ସ୍ନାନ ନୀତିରେ ସାମିଲ ଗରାବଡୁ ସେବାୟତଙ୍କ କରୋନା ଟେଷ୍ଟ ହେବ

ପୁରୀ: ସ୍ନାନପୂର୍ଣ୍ଣିମା ପୂର୍ବରୁ ସ୍ନାନ ନୀତିରେ ସାମିଲ ଗରାବଡୁ ସେବାୟତଙ୍କ କରୋନା ଟେଷ୍ଟ କରାଯିବ। ଆଜି ନିଳାଦ୍ରୀ ଭକ୍ତ ନିବାସରେ ଗରାବଡୁ ସେବକଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର  ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ମୋଟ ୧୭୨ ଗରାବଡୁ ସେବକଙ୍କ କରୋନା ଟେଷ୍ଟ କରାଯିବ। ୨୯ ଏବଂ ୩୦ ତାରିଖରେ ସମସ୍ତଙ୍କ ଟେଷ୍ଟ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

୩ ତାରିଖ ମଧ୍ୟରେ ଟେଷ୍ଟ ରିପୋର୍ଟ ମିଳିଯିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରିଛି ଶ୍ରୀମନ୍ଦିର ପ୍ରଶାସନ। ୫ ତାରିଖ ସ୍ନାନ ଯାତ୍ରା ପୂର୍ବରୁ ରିପୋର୍ଟ ମିଳିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ଶ୍ରୀମନ୍ଦିର ଗରାବଡୁ ନିଯୋଗ ସଂପାଦକ ରଜତ ପ୍ରତିହାରୀ ସୂଚନା ଦେଇଛନ୍ତି। ଅନ୍ୟ ନିଯୋଗ ସହ ମଧ୍ୟ ଯୋଗାଯୋଗ କରାଯାଉଥିବା ଉନ୍ନୟନ ପ୍ରଶାସକ କହିଛନ୍ତି।

ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ନେଇ ସମ୍ଭାବନା ଦେଖାଦେଇଛି। ଅଳ୍ପ ସେବାୟତଙ୍କୁ ନେଇ ଚଳିତ ଥରର ସ୍ନାନ ଯାତ୍ରା କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ନିକଟରେ ୧୦ଟି ନିଯୋଗର ସେବାୟତଙ୍କୁ ନେଇ ବସିଥିବା ବୈଠକରେ ଏନେଇ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ସୂଚନା ମୁତାବକ, ଏଥର ସ୍ନାନ ପୂର୍ଣ୍ଣିମା ନେଇ ବରିଷ୍ଠ ସେବାୟତଙ୍କ ସହ ବୈଠକ ହୋଇଛି। କମ୍ ସଂଖ୍ୟକ ସେବାୟତ ସ୍ନାନ ନୀତିରେ ଯୋଗଦେବେ।

ଏନେଇ ୨୫ ତାରିଖ ସୁଦ୍ଧା ସେବାୟତଙ୍କ ଏକ ତାଲିକା ଶ୍ରୀମନ୍ଦିର ପ୍ରଶାସକଙ୍କୁ ଦେବାକୁ ଆଲୋଚନାରେ କୁହାଯାଇଛି। କିଏ କିଏ ସ୍ନାନ ଯାତ୍ରାରେ ଉପସ୍ଥିତ ରହିବେ, ନୀତି କେତେବେଳେ ହେବ ସେ ନେଇ ସବିଶେଷ ତାଲିକା ପ୍ରସ୍ତୁତ କରାଯିବ। ଏହାସହ ବୈଠକରେ ସ୍ନାନ ଯାତ୍ରା ନେଇ କିଛି ପ୍ରସ୍ତାବ ଦିଆଯାଇଛି।

You might also like