ଶ୍ରୀକାନ୍ତ-ନିରଞ୍ଜନ କଳିରେ କାହ୍ନୁଙ୍କ ଏଣ୍ଟ୍ରି

ଏଆଇସିସିକୁ କାର୍ଯ୍ୟାନୁଷ୍ଠାନ ସୁପାରିଶ ନେଇ ଶୃଙ୍ଖଳା କମିଟି ଅଧ୍ୟକ୍ଷଙ୍କୁ ଟାର୍ଗେଟ୍

ଭୁବନେଶ୍ୱର : ଘନଉଛି କଂଗ୍ରେସ କଳି। ଶ୍ରୀକାନ୍ତ-ନିରଞ୍ଜନ ବିବାଦରେ ଏଣ୍ଟ୍ରି ମାରିଛନ୍ତି ବରିଷ୍ଠ ନେତା କାହ୍ନୁଚରଣ ଲେଙ୍କା। ଶ୍ରୀକାନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ପିସିସି ଶୃଙ୍ଖଳା କମିଟି, ଏଆଇସିସିକୁ ସୁପାରିଶ କରିବାକୁ ନାପସନ୍ଦ କରିଛନ୍ତି କାହ୍ନୁ। ଯାହା ଆପୋଷରେ ସମାଧାନରେ ହେବ, ତାକୁ ନେଇ ନାଟ କରିବାର କଣ ଆବଶ୍ୟକତା ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ତେବେ ଏଥିଲାଗି ସେ ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳଙ୍କ ଉପରେ ନିଶାନା ସାଧିଛନ୍ତି। ଯେଉଁ କଥା ଦଳ ଭିତରେ ରହିବା କଥା, ତାକୁ ସର୍ବସାଧାରଣରେ ପ୍ରକାଶ କରି ଶୃଙ୍ଖଳା କମିଟି ଅଧ୍ୟକ୍ଷ ନିଜେ ବିଶୃଙ୍ଖଳା କରୁଛନ୍ତି ବୋଲି ଯୁକ୍ତି ବାଢ଼ିଛନ୍ତି କାହ୍ନୁ।

ବରିଷ୍ଠ ନେତା ସୁର ରାଉତରାୟ ମଧ୍ୟ ନିରଞ୍ଜନଙ୍କ ଏକ୍‌ଲା ଚଲୋ ନୀତିକୁ ନାପସନ୍ଦ କରିଛନ୍ତି। ଯିଏ କଂଗ୍ରେସରେ ରହି ଦଳ ବିରୋଧୀ କାମ କରିବ, ତାକୁ ଆମେ ବିଦା କରିବୁ, ଏଆଇସିସି ଯାଏଁ କଥା ଯିବନି ବୋଲି କହିଛନ୍ତି ସୁର।

ସେପଟେ ଶ୍ରୀକାନ୍ତ-ନିରଞ୍ଜନ କଳିକୁ ନେଇ ଆଜି ପୁଣି ମୁହଁ ଖୋଲିଛନ୍ତି ବିଧାୟକ ପଦ ଛାଡିଥିବା କୃଷ୍ଣ ସଗରିଆ। ପଛୁଆ ବର୍ଗର ଜଣଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ପ୍ରସଙ୍ଗକୁ ନେଇ ସେ ପିସିସି ସଭାପତିଙ୍କୁ ଟାର୍ଗେଟ କରିଛନ୍ତି।

ପଟ୍ଟନାୟକ ବୋଲି ରାହୁଲ ତାଙ୍କୁ ପିସିସି ସଭାପତି ବାଛିଥିବା ନେଇ ନିରଞ୍ଜନ କିଛି ଦିନ ତଳେ ଦେଇଥିବା ମନ୍ତବ୍ୟର ବି ସେ ଦୃଢ଼ ବିରୋଧ କରିଛନ୍ତି। ଏଭଳି ଜାତିଆଣ ମନ୍ତବ୍ୟ ଲାଗି ନିରଞ୍ଜନ ନିଜ ଭୁଲ ସ୍ୱୀକାର କରନ୍ତୁ ବୋଲି ଚିଠି ଲେଖି ସଗରିଆ ଦାବି କରିଛନ୍ତି।

ତେବେ ମନାନ୍ତର ଓ ମତାନ୍ତର ଥିଲେ ମଧ୍ୟ ତିନିଟି ରାଜ୍ୟରେ କଂଗ୍ରେସ କିଭଳି କ୍ଷମତାକୁ ଆସିଲା ସେଥିରୁ ଓଡ଼ିଶା ନେତା ଯଦି କିଛି ଶିଖିନପାରିବେ ତେବେ ତାହା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ।

ଶ୍ରୀକାନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ଅନେକ ନେତା ଆପୋଷ ସମାଧାନ ସପକ୍ଷରେ ଖୋଲାଖୋଲି ମତ ଦେଉଛନ୍ତି। ତେଣୁ ରାହୁଲ ଗାନ୍ଧି କଣ ପଦକ୍ଷେପ ନେବେ, ଏବେ ତା ଉପରେ ନଜର।

You might also like