୨୮ ତାରିଖରେ କୌଣସି ବାତ୍ୟା ହେବନି, ଏହା ଗୁଜବ: ଏସ୍‌ଆର୍‌ସି

ଭୁବନେଶ୍ୱର: ରାଜ୍ୟରେ ବାତ୍ୟା ଗୁଜବକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା। ୨୮ ତାରିଖରେ କୌଣସି ବାତ୍ୟା ହେବନି, ଏହା ଗୁଜବ ବୋଲି ଏସ୍‌ଆର୍‌ସି କହିଛନ୍ତି। ଏଥିସହ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଥିବା ବାତ୍ୟା ଗୁଜବ ଉପରେ ବିଶ୍ୱାସ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। କେବଳ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଉଥିବା ଖବର ବା ସୂଚନା ଉପରେ ବିଶ୍ୱାସ କରିବାକୁ ଏସ୍‌ଆର୍‌ସି କହିଛନ୍ତି।

ସୂଚନାଥାଉ କି, ୨୮ ତାରିଖରେ ପୁଣି ଏକ ବାତ୍ୟା ହେବବୋଲି ସୋସିଆଲ୍‌ ମିଡିଆରେ ଗୁଜବ ଖବର ପ୍ରଚାର ହେଉଛି। ଏହି ଖବରକୁ ନେଇ କିଛି ଲୋକ ଭୟଭୀତ ମଧ୍ୟ ହୋଇପଡ଼ିଥିବା ଜଣାପଡ଼ିଛି।

ଗତ ୨ ଦିନ ଧରି ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ତେବେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି ମଧ୍ୟ ଏସ୍‌ଆର୍‌ସି ପ୍ରଦୀପ ଜେନା କହିଛନ୍ତି। ୮ଟି ଜିଲ୍ଲାରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ଭଦ୍ରକ ଜିଲ୍ଲାରେ ସର୍ବାଧିକ ୧୫୨ ମି.ମି., ପୁରୀରେ ୧୩୫ ମି.ମି., କଟକରେ ୧୩୦ ମି.ମି. ବର୍ଷା ହୋଇଛି। ୩ଟି ବ୍ଲକରେ ୨୦୦ ମି.ମି.ରୁ ଅଧିକ ବର୍ଷା ହୋଇଛି। ଯାଜପୁରର ବିଞ୍ଝାରପୁର ବ୍ଲକରେ ସର୍ବାଧିକ ୨୩୯ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ଭୁବନେଶ୍ୱରରେ ୨ ଦିନରେ ୨୫୩ ମି.ମି. ବର୍ଷା ରେକର୍ଡ ହୋଇଛି। କୌଣସି ସ୍ଥାନରେ ବନ୍ୟା ପରିସ୍ଥିତି ନାହିଁ ବୋଲି ଏସ୍‌ଆର୍‌ସି କହିଛନ୍ତି।

You might also like