନା ଅନୁସାରେ, ଆଜି ସକାଳେ ସ୍କୁଲ୍‌ରେ ଦଶମ ଶ୍ରେଣୀ କ୍ଲାସ ହେଉଥିଲା। ଏହାପରେ ଶିକ୍ଷୟିତ୍ରୀ  କିଛି ସମୟ ପାଇଁ କ୍ଲାସ୍‌ ରୁମ୍‌ରୁ ବାହାରକୁ ଯାଇଥିବା ବେଳେ ଅମିତ ନାୟକ ଓ ତାଙ୍କ ସାଙ୍ଗଙ୍କ ମଧ୍ୟରେ ଥଟ୍ଟାମଜାରୁ କଥା କଟାକଟି ହୋଇଥିଲା। ମାତ୍ର ଅମିତଙ୍କ ସାଙ୍ଗ ଉତ୍ତ୍ୟକ୍ତ ହୋଇ ଅମିତଙ୍କୁ ଛୁରା ମାଡ଼ କରିଥିଲେ।

ଏହାପରେ ତାଙ୍କ ଚିତ୍କାର ଶୁଣି ଶିକ୍ଷକ, ଶିକ୍ଷୟିତ୍ରୀ ଘଟଣାସ୍ଥଳରେ ପହଞ୍ଚି ଅମିତଙ୍କୁ ତୁରନ୍ତ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅମିତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ତାଙ୍କୁ ବ୍ରହ୍ମପୁର ରେଫର କରାଯାଇଛି। ଆକ୍ରମଣ କରିଥିବା ଛାତ୍ରଙ୍କୁ ସ୍କୁଲ୍‌ କର୍ତ୍ତୃପକ୍ଷ ଅଟକ ରଖିଛନ୍ତି। ଗାଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

You might also like