ଭୁବନେଶ୍ୱର: ଚଳିତବର୍ଷ ସଂଗ୍ରହ ହେବ ୬୦ଲକ୍ଷ ଟନ୍ ଧାନ। ଏହାସହ ୪୧ଲକ୍ଷ ଟନ୍ ଚାଉଳ ସଂଗ୍ରହ ହେବ । ଆଜି ବସିଥିବା ରାଜ୍ୟ କ୍ୟାବିନେଟରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ
ପୂର୍ବରୁ ଧାନ ବିକ୍ରିର ୪୮ରୁ ୭୨ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଟଙ୍କା ମିଳୁଥିବାବେଳେ ବର୍ତ୍ତମାନ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ଧାନ ସଂଗ୍ରହରେ ପାକ୍ସ, ଲାମ୍ପସ ସହ SHG ମହିଳା ସାମିଲ ହେବେ। ଗତବର୍ଷ ଧାନ ସଂଗ୍ରହ ଲକ୍ଷ୍ୟ ୫୫ ଲକ୍ଷ ଟନ୍ ଥିବାବେଳେ ଚଳିତ ବର୍ଷ ଆହୁରି ୫ ଲକ୍ଷ ଟନ୍ ବଢାଯାଇ ୬୦ ଲକ୍ଷ ଟନ୍କୁ ବୃଦ୍ଧି କରାଯାଇଛି ।
ସବୁ ଚାଷୀଙ୍କ ଠାରୁ ଧାନ କିଣାଯିବା ନେଇ ଯୋଜନା ଥିବାରୁ ଲକ୍ଷ୍ୟଧାର୍ଯ୍ୟ ବୃଦ୍ଧି କରାଯାଇଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ସେହିପରି ବରମୁଣ୍ଡା ବସଷ୍ଟାଣ୍ଡର ନବକଳେବର ନେଇ ମଧ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ।
ବସ୍ଷ୍ଟାଣ୍ଡ ନବୀକରଣ ପାଇଁ ୧୭୦କୋଟି ଟଙ୍କା ଖର୍ଚ୍ଚ ହେବ। ୨ ବର୍ଷରେ ବସ୍ଷ୍ଟାଣ୍ଡ ନବୀକରଣ କାର୍ଯ୍ୟ ହେବ। ଆଜି ବସିଥିବା କ୍ୟାବିନେଟ୍ରେ ସମୁଦାୟ ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି।