ଡଙ୍କାରୀ ଲୁଟ୍ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କଲେ ଏନ୍‌ଜିଟି

ଯାଜପୁର: ଜିଲ୍ଲା ଡଙ୍କାରୀରେ ବେଆଇନ୍ ଖନନ ମାମଲାରେ ରାଜ୍ୟ ସରକାରଙ୍କୁ ଏନ୍‌ଜିଟି ପ୍ରହାର। ବର୍ଷ ବର୍ଷ ଧରି ଚାଲିଥିବା ବେଆଇନ୍ ଖାଦାନ ଲୁଟ୍ ପାଇଁ ସିଧାସଳଖ ସରକାରଙ୍କୁ ଦାୟୀ କରିଛନ୍ତି ଏନ୍‌ଜିଟି। ଏପରିକି ନଷ୍ଟ ହୋଇଥିବା ପରିବେଶର ଭରଣା ପାଇଁ ମାସକ ଭିତରେ ଅନ୍ତରୀଣ ଭାବେ ୨୫ କୋଟି ପୈଠ ପାଇଁ ନିର୍ଦ୍ଦେଶ ବି ଦେଇଛନ୍ତି। ଡଙ୍କାରୀ ଲୁଟ୍ ପାଇଁ ଆଇନ୍ ଆଖିରେ ଆଙ୍ଗୁଳି ଗେଞ୍ଜି ବର୍ଷ ବର୍ଷ ଧରି ଚାଲିଥିବା ବେଆଇନ୍ ଖନନ ପାଇଁ ଦାୟିତ୍ୱରେ ଥିବା ଅଧିକାରୀ ଦାୟୀ ବୋଲି ଏନ୍‌ଜିଟି କହିଛନ୍ତି।

ଗତ ୪ ତାରିଖରେ ନ୍ୟାସ୍ନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଦେଇଥିବା ରାୟରେ ଡଙ୍କାରୀ ପାହାଡ଼ରେ ବେଆଇନ୍ ଖନନଜନିତ ପରିବେଶ ନଷ୍ଟ ପାଇଁ ରାଜ୍ୟ ସରକାର ନିଜ ମୁଣ୍ଡରୁ ଦୋଷ ଖସାଇ ପାରିବେ ନାହିଁ ବୋଲି ସ୍ପଷ୍ଟ କୁହାଯାଇଛି। କେବଳ ସେତିକି ନୁହେଁ ଅନ୍ତରୀଣ କ୍ଷତିପୂରଣ ବାବଦକୁ ସେଣ୍ଟ୍ରାଲ୍ ପଲ୍ୟୁସନ୍ କଣ୍ଟ୍ରୋଲ୍‌ ବୋର୍ଡ ନିକଟରେ ୨୫ କୋଟି ଟଙ୍କା ଦାଖଲ କରିବାକୁ ନିର୍ଦ୍ଦେଶ ବି ଦେଇଛନ୍ତି। ଏନ୍‌ଜିଟି ଏଥିସହ ଦାୟୀ ଅଫିସର, ଖଣି ଓ କ୍ରସର ମାଫିଆଙ୍କଠାରୁ ଏଇ ଅର୍ଥ ଭରଣା ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି।

ବେଆଇନ୍ ଖନନଦ୍ୱାରା କେତେ ରାଜସ୍ୱ ହାନି ହୋଇଛି, ବାସ୍ତବରେ ପରିବେଶକୁ କେତେ କ୍ଷତି ହୋଇଛି, ବର୍ତ୍ତମାନ ସମୟରେ ଏହାର କ୍ଷତିଭରଣା ପାଇଁ କେତେ ଅର୍ଥ ଦରକାର, ଏସବୁର ଆକଳନ ପାଇଁ ଧାନବାଦ ସ୍ଥିତ ଇଣ୍ଡିଆନ୍ ସ୍କୁଲ୍ ଅଫ୍ ମାଇନ୍ସ ଏବଂ ଡେରାଡୁନ୍ ସ୍ଥିତ ଫରେଷ୍ଟ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ସଦସ୍ୟଙ୍କୁ ନେଇ ଏନ୍‌ଜିଟି ଏକ ଟିମ୍ ମଧ୍ୟ ଗଠନ କରିଛି। ଏହି ଟିମ୍ ଦ୍ୱାରା ସରଜମିନ ତଦନ୍ତ ପରେ ପ୍ରକୃତ କ୍ଷତିପୂରଣ ରାଶି ସ୍ଥିର କରାଯିବ ବୋଲି ଟ୍ରିବୁନାଲ୍ କହିଛନ୍ତି।

ସେଣ୍ଟ୍ରାଲ୍ ପଲ୍ୟୁସନ୍‌ କଣ୍ଟ୍ରୋଲବୋର୍ଡ ନିକଟରେ ମାସକ ମଧ୍ୟରେ ୨୫ କୋଟିର କ୍ଷତିପୂରଣ ରାଶି ପ୍ରଦାନ ପାଇଁ ଏନ୍‌ଜିଟିଙ୍କ ରାୟରେ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଏପରିକି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଇମେଲ୍ ଯୋଗେ ଏଇ ନିର୍ଦ୍ଦେଶ ପଠାଯାଇଥିବା ରାୟରେ ଉଲ୍ଲେଖ ରହିଛି। ହେଲେ ଉଦ୍‌ବେଗର କଥା ହେଲା ୩ ସପ୍ତାହ ପରେ ବି ସରକାର ଓ ସ୍ଥାନୀୟ ପ୍ରଶାସନ କହୁଛନ୍ତି, ଚିଠି ମିଳିନି। ଏପରିକି ଖୋଦ୍ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି ମତେ ଏ ବିବାଦରେ ପୂରାଅନି।

ଯାଜପୁର ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ନିଶ ତଳେ ବର୍ଷ ବର୍ଷ ଧରି ଚାଲିଥିଲା ଡଙ୍କାରୀ ପାହାଡ଼ ଲୁଟ୍। ପାହାଡ଼ର ମାତ୍ର ୪ଟି ଉତ୍ସ ପାଇଁ ପରିବେଶ ମଞ୍ଜୁରୀ ମିଳିଥିଲେ ବି ୧୫ ବର୍ଷ ଧରି ୧୬ଟି ଉତ୍ସର ଚାଲିଥିଲା ବେଆଇନ୍ ପଥର ଖାଦାନ। ଯାହା ଫଳରେ ମାମଲା ଏନ୍‌ଜିଟିକୁ ଗଲା। ଗଣମାଧ୍ୟମରେ ଖବର ପ୍ରସାରଣ ଓ ଏନ୍‌ଜିଟିର ଛାଟ ପରେ ଗତବର୍ଷ ଅକ୍ଟୋବର୍ ମାସରେ ଚେଇଁଥିଲେ ସରକାର। ପଥର ଖାଦାନ ହେଲେ ଏବେ ପ୍ରଶ୍ନ ଏନ୍‌ଜିଟି ସିଧାସଳଖ ସରକାରଙ୍କୁ ଏଥିପାଇଁ ଦାୟୀ କରିବା ପରେ ୨୫ କୋଟି କେବେ ପୈଠ କରିବେ ସରକାର?

You might also like