ଅନ୍‌ଲାଇନ୍‌ରେ ଶ୍ରୀମନ୍ଦିରର ମହାପ୍ରସାଦ ବିକ୍ରି ପ୍ରସଙ୍ଗ; ଏମିତି କହିଲେ ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ବିଭିନ୍ନ ସଂସ୍ଥା ଦ୍ୱାରା ଅନ୍‌ଲାଇନ୍‌ରେ ମହାପ୍ରସାଦ ବିକ୍ରି ଓ ଅନ୍‌ଲାଇନ୍‌ରେ ମହାପ୍ରଭୁଙ୍କୁ ନିମନ୍ତ୍ରଣ ଜଣାଇବା ଇତ୍ୟାଦି ବିଷୟ ଶ୍ରୀମନ୍ଦିର ପ୍ରଶାସନ ଦୃଷ୍ଟିକୁ ଆସିବା ପରେ ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନମାନଙ୍କୁ ଠାବ କରିବା ପାଇଁ ପୁଲିସ୍‌କୁ ଜଣାଇ ଦିଆଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇଛି।

ସୂଚନାଥାଉ କି, ଏବିଷୟରେ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା ଯେ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାହାରିକୁ ଏସବୁ କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯାଇ ନାହିଁ।

ତେବେ ୪/୫ଟି ସଂସ୍ଥା ଅନ୍‌ଲାଇନ୍‌ରେ ମହାପ୍ରସାଦ ବିକ୍ରି କରିବା ବିଷୟ ଶ୍ରୀମନ୍ଦିର ପ୍ରଶାସନର ଦୃଷ୍ଟିକୁ ଆସିବା ପରେ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇଛି।

ଶ୍ରୀମନ୍ଦିର ପ୍ରଶାସନ ଆହୁରି ମଧ୍ୟ ସ୍ପଷ୍ଟ କରିଛି ଯେ, ଏଗୁଡ଼ିକ ଶ୍ରୀମନ୍ଦିର, ପୁରୀର ପାରମ୍ପରିକ ବ୍ୟବସ୍ଥା ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ସତ୍ତ୍ୱାଧିକାର ହୋଇଥିବାରୁ ଯଦି କୌଣସି ବ୍ୟକ୍ତି ବିଶେଷ /ଅନୁଷ୍ଠାନ ଏଭଳି କୌଣସି ବ୍ୟବସ୍ଥା କରନ୍ତି ତେବେ ଆଇନ୍‌ ଅନୁଯାୟୀ ଦଣ୍ଡନୀୟ ହେବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

You might also like