ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ କିଛିଦିନ ଧରି ଷ୍ଟାଫ୍ ନର୍ସଙ୍କ ମନମାନି ଯୋଗୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ଗତ ୧୦ ତାରିଖରେ ମେଡିକାଲ୍ର ଜଣେ ଷ୍ଟାଫ ନର୍ସ ଡେଲିଭରି ରୋଗୀଙ୍କୁ ହଜାରେ ଟଙ୍କା ମାଗିଥିଲେ। ତେବେ ରୋଗୀଙ୍କ ସଂପର୍କୀୟ ୩ ଶହ ଟଙ୍କା ଦେବାରୁ ତାଙ୍କୁ ନର୍ସ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।
ପରେ ନର୍ସଙ୍କୁ ରୋଗୀଙ୍କ ସଂପର୍କୀୟ ଠେଲାପେଲା କରିଥିଲେ। ଏହାର ପ୍ରତିବାଦରେ ଗତ ୧୦ ତାରିଖରେ ଷ୍ଟାଫ ନର୍ସ ୪ ଘଣ୍ଟା କାମ ବନ୍ଦ କରିଥିଲେ।
ଏହା ସହିତ ରୋଗୀଙ୍କ ସଂପର୍କୀୟକୁ ଗିରଫ କରିବା ପାଇଁ ଗତକାଲି ପୁଣିଥରେ ନର୍ସମାନେ ଆନ୍ଦୋଳନରେ ବସିଥିଲେ। ସକାଳ ସାଢେ ୮ ଟାରୁ ଷ୍ଟାଫ ନର୍ସମାନେ ସାଢ଼େ ୨ଟା ପର୍ଯ୍ୟନ୍ତ ସିଡିଏମଓଙ୍କ ଅଫିସ ଆଗରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ଏହା ଯୋଗୁ ପ୍ରାୟ ୫ଘଣ୍ଟା ଧରି ମେଡିକାଲ୍ରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିଲା। ରୋଗୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ମଧ୍ୟ କେହି ଶୁଣି ନ ଥିଲେ।
ଶେଷରେ ବାଧ୍ୟ ହୋଇ କିଛି ରୋଗୀ ଘରୋଇ ଡାକ୍ତରଖାନାକୁ ଚାଲି ଯାଇଥିବା ଦେଖିବାକୁ ମିଳିଥିଲା। ଶେଷରେ ଜିଲ୍ଲାପାଳ ସିଡିଏମଓ ଓ ସୁପରିଟେଣ୍ଡେଣ୍ଟଙ୍କୁ ଡାକି ନର୍ସମାନଙ୍କୁ କାମରେ ଯୋଗଦେବାକୁ ପରାମର୍ଶ ଦେଇଥିଲେ।
ମେଡିକାଲରେ କାର୍ଯ୍ୟରତ ଷ୍ଟାଫ ନର୍ସଙ୍କୁ ସୁରକ୍ଷା ଯୋଗାଇଦେବା ସହିତ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଉପ-ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ।