“ଆଗକୁ ରାଜ୍ୟ ସ୍ଥିତି କଣ ହେବ କହିହେବ ନାହିଁ”

ରାଜ୍ୟରେ ବଢିଛି ଟେଷ୍ଟିଂ

ଭୁବନେଶ୍ୱର: କରୋନାକୁ ନେଇ ପ୍ରେସମିଟ୍‌ କଲେ ସ୍ୱାସ୍ଥ୍ୟ ବିଭାଗର ACS। କହିଲେ, କୋଭିଡ୍‌ ନିୟମ ମାନିଲେ ହିଁ କରୋନାକୁ ଆମେ ରୋକିପାରିବା। ଦ୍ୱିତୀୟ ଲହରୀ ଏତେ ଭୟାନକ ହେବ ବୋଲି କେହି ଭାବିନଥିଲେ। ଦେଶରେ ୮ ଦିନ ହେଲା ୩.୫ ଲକ୍ଷରୁ ଅଧିକ କେସ୍ ଆସୁଛି। ଏବେ ଦେଶର ୮୦ ପ୍ରତିଶତ କେସ୍ ୮/୯ଟି ରାଜ୍ୟରୁ ଆସୁଛି। ଆଉ ସଂକ୍ରମଣରେ ଜାତୀୟ ହାରରେ ଓଡ଼ିଶାର ଭାଗ ପ୍ରାୟ ୧.୮% ରହିଛି ବୋଲି କହିଲେ ACS। ଏହାସହ ଆଜି ସଂକ୍ରମଣରେ ସର୍ବକାଳୀନ ରେକର୍ଡ ୮୬୮୧ ରହିଛି।
କୋଭିଡ଼ ନିୟମ ପାଳନ କଲେ ଆମେ ଏହାକୁ ନିୟନ୍ତ୍ରଣ କରିପାରିବା ବୋଲି ସେ କହିଛନ୍ତି। କେବଳ ଏତିକି ନୁହେଁ ବରଂ
କୋଭିଡ଼ ନିୟମ ମାନନ୍ତୁ, ମାସ୍କ ପିନ୍ଧନ୍ତୁ, ଗହଳି କରନ୍ତୁନି କି ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି।

ଏହାସହ ଆମେ ରାଜ୍ୟରେ ଟେଷ୍ଟିଂ ବଢ଼ାଇଛୁ, ୨୫ ହଜାର RTPCR ଲକ୍ଷ୍ୟ ରଖାଯାଇଥିବା ସେ ସୂଚନା ଦେଇଛନ୍ତି। ପଶ୍ଚିମବଙ୍ଗ, ଛତିଶଗଡ଼ ସୀମା ସିଲ୍ କରି ସଂକ୍ରମଣ ନିୟନ୍ତ୍ରଣ ଚେଷ୍ଟା କରାଯାଉଥିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି। ଦେଶର ସ୍ଥିତି କେଉଁ ଆଡ଼କୁ ଯିବ, କେହି ଆକଳନ କରିପାରୁନାହାନ୍ତି। ତେଣୁ ଯେତେ ପଦକ୍ଷେପ ନେଲେ ବି କୋଭିଡ ଲହର ଏପର୍ଯ୍ୟନ୍ତ କମିନାହିଁ। ହସ୍ପିଟାଲ ବ୍ୟବସ୍ଥା ଅନୁଯାୟୀ ଏବେ ଠିକ ଅବସ୍ଥାରେ ଅଛୁ ବୋଲି କହିଛନ୍ତି ACS। ଏହାସହ ଆଗକୁ ସ୍ଥିତି କଣ ହେବ, କିଛି ଆକଳନ କରିହେଉନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ACS ପ୍ରଦୀପ୍ତ ମହାପାତ୍ର।

ସୂଚନା ଅନୁସାରେ, ରାଜ୍ୟରେ ଏବେ ୩୩% ସାଧାରଣ ବେଡ୍, ୬୯% ICU, ୩୫% ଭେଣ୍ଟିଲେଟର ବ୍ୟବହୃତ ହେଉଛି। ରାଜ୍ୟରେ ଅକ୍ସିଜେନର କୌଣସି ଅଭାବ ହେବ ନାହିଁ ବୋଲି କହିଛନ୍ତି ACS। କୌଣସି ହସ୍ପିଟାଲରେ ସିଲିଣ୍ଡର ଯେମିତି ଖାଲି ରହିବନି, ସେନେଇ ସମସ୍ତ ମେଡିକାଲ କର୍ତ୍ତୃପକ୍ଷଙ୍କୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ଏତିକି ନୁହେଁ ବରଂ ୪୩ ହଜାର ରେମଡେସିଭିର ରହିଥିବା ନେଇ ସୂଚନା ଦେଇଛନ୍ତି ACS। କରୋନା ଔଷଧ ରେମଡେସିଭିର ସଂପର୍କରେ ସ୍ୱାସ୍ଥ୍ୟ ACS ବି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ,  ଦୈନିକ ରାଜ୍ୟରେ ୧୨ଶହ ରେମଡେସିଭିର ଦରକାର ହେଉଛି। ଆମ ପାଖରେ ଏବେ ୪୩ ହଜାର ରେମଡେସିଭିର ଷ୍ଟକ ଅଛି। କାଲି ଆଉ ୨୧ ହଜାର ରେମଡେସିଭିର ଆମ ପାଖରେ ପହଞ୍ଚିବ ବୋଲି ACS କହିଛନ୍ତ। ଯେଉଁ ଅଭାବ କଥା କୁହାଯାଉଛି, ସେ ସବୁ ଘରୋଇ ହସ୍ପିଟାଲରେ ରହିଥିବା ସେ ସ୍ପଷ୍ଟ କରିଛନ୍ତି। କୋଭିଡ଼ ପଜିଟିଭ ହେଲେ ତରବର ହୋଇ ହସ୍ପିଟାଲ ନଆସିବା ଲାଗି ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ହୋମ୍ ଆଇସୋଲେସନରେ ରହନ୍ତୁ, ଯାହାକୁ ଜରୁରୀ ସେ ହସ୍ପିଟାଲ ଆସନ୍ତୁ ବୋଲି ACS କହିଛନ୍ତି। ପଜିଟିଭ୍‌ ଚିହ୍ନଟ ହେଲେ ଘରେ ରହନ୍ତୁ, ଯଦି ଅବସ୍ଥା ଗୁରୁତର ହେଲା ଆମ୍ବୁଲାନ୍ସ ଯାଇ ଆଣିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ଏହାସହ ଜଣେ ଗୁରୁତର ରୋଗୀକୁ ହସ୍ପିଟାଲରେ ଚିକିତ୍ସା ସୁବିଧା ଦିଅନ୍ତୁ ବୋଲି ସମସ୍ତଙ୍କୁ ଅପିଲ୍‌ କରିଛନ୍ତି।

You might also like