କରୋନା ପାଇଁ ଲାଗିଥିବା ସରକାରୀ ଖର୍ଚ୍ଚ କଟକଣାକୁ କୋହଳ କଲା ରାଜ୍ୟ ଅର୍ଥ ବିଭାଗ
ଭୁବନେଶ୍ୱର: କରୋନା ମହାମାରୀ ପାଇଁ ସରକାରୀ ଖର୍ଚ୍ଚରେ ଲାଗିଥିବା କଟକଣାକୁ କିଛି ମାତ୍ରାରେ ହଟାଇଛି ରାଜ୍ୟ ଅର୍ଥ ବିଭାଗ। ଏନେଇ ଅର୍ଥ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ଚିଠି ଲେଖି ଅବଗତ କରାଯାଇଛି।
ଗତ ଜୁଲାଇ ୭ ତାରିଖରେ ବିଭିନ୍ନ ବିଭାଗର ଖର୍ଚ୍ଚ ଉପରେ କଟକଣା ଲଗାଇଥିଲା ଅର୍ଥ ବିଭାଗ। ମହାମାରୀ ଯୋଗୁ ଅର୍ଥନୀତି ଉପରେ କୁପ୍ରଭାବ ପଡ଼ିଥିବାରୁ ଏଭଳି କଟକଣା ଲଗାଯାଇଥିଲା। ଏବେ ଅର୍ଥନୀତିରେ କିଛିଟା ସୁଧାର ଆସିଥିବାରୁ ଏହି କଟକଣାକୁ କୋହଳ କରାଯାଇଛି। ଏଷ୍ଟାବ୍ଲିସ୍ମେଣ୍ଟ ବ୍ୟୟରେ କିଛିଟା କୋହଳ କରାଯାଇଛି।
ପୂର୍ବର କେବଳ ମେଡିକାଲ ସାମଗ୍ରୀ କିଣିବାକୁ ଅନୁମତି ଥିବା ବେଳେ ଏବେ ଅର୍ଥ ବିଭାଗର ବିନା ଅନୁମତିରେ ଡିଜିଟାଲ କମ୍ୟୁନିକେସନ ପାଇଁ ଆବଶ୍ୟକ ସରଞ୍ଜାମ କିଣି ହେବ। ବିଭାଗମାନେ ବାର୍ଷିକ ବଜେଟର ୬୦ ପ୍ରତିଶତ ବଦଳରେ ୭୫ ପ୍ରତିଶତ ଖର୍ଚ୍ଚ କରିପାରିବେ। ପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ବାର୍ଷିକ ବଜେଟର ୬୦ରୁ ୭୫ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଚାଲୁ ରହିଥିବା ଯୋଜନା ପାଇଁ ନୂଆ ଟେଣ୍ଡର ଆହ୍ୱାନ କରାଯାଇପାରିବ।
ଏଣିକି ଗୃହ ନିର୍ମାଣ, ଗାଡ଼ି ଓ କମ୍ପ୍ୟୁଟର କିଣା ପାଇଁ ଦୀର୍ଘକାଳୀନ ଅଗ୍ରୀମ ଅର୍ଥ ନେଇପାରିବେ କର୍ମଚାରୀ। ଉନ୍ନୟନମୂଳକ କାର୍ଯ୍ୟର ଆବଶ୍ୟକତା ଦୃଷ୍ଟିରୁ କଟକଣା କୋହଳ କରିଥିବା ଅର୍ଥ ବିଭାଗ ଚିଠିରେ ଦର୍ଶାଇଛି।