ବାତ୍ୟା ପାଇଁ ସରକାରୀ ସ୍ତରରେ ବସୁଛି ଘନ ଘନ ବୈଠକ

ବାତ୍ୟା ପାଇଁ ପ୍ରସ୍ତୁତି

ଭୁବନେଶ୍ୱର: ଜଳ-ସ୍ଥଳ-ଆକାଶରେ ସବୁଠି ଚାଲିଛି ବାତ୍ୟା ପ୍ରସ୍ତୁତି। ଭୀଷଣ ରୂପରେ ମାଡ଼ି ଆସୁଥିବା ବାତ୍ୟା ୟାସ୍ ପାଇଁ ସତର୍କ ଆଉ ସଜାଗ ରହିବାକୁ ଆହ୍ୱାନ ଦେଇଛନ୍ତି ସରକାର। ତେଣେ କିଏ ବାସକୁ ସୁରକ୍ଷା ଦେବା ପାଇଁ ଚଳାଇଛନ୍ତି ଉଦ୍ୟମ ତ ଆଉ କିଏ ଅମଳ ଧାନକୁ ସାଇତି ରଖିବାକୁ ଜାରି ରଖିଛନ୍ତି ପ୍ରୟାସ। ମନରେ ଛନକା ଆସିଲାଣି, କାଳେ ସବୁ କିଛି ଉଜାଡ଼ିଦେବ ୟାସ୍। ଏଣେ ସରକାରୀ ସ୍ତରରେ ଘନଘନ ବୈଠକ ବି ଚାଲିଛି। କାଲି ପ୍ରଧାନମନ୍ତ୍ରୀଙ୍କ ପରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ପର୍ଯ୍ୟନ୍ତ ପ୍ରସ୍ତୁତ ହେଉଛି ମୁକାବିଲାର ରୋଡ୍ ମ୍ୟାପ।

ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ

ଗୃହମନ୍ତ୍ରୀ ଅମିତ ଶାହ ଆଜି ଓଡ଼ିଶା, ପଶ୍ଚିମ ବଙ୍ଗ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ଆଣ୍ଡାମାନ-ନିକକୋବର ଲେଫ୍ଟନାଣ୍ଟ ଗଭର୍ଣ୍ଣର, NDMA ସଦସ୍ୟ ସଚିବ, କ୍ୟାବିନେଟ ସଚିବ, IMD ମହାନିର୍ଦ୍ଦେଶକଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ଏପଟେ ବାତ୍ୟା ୟାସକୁ ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡ୍ ସମୟରେ ବାତ୍ୟା ଡବଲ୍ ବିପଦ ସୃଷ୍ଟି କରିଛି।  ଏହି ସମୟରେ ସାମାନ୍ୟ ହେଳା କଲେ ବଡ଼ ବିପଦ ସୃଷ୍ଟି କରିପାରେ। ତେଣୁ ସମସ୍ତେ ପ୍ରଶାସନକୁ ସ୍ଥାନାନ୍ତରରେ ସହଯୋଗ କରିବା ସହ ଡବଲ୍ ମାସ୍କ ପିନ୍ଧିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ବାତ୍ୟାଞ୍ଚଳର ପ୍ରତ୍ୟେକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇବା ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି।

ବାତ୍ୟା ୟାସ୍ ଯୋଗୁଁ ଅଧିକ ପ୍ରଭାବିତ ହେବ ଉତ୍ତର ଏବଂ ଉପକୂଳ ଓଡ଼ିଶା। ବିଶେଷ କରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂପୁର ଜିଲ୍ଲା ପ୍ରତି ଅଧିକ ବିପଦ ଆଶଙ୍କା କରି ମୁକାବିଲା ପାଇଁ ପ୍ରସ୍ତୁତି ଜାରି ରହିଛିା ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ଯେ, ୨୨ଟି NDRF ଟିମ୍ ଗ୍ରାଉଣ୍ଡକୁ ପଠାଯାଇଛି। ଆଉ ୩୦ ଟିମ୍ ଆସୁଛନ୍ତି। ଓଡ୍ରାଫ୍ ଟିମ୍ ୫୦ରୁ ୬୦ ଓ ୧୭୫ ରୁ ୨ଶହ ଟି ଅଗ୍ନିଶମ ଟିମ୍ ପ୍ରସ୍ତୁତ ରଖାଯାଇଛି । ତାହା ମଧ୍ୟରେ ୩୫ଟି ଗଛକଟା ଟିମ୍, ପୂର୍ତ୍ତର ୧୬୫ ଓ ଗ୍ରାମ୍ୟ ଉନ୍ନୟନର ୩ଶହ ଟିମ୍ ପ୍ରସ୍ତୁତ ରହିଛନ୍ତି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ଆସନ୍ତାକାଲି ଦ୍ୱିପହର ସୁଦ୍ଧା ସ୍ଥାନାନ୍ତରଣ ପ୍ରକ୍ରିୟା ସରିବ। ସେହିପରି ଚିହ୍ନଟ ହୋଇଥିବା ୬ହଜାର ୫ ଶହ ଆସନ୍ନ ପ୍ରସବାଙ୍କୁ ବିଭିନ୍ନ ସ୍ଥାନରେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି।

ବାତ୍ୟା ୟାସ୍ ଲ୍ୟାଣ୍ଡ ଫଲ୍ କରିବା ପରେ ସବୁଠୁ ବଡ଼ ଫୋକସ୍ ରହିବ ରିଲିଫ୍ ଏବଂ ରେସ୍କ୍ୟୁ ଅପରେସନ୍। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା, ଜଗତସିଂପୁର, ଭଦ୍ରକ, ଯାଜପୁର ଏବଂ ମୟୁରଭଞ୍ଜ ପାଇଁ ୫ ଜଣ ବରିଷ୍ଠ ଆଇଏଏସ୍ ଏବଂ ୫ ଜଣ ଆଇପିଏସଙ୍କୁ ଦାୟିତ୍ୱ ଦିଆଯାଇଛିା କେନ୍ଦ୍ରାପଡ଼ା ପାଇଁ ହେମନ୍ତ ଶର୍ମା, ଜଗତସିଂହପୁର ଲାଗି ଶାଶ୍ୱତ ମିଶ୍ର, ଭଦ୍ରକ ଜିଲ୍ଲା ପାଇଁ ଭିଭି ଯାଦବ, ବାଲେଶ୍ୱର ପାଇଁ ବିଶାଳ ଦେବ ଏବଂ ମୟୂରଭଞ୍ଜ ଜିଲ୍ଲା ଦାୟିତ୍ୱରେ ରହିବେ ସୁରେଶ ବଶିଷ୍ଟ। ସେହିଭଳି ୫ ଆଇପିଏସଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ପାଇଁ ଜୟନାରାୟଣ ପଙ୍କଜ, ଜଗତସିଂହପୁର ପାଇଁ ଅମିତାଭ ଠାକୁର, ଭଦ୍ରକ ପାଇଁ ଅମିତେନ୍ଦ୍ର ନାଥ ସିହ୍ନା, ବାଲେଶ୍ୱର ପାଇଁ ଦୀପ୍ତେଶ ପଟ୍ଟନାୟକ ଏବଂ ମୟୂରଭଞ୍ଜ ପାଇଁ  ଅନିରୁଦ୍ଧ କୁମାର ସିଂହଙ୍କୁ ଦାୟିତ୍ୱ ଦିଆଯାଇଛି।

ବରିଷ୍ଠ ଅଧିକାରୀ ହେମନ୍ତ ଶର୍ମା କେନ୍ଦ୍ରାପଡ଼ା ଯାଇ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସେହିପରି ଆଇନ୍ ଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠୱା ବାଲେଶ୍ୱର ଓ ଭଦ୍ରକ ଯାଇ ସେଠାରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ତେଣେ କେନ୍ଦ୍ରାପଡ଼ା ଯାଇ ଡିଜିପି ଅଭୟ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ମଧ୍ୟ ସମୀକ୍ଷା କରିଛନ୍ତି।

You might also like