କରୋନା ବଢୁଛି: ଏପଟେ ରାଜ୍ୟରେ ଦେଖାଗଲାଣି ଟିକାର ଅଭାବ
ରାଜ୍ୟରେ ନାହିଁ ଟିକା?
- ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଦେଲେ ସୂଚନା
- କହିଲେ, ରାଜ୍ୟରେ କୋଭିସିଲ୍ଡ ଟିକା ୬ ଲକ୍ଷ ଅଛି, ଏହା ମାତ୍ର ୨ ଦିନ ଯିବ
- ଅଧତ୍କ ଟିକା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି
- ରାଜ୍ୟରେ କୋଭାକ୍ସିନ ଟିକା ପ୍ରଚୁର ପରିମାଣରେ ମହଜୁଦ ଅଛି
- ଯିଏ ଛତିଶଗଡ଼ରୁ ଆସୁଛନ୍ତି ସେମାନଙ୍କର ଟେଷ୍ଟିଂ, ଟ୍ରେସିଂ କରାଯାଉଛି
ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ବଢୁଥିବା ବେଳେ ଦେଖାଦେଇପାରେ ଟିକାର ଅଭାବ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ସେ କହିଛନ୍ତି ଯେ, ରାଜ୍ୟରେ କୋଭିସିଲ୍ଡ ଟିକା ୬ ଲକ୍ଷ ଅଛି ଯାହାକି ଆଉ ମାତ୍ର ୨ ଦିନ ଯିବ। ତେଣୁ ଅଧତ୍କ ଟିକା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି ବୋଲି ବିଜୟ କହିଛନ୍ତି। ଏହାସହ ରାଜ୍ୟରେ କୋଭାକ୍ସିନ ଟିକା ପ୍ରଚୁର ପରିମାଣରେ ମହଜୁଦ ଅଛି ବୋଲି ସେ କହିଛନ୍ତି। କେବଳ ଏତିକି ନୁହେଁ ବରଂ ଯେଉଁମାନେ ଛତିଶଗଡ଼ରୁ ଆସୁଛନ୍ତି ସେମାନଙ୍କର ଟେଷ୍ଟିଂ, ଟ୍ରେସିଂ କରାଯାଉଛି।
ସୀମାବର୍ତ୍ତୀ ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ଆଲର୍ଟ ଅଛନ୍ତି। ଏହାସହ କରୋନାକୁ ନଜରରେ ରଖି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ବି ଦିଆଯାଇଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ସଂକ୍ରମଣ ବଢୁଥବାରୁ ସୀମାନ୍ତ ଜିଲ୍ଲାରେ ଟିକାକରଣ ତ୍ୱରାନ୍ୱିତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଜ୍ୟରେ ଏକ କୋଟି ୧୬ ଲକ୍ଷ ଲୋକଙ୍କୁ ଟିକାକରଣ କରିବାକୁ ସରକାରଙ୍କ ଟାର୍ଗେଟ ରହିଛି ବୋଲି ବିଜୟ କହିବା ସହ ଏବେ ସୁଦ୍ଧା ୩୩ ଲକ୍ଷ ୪ ହଜାର ୭୩୨ ଜଣଙ୍କୁ ଟିକା ଦିଆଯାଇଛି ସେ ସୂଚନା ଦେଇଛନ୍ତି।
- ସୀମାବର୍ତ୍ତୀ ଜିଲ୍ଲାରେ ସଂକ୍ରମଣ ବଢୁଥବାରୁ ରାଜ୍ୟ ସରକାର ଆଲର୍ଟରେ ଅଛନ୍ତି
- ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ବି ଦିଆଯାଇଛି
- ସଂକ୍ରମଣ ବଢୁଥିବାରୁ ସୀମାନ୍ତ ଜିଲ୍ଲାରେ ଟିକାକରଣ ତ୍ୱରାନ୍ୱିତ ପାଇଁ ନିର୍ଦ୍ଦେଶ ଦିଆଯାଇଛି
- ରାଜ୍ୟରେ ଏକ କୋଟି ୧୬ ଲକ୍ଷ ଲୋକଙ୍କୁ ଟିକାକରଣ ଟାର୍ଗେଟ ଅଛି
- ଏବେ ସୁଦ୍ଧା ୩୩ ଲକ୍ଷ ୪ ହଜାର ୭୩୨ ଜଣଙ୍କୁ ଟିକା ଦିଆଯାଇଛି
ତେବେ ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ୫ ଶହରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଆଜି ରାଜ୍ୟରେ ୫୭୩ ନୂଆ ମାମଲା ସାମ୍ନାକୁ ଆସିଛି।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୩୨, କଟକରୁ ୨୮, କଳାହାଣ୍ଡିରୁ ୨୪, ବଲାଙ୍ଗିରରୁ ୨୦, ରାୟଗଡ଼ାରୁ ୧୬, ମୟୂରଭଞ୍ଜରୁ ୧୩, ବାଲେଶ୍ୱରରୁ ୧୧, କେନ୍ଦୁଝରରୁ ୮ ରୋଗୀ ଚିହ୍ନଟ ହୋଇଛନ୍ତି।