ଭୁବନେଶ୍ୱର: ଓଡ଼ିଶା ଉପକୂଳ ନଛୁଇଁ ବି ରାଜ୍ୟରେ ଅନେକ କ୍ଷୟକ୍ଷତି ଘଟାଇଛି ବାତ୍ୟା ଅମ୍ପନ। ଜୀବନ ବି ଯାଇଛି। ତେଣୁ କ୍ଷୟକ୍ଷତିର ଆକଳନ ତୁରନ୍ତ କରିବାକୁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ବାତ୍ୟା କ୍ଷୟକ୍ଷତି ନେଇ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ଦୁଇ ଦିନ ଭିତରେ ପ୍ରାଥମିକ ରିପୋର୍ଟ ଓ ପରେ ଚୂଡ଼ାନ୍ତ ରିପୋର୍ଟ ଦେବାକୁ ଏସ୍ଆରସି କହିଛନ୍ତି।
ଜିଲ୍ଲାପାଳଙ୍କଠାରୁ ପ୍ରାଥମିକ ରିପୋର୍ଟ ମିଳିବା ପରେ କ୍ଷୟକ୍ଷତିର ଆକଳନ କରାଯିବ। ଆକଳନ ପରେ ପ୍ରଭାବିତଙ୍କୁ କ୍ଷତିପୂରଣ ଦେବା ଲାଗି ବ୍ୟବସ୍ଥା ହେବ ବୋଲି ଏସ୍ଆର୍ସି କହିଛନ୍ତି।
ଓଡ଼ିଶାର ଲ୍ୟାଣ୍ଡଫଲ୍ ନକରିବି ଜୀବନ ନେଇଛି ବାତ୍ୟା ଅମ୍ପନ। ପ୍ରବଳ ବର୍ଷାରେ ମାଟି କାନ୍ଥ ପଡ଼ି ଭଦ୍ରକ ଜିଲ୍ଲା ତିହିଡି ଦକ୍ଷିଣପାରିରେ ଏକ ୩ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ବଳରାମ ଦାସଙ୍କ ଘରେ ମାଆ ଓ ଶିଶୁ ଶୋଇଥିବା ବେଳେ ମାଟି କାନ୍ଥ ପଡ଼ିଯାଇଥିଲା।
ସେପଟେ କେନ୍ଦ୍ରାପଡ଼ା ସାତଭାୟା ଅଞ୍ଚଳରେ ଜଣେ ୬୭ ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ ହୋଥିବା ବେଳେ, ବାର୍ଦ୍ଧକ୍ୟ ଜନିତ କାରଣରୁ ମୃତ୍ୟୁ ଘଟିଥିବା ଓ ସେ ପକ୍କା ଘରେ ରହୁଥିବା ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି। ବାଲେଶ୍ୱର ଜିଲ୍ଲା ସୋର ପଠାନ ମହଲା ଅଞ୍ଚଳରେ ଘର ଉପରେ ଗଛ ପଡ଼ି ୩ଜଣ ଆହତ ହୋଇଛନ୍ତି।