ସ୍ୱାସ୍ଥ୍ୟ କ୍ଷେତ୍ରକୁ ସରକାରଙ୍କ ଗୁରୁତ୍ୱ, ବଜେଟ୍‌ରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ମିଳିଲା ୧୩ ହଜାର କୋଟି…

ଭୁବନେଶ୍ୱର: ରାଜ୍ୟରେ ସ୍ୱାସ୍ଥ୍ୟସେବା ପାଇଁ ମୋଟ୍ ୧୩ ହଜାର କୋଟି ଟଙ୍କା ବଜେଟରେ ବ୍ୟୟ ବରାଦ କରିଛନ୍ତି ରାଜ୍ୟ ସରକାର।ଜନସ୍ୱାସ୍ଥ୍ୟ ପାଇଁ ୯ ହଜାର ୧୬୪ କୋଟି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହଜାରେ ୩୫୩ କୋଟି ବ୍ୟୟବରାଦ ହୋଇଛି। ରାସ୍ତାରେ ଘଟୁଥିବା ବିଭିନ୍ନ ଦୁର୍ଘଟଣାକୁ ନଜରରେ ରଖି ଗୁରୁତରଙ୍କୁ ଚିକିତ୍ସା ପାଇଁ ଫ୍ରି ଟ୍ରମା କେୟାର ଯୋଜନା ଆରମ୍ଭ ହୋଇଛି। ଏଥିପାଇଁ ୪୦ କୋଟି ବ୍ୟୟ ବରାଦ କରାଯାଇଛି।

କଟକ SCB ମେଡିକାଲ୍କୁ ଏମ୍ସ ପ୍ଲସ କରିବାକୁ ୩୫୦୦ କୋଟି ବ୍ୟୟ ଯୋଜନା ରହିଛି। ତା ପୂର୍ବରୁ ଏ ବର୍ଷ ୫ ଶହ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାଯାଇଛି। ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ, ନିର୍ମଳ ଯୋଜନା, ଜିଲ୍ଲାର ସମସ୍ତ ହସ୍ପିଟାଲରେ ନୂତନ ଉପକରଣ ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ବ୍ୟୟ ବରାଦ ହୋଇଛି। ପୁରୀ ପାଇଁ ଅବଢ଼ା ଯୋଜନାରେ ୫୪୨ କୋଟି ବ୍ୟୟବରାଦ କରାଯାଇଥିବା ବେଳେ ଏକାମ୍ର କ୍ଷେତ୍ର ପାଇଁ ୨ଶହ ଓ ସମଲେଇ ପାଇଁ ୨ଶହ କୋଟି ବ୍ୟୟବରାଦ ହୋଇଛି। ସେହିପରି ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ୧୦ କୋଟି ବ୍ୟୟ ବରାଦ କରାଯାଛି।

ସେହିପରି ଭାବରେ ଆର୍ଥିକ ବର୍ଷ ୨୦୨୧-୨୨ରେ ରାଜ୍ୟ ସରକାର ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ସରକାର ୨୪, ୩୭୦ କୋଟିର ବଜେଟ୍‌ ରଖିଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ବିଧାନସଭାରେ ଉପସ୍ଥାପିତ ହୋଇଥିବା ବଜେଟ୍‌ରେ ଆଦର୍ଶ ସ୍କୁଲ ପାଇଁ ୨୮୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ୯୫୭ କୋଟି ବ୍ୟୟବରାଦ ହୋଇଥିବା ବେଳେ ମୋ ସ୍କୁଲ ପାଇଁ ୨୫୩ କୋଟି ଓ ମୋ କଲେଜ ପାଇଁ ୭ କୋଟି ବ୍ୟୟବରାଦ ହୋଇଛି। ଅନ୍ୟପଟେ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ସେହିପରି ଟଙ୍କିକିଆ ଚାଉଳ ଯୋଗାଣ ପାଇଁ ମଧ୍ୟ ବ୍ୟୟ ମଞ୍ଜୁର କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ୧ ଟଙ୍କାରେ ଚାଉଳ ଯୋଗାଣ ପାଇଁ ୯୬୯ କୋଟି ବ୍ୟୟବରାଦ ହୋଇଛି। ତା ସହିତ ବିପର୍ଯ୍ୟୟ ସହନୀୟ ବିଦ୍ୟୁତ୍‌ ଯୋଗାଣ ପାଇଁ ୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର।

ହାତୀ କରିଡ଼ର ବିଦ୍ୟୁତ୍‌ ଯୋଗାଣ ପାଇଁ ୧୨୦ କୋଟି ମଞ୍ଜୁର ହୋଇଥିବା ବେଳେ ବିଜୁ ଏକ୍ସପ୍ରେସ ୱେ ପାଇଁ ମଧ୍ୟ ଶହେ କୋଟି ବ୍ୟୟବରାଦ କରିଛନ୍ତି ଅର୍ଥମନ୍ତ୍ରୀ। ବିଜୁ ସେତୁ ଯୋଜନା ପାଇଁ ୯୧୨ କୋଟି ଟଙ୍କା ବ୍ୟୟବରାଦ। ନୂଆ ବିମାନ ବନ୍ଦର ଜମି ଅଧିଗ୍ରହଣ ପାଇଁ ଶହେ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

You might also like