ଶ୍ରୀମନ୍ଦିର ନୀଳଚକ୍ର ବାନାରେ ପଡିଲା ଶୂନ୍ୟ ଗଣ୍ଠି

ପୁରୀ: ଶ୍ରୀମନ୍ଦିର ନୀଳଚକ୍ର ବାନାରେ ପଡିଲା ଶୂନ୍ୟ ଗଣ୍ଠି। ଗତକାଲି କାଳବୈଶାଖୀ ବର୍ଷାରେ ମୁଖ୍ୟ ଧ୍ୱଜା ନଇଁ ପଡ଼ିଥିଲା, ଏପରିକି ବାଉଁଶ ବି ନଇଁ ଯାଇଥିଲା, ହେଲେ ଧ୍ୱଜା ଅକ୍ଷୁର୍ଣ୍ଣ ରହିଲା। ସନ୍ଧ୍ୟାରେ ଯେତେବେଳେ ଚୁନରା ସେବକ ଧ୍ୱଜା ବା ନୀଳଚକ୍ର ବାନା ପରିର୍ତ୍ତନ କରିବା ପାଇଁ ଶ୍ରୀମନ୍ଦିର ଚୂଡାରେ ଚଢ଼ିଲେ ସେତେବେଳେ ଶୂନ୍ୟରେ ବାନା ଗୁଡାଇ ହୋଇ ଗଣ୍ଠି ପଡ଼ିଥିବା ଦେଖିବାକୁ ପାଇଥିଲେ। ଯାହାକି ଅତ୍ୟନ୍ତ ବିରଳ ଘଟଣା ବୋଲି ସେ କହିଛନ୍ତି।

ଯେତେବେଳେ ଶ୍ରୀମନ୍ଦିର ନୀଳଚକ୍ରରେ ୧୫୧ ହାତ ବାନା ଲଗାଯାଉଥିଲା, ସେତେବେଳେ ଅନେକ ସମୟରେ ଶୂନ୍ୟ ଗଣ୍ଠି ପଡ଼ୁଥିଲା। କିନ୍ତୁ ଯେବେଠାରୁ ୧୪ ହାତିଆ ବାନା ଲାଗୁଛି, ଆଉ ଶୂନ୍ୟ ଗଣ୍ଠି ଦେଖିବାକୁ ମିଳୁନାହିଁ। ତେବେ ଅନେକ ବର୍ଷ ପରେ ଆଜି ଏହି ସୁଯୋଗ ଦେଖିବାକୁ ମିଳିଛି ବୋଲି ପାଳିଆ ଚୂନରା ସେବକ ଡାକ୍ତର ଶରତ ମହାନ୍ତି କହିଛନ୍ତି। ଏହି ଗଣ୍ଠି ଏପରି ପଡିଥାଏ ତାକୁ ଛୁରୀ କାଟିଲେ ମଧ୍ୟ ଏହା ଖୋଲିବ ନାହିଁ ବୋଲି ସେ କହିଛନ୍ତି।

ବରିଷ୍ଠ ଚୂନରା ସେବକ ଡକ୍ଟର ଶରତ ମହାନ୍ତି କହିଛନ୍ତି, ‘ଶୂନ୍ୟ ଗଣ୍ଠି ହେଉଛି ଅତ୍ୟନ୍ତ ବିରଳ ଜିନିଷ। ଶ୍ରୀମନ୍ଦିର ଚୂଡ଼ାରେ ପତିତପାବନ ଗୁଡ଼ିକ ପରସ୍ପର ମଧ୍ୟରେ ଛନ୍ଦି ହୋଇ ଗଣ୍ଠି ପଡ଼ିଥାନ୍ତି। ଏହି ଗଣ୍ଠିକୁ ଖୋଲିବା କଷ୍ଟକର ହୋଇଥାଏ। ଅନେକ ସମୟରେ ଶୂନ୍ୟ ଗଣ୍ଠି ପଡ଼ିଥାଏ। କିନ୍ତୁ ପ୍ରବଳ ପବନ କିମ୍ବା ଝଡ଼ବର୍ଷା ହେଲେ ଅତ୍ୟଧିକ ବାନା ଯଦି ନୀଳଚକ୍ରରେ ବନ୍ଧା ଯାଇଥାଏ, ସେମାନେ ପରସ୍ପର ମଧ୍ୟରେ ଦୋଳାୟମାନ ହୋଇ ଗଣ୍ଠି ପଡ଼ିଯାଏ। ପ୍ରାକୃତିକ ଉପାୟରେ ଏହି ଗଣ୍ଠି ପଡ଼ିଥାଏ। ଏହି ଗଣ୍ଠିକୁ ସାଧାରଣତଃ କେହି ଖୋଲିବାକୁ ସକ୍ଷମ ହୋଇନଥାନ୍ତି।’

ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିଲା ।ଟ୍ୱିନ୍‌ସିଟି କଟକ ଓ ଭୁବନେଶ୍ୱର, ପୁରୀ ସମେତ ଅନେକ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଥିଲା। ଏହାସହ ବଜ୍ରପାତ ମଧ୍ୟ ହୋଇଥିଲା। ଜୋରରେ ପବନ ବହିବା ଯୋଗୁ କେଉଁଠି ଗଛ ଭାଙ୍ଗି ଯାଇଥିଲା ତ ଆଉ କେଉଁଠି ଟେଣ୍ଟ୍‌ ଘର ଭାଙ୍ଗି ଯାଇଥିଲା। ବଜ୍ରାଘାତରେ ଲୋକଙ୍କ ଜୀବନ ମଧ୍ୟ ଚାଲି ଯାଇଥିଲା।

You might also like