ଚଳିତ ଥର ପ୍ରାୟ ୪୪ ହଜାର କୋଟିର ଋଣ କରିବେ ରାଜ୍ୟ ସରକାର

ଚଳିତ ବର୍ଷ ମୋଟ ଋଣ ପରିମାଣ ରାଜ୍ୟ ଜିଡିପିର ୨୦.୯%

  • ପ୍ରାୟ ୪୪ ହଜାର କୋଟିର ଋଣ କରିବେ ସରକାର
  • ବଜେଟ ଉପସ୍ଥାପନ ବେଳେ ସୂଚନା ଦେଲେ ଅର୍ଥମନ୍ତ୍ରୀ
  • ଗତବର୍ଷ ୨୭ ହଜାର ୨୫୦ କୋଟି ଋଣ ହୋଇଥିଲା
  • ଚଳିତ ବର୍ଷ ୪୩ ହଜାର ୯୮୬ କୋଟିକୁ ବୃଦ୍ଧି ପାଇବ
  • ଚଳିତ ବର୍ଷ ମୋଟ ଋଣ ପରିମାଣ ରାଜ୍ୟ ଜିଡିପିର ୨୦.୯%
  • କୋଭିଡ୍ ସତ୍ତ୍ୱେ ରାଜସ୍ୱ ଆଦାୟ ପରିମାଣ ୧୦% ବୃଦ୍ଧି ପାଇବା ଆକଳନ

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୪୪ ହଜାର କୋଟିର ଋଣ କରିବେ ରାଜ୍ୟ ସରକାର। ବଜେଟ ଉପସ୍ଥାପନ ବେଳେ ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଗତବର୍ଷ ରାଜ୍ୟ ସରକାର ୨୭ ହଜାର ୨୫୦ କୋଟି ଋଣ କରିଥିବା ବେଳେ ଚଳିତ ବର୍ଷ ଏହା ୪୩ ହଜାର ୯୮୬ କୋଟିକୁ ବୃଦ୍ଧି ପାଇବ ବୋଲି ଜଣାଯାଇଛି। ଅନ୍ୟପକ୍ଷରେ ରାଜ୍ୟର ମୋଟ ଋଣ ୨୦୨୦ ମାର୍ଚ୍ଚ ସୁଦ୍ଧା ୯୨ ହଜାର ୭୭୫ କୋଟିରେ ପହଞ୍ଚିଥିଲା।

ତେବେ ଚଳିତ ବର୍ଷ ମୋଟ ଋଣ ପରିମାଣ ରାଜ୍ୟ ଜିଡିପିର ୨୦.୯ ପ୍ରତିଶତ ହେବ ବୋଲି ବଜେଟରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ। ତେବେ କୋଭିଡ୍ ସତ୍ତ୍ୱେ ରାଜ୍ୟର ରାଜସ୍ୱ ଆଦାୟ ପରିମାଣ ୧୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଅନ୍ୟପକ୍ଷରେ ଆର୍ଥିକ ନିଅଣ୍ଟ ପରିମାଣ ୩.୫ ପ୍ରତିଶତରେ ସୀମିତ ରହିବ ନେଇ ସୂଚନା ରହିଛି।

ତେବେ ଚଳିତ ବଜେଟ୍‌ରେ ରାଜ୍ୟ ସରକାର ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ସରକାର ୨୪, ୩୭୦ କୋଟିର ବଜେଟ୍‌ ରଖିଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ବିଧାନସଭାରେ ଉପସ୍ଥାପିତ ହୋଇଥିବା ବଜେଟ୍‌ରେ ଆଦର୍ଶ ସ୍କୁଲ ପାଇଁ ୨୮୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ୯୫୭ କୋଟି ବ୍ୟୟବରାଦ ହୋଇଥିବା ବେଳେ ମୋ ସ୍କୁଲ ପାଇଁ ୨୫୩ କୋଟି ଓ ମୋ କଲେଜ ପାଇଁ ୭ କୋଟି ବ୍ୟୟବରାଦ ହୋଇଛି। ଅନ୍ୟପଟେ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ଚଳିତ ଥର ବଜେଟ୍‌ରେ କାଳିଆ ଯୋଜନା ପାଇଁ ୧୮୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ବିହନ ପାଇଁ ଶହେ ଓ ସାର ପାଇଁ ୧୦୦ କୋଟି ଅତିରିକ୍ତ ପାଣ୍ଠି ବି ବ୍ୟୟବରାଦ କରିଛନ୍ତି ଅର୍ଥମନ୍ତ୍ରୀ। ସେହିପରି ଉଦ୍ୟାନ କୃଷି ବିକାଶ ପାଇଁ ୧୩୨ କୋଟି ବ୍ୟୟବରାଦ ହୋଇଥିବା ବେଳେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୪୫୦ କୋଟି ବ୍ୟୟବରାଦ କରାଯାଇଛି। କଳାହାଣ୍ଡି ଏବଂ ନବରଙ୍ଗପୁରରେ ୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

You might also like