ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ

ରାଜ୍ୟରେ କମୁଛି ସଂକ୍ରମଣ

ଭୁବନେଶ୍ୱର: ଭିଡିଓ କନଫେରେନ୍ସିଂ ଜରଆରେ ହୋଇଛି ରାଜ୍ୟ କୋଭିଡ୍ ପରାମର୍ଶଦାତା କମିଟିର ପ୍ରଥମ ବୈଠକ। ବୈଠକରେ ବିଶେଷଜ୍ଞଙ୍କ ପରାମର୍ଶ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ। କୋଭିଡ୍ ମୁକାବିଲା ଓ ମଜଭୁତ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ମତାମତ ଲୋଡିବା ସହ ରାଜ୍ୟରେ କରୋନା ଦ୍ୱିତୀୟ ଲହରରେ ସଂକ୍ରମଣ କମୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ରାଜ୍ୟରେ କରୋନା ନିୟନ୍ତ୍ରଣରେ ଅଛି, ସଠିକ୍ ପଦକ୍ଷେପ ନିଆଯାଉଛି। କିଛି ଜିଲ୍ଲାକୁ ବାଦ୍ ଦେଲେ ରାଜ୍ୟରେ କରୋନା ଟ୍ରେଣ୍ଡ୍ ତଳକୁ ଖସୁଛି। ବୈଠକରେ ପରବର୍ତ୍ତୀ କରୋନା ଲହରକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ନବୀନ। ଶିଶୁଙ୍କ କ୍ଷେତ୍ରରେ ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ନେଇ ଚିନ୍ତା ବ୍ୟକ୍ତ ସହ ଆଗକୁ ଶିଶୁଙ୍କୁ ସଂକ୍ରମଣ ମୁକ୍ତ ରଖିବା ବଡ ଆହ୍ୱାନ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ସେହିପରି କୋଭିଡ ପରାମର୍ଶଦାତା କମିଟିର ଚେୟାରମ୍ୟାନ ଡାକ୍ତର କେ.ଶ୍ରୀନାଥ ରେଡ୍ଡୀ, କୋଭିଡ ମୁକାବିଲା ନେଇ ଆଗୁଆ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ଏପଟେ ଓଡ଼ିଶା କୋଭାକ୍ସିନ ପରୀକ୍ଷଣ ମୁଖ୍ୟ ପ୍ରଫେସର ଇ. ଭେଙ୍କେଟ୍ ରାଓଙ୍କ ମତ ଅନୁଯାୟୀ, ୧୮ରୁ ୪୪ ବର୍ଷ ବୟସ ମଧ୍ୟରେ ପ୍ରାୟ ୨ କୋଟି ଲୋକଙ୍କୁ ଭ୍ୟାକସିନ୍ ଦେବାର ଆବଶ୍ୟକତା ରହିଛି। ସେହିପରି ଡାକ୍ତର ଲଳିତ କାନ୍ତଙ୍କ କହିବାନୁଯାୟୀ, ଆମ ଦେଶରେ ଆସନ୍ତା ଅଗଷ୍ଟ ବେଳକୁ କୋଭାକ୍ସିନ୍ ଟିକା ମାସକୁ ୭ କୋଟି ୮୨ ଲକ୍ଷ ଉତ୍ପାଦନ ହେଉଥିବ।

ସେହିପରି କୋଭିସିଲଡ ଟିକା ଉତ୍ପାଦନ ମାସକୁ ୧୦କୋଟିରେ ପହଞ୍ଚି ଥିବ ଏହା ସହ ଅନ୍ୟ କମ୍ପାନୀର ଟିକା ମଧ୍ୟ ଉପଲବ୍ଧ ହେବ। ଡାକ୍ତର ରମାକାନ୍ତ ପଣ୍ଡାଙ୍କ କହିବାନୁଯାୟୀ, ଏଭଳି ମହାମାରୀ କୋଭିଡ ପରିଚାଳନା ପାଇଁ ଓଡ଼ିଶାର ସବୁଠୁ ଭଲ ଅଭିଜ୍ଞତା ରହିଛି। ଏପଟେ ଲକଡାଉନ କରାଯିବାଠାରୁ ପ୍ରତ୍ୟେତକଙ୍କୁ ଭ୍ୟାକସିନ୍ ଯୋଗାଇ ଦେବା ସବୁଠୁ ଫଳପ୍ରଦ ବୋଲି କହିଛନ୍ତି ଡାକ୍ତର ଦେବୀ ସେଠୀ। ସେହିପରି ଯେଉଁମାନେ କରୋନାରେ ଆକ୍ରାନ୍ତ ହେବା ସମ୍ଭାବନା ଅଧିକ ସେମାନଙ୍କୁ ଚିହ୍ନଟ କରାଯାଇ ଆଗୁଆ ଭ୍ୟାକସିନ ଦେବାକୁ ପରାମର୍ଶ ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡା।

ସେପଟେ ଶିଶୁଙ୍କୁ ସ୍ତନ୍ୟପାନ କରାଉଥିବା ମାଆ ଏବଂ ଗର୍ଭବତୀ ମହିଳାଙ୍କୁ ଆଗୁଆ ଟିକା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର ମୃଦୁଳା ଫାଡକେ। ଗ୍ରାମାଞ୍ଚଳ ଲୋକଙ୍କ ସହ ପ୍ରବାସୀଙ୍କୁ ଟିକା ଦେବା ପାଇଁ ଗୁରୁତ୍ୱାରୋପ କରିଛନ୍ତି ଡାକ୍ତର ସୁବ୍ରତ ଆଚାର୍ଯ୍ୟ। ଏପଟେ ରାଜ୍ୟରେ ଆଜି ବି ୧୦ ହଜାର ତଳକୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯଦିଓ ଆଜିକୁ ମିଶାଇ ଗତ ୩ ଦିନ ହେବ ରାଜ୍ୟରେ ୧୦ ହଜାର ତଳକୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ହେଲେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ୭,୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

You might also like