ରେଳ ବା ବିମାନ ଯୋଗେ ରାଜ୍ୟକୁ ଫେରୁଥିବା ଲୋକଙ୍କ ପାଇଁ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌

ଭୁବନେଶ୍ୱର: ରେଳ ବା ବିମାନ ଯୋଗେ ରାଜ୍ୟକୁ ଫେରିବାକୁ ଥିବା ଲୋକଙ୍କ ପାଇଁ କେନ୍ଦ୍ର ଜାରି କରିଥିବା ସ୍ୱତନ୍ତ୍ର ଗାଇଡଲାଇନ ସଂପର୍କରେ ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା।

ସେ କହିଛନ୍ତି, ଲୋକମାନେ ଓଡ଼ିଶା ଆସିବା ପୂର୍ବରୁ ସରକାରଙ୍କ ପୋର୍ଟାଲରେ ପଂଜୀକରଣ କରିବେ ସେମାନେ ପଂଜୀକରଣ କରିନଥିଲେ, ସରକାର ନିଜ ଆଡୁ ତଥ୍ୟ ନେବେ।

ବିମାନଯାତ୍ରୀଙ୍କ ତଥ୍ୟ ସଂପୃକ୍ତ ଜିଲ୍ଲା ଓ ଗାଁକୁ ଜଣାଇ ଦିଆଯିବ। ବିମାନ ଏୟାର୍‌ପୋର୍ଟରେ ପହଞ୍ଚିବା ପରେ ସେଥିରୁ ଏକାଥରେ ସବୁ ଯାତ୍ରୀ ଓହ୍ଲାଇବେ ନାହିଁ। ଥରକେ ୨୦ ଜଣିଆ ଗ୍ରୁପ୍‌ରେ ଯାତ୍ରୀଙ୍କୁ ଓହ୍ଲାଯିବ। ଏବଂ ଟର୍ମିନାଲ ବାହାରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ସେମାନଙ୍କ ସ୍କ୍ରିନିଂ କରାଯିବ ଓ ହାତରେ ଅଲିଭା କାଳିରେ ଷ୍ଟାମ୍ପ ଲଗାଯିବ। କାହା ଦେହରେ ଲକ୍ଷଣ ଦେଖାଗଲେ ସେମାନଙ୍କୁ କୋଭିଡ ହସ୍ପିଟାଲ ପଠାଯିବ। ଆଉ ଲକ୍ଷଣ ନଥିବା ଅନ୍ୟ ଯାତ୍ରୀମାନଙ୍କୁ ମୁଖ୍ୟତଃ ନିଜ ଗାଡ଼ିରେ ଯିବାକୁ କୁହାଯାଇଛି। ତେବେ ଯାହାର ନିଜ ଗାଡ଼ି ନଥିବ ସେମାନଙ୍କ ପାଇଁ କିଛି ସୀମିତ କ୍ୟାବ୍ ବ୍ୟବସ୍ଥା କରାଯାଇଛି ବୋଲି ପ୍ରଦୀପ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଭୁବନେଶ୍ୱର ଓ କଟକ ଯିବାକୁ ଥିବା ଯାତ୍ରୀମାନେ ନିଜସ୍ୱ ଗାଡ଼ି ନଥିଲେ ସିଟି ବସ୍‌ରେ ଯାଇପାରିବେ। ଘରେ ପହଞ୍ଚିଲେ ସେମାନେ ୨୮ ଦିନ ପାଇଁ ହୋମ୍ କ୍ୱାରେଣ୍ଟିନ ବା ହୋଟେଲ୍‌ରେ ପେଡ୍ କ୍ୱାରେଣ୍ଟିନରେ ରହିବେ। କ୍ୱାରେଣ୍ଟିନ ନିୟମ ଭାଙ୍ଗିଲେ ଏପିଡେମିକ ଆକ୍ଟରେ କାର୍ଯ୍ୟାନୁଷ୍ଠାନ ହେବା ସହିତ କ୍ୱାରେଣ୍ଟିନରେ ଥିବା ଲୋକଙ୍କ ଘର ଆଗରେ ଷ୍ଟିକର ଲଗାଯିବ ବୋଲି ସେ ସୂଚନା ଦେଇଛନ୍ତି।

ସେହିଭଳି କାହାରି ଦେହ ଖରାପ ହେଲେ ସେମାନେ ନିଜେ ହସ୍ପିଟାଲ ନଯାଇ, ପ୍ରଥମେ ୧୦୪କୁ ଫୋନ୍ କରିବେ ଓ ସରକାର ସେମାନଙ୍କୁ ହସ୍ପିଟାଲ ନେବାକୁ ବ୍ୟବସ୍ଥା କରିବେ। ସ୍ୱତନ୍ତ୍ର ରେଳ ଯୋଗେ ଆସୁଥିବା ଯାତ୍ରୀଙ୍କ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହେବ ବୋଲି କହିଛନ୍ତି ପ୍ରଦୀପ।

ବାଲେଶ୍ୱର ଓ ଭୁବନେଶ୍ୱରରେ ଯାତ୍ରୀ ଓହ୍ଲାଇବା ବେଳେ ଷ୍ଟେସନ ସିଲ୍ ହେବ। ଷ୍ଟେସନରେ ଥିବା ସ୍ୱତନ୍ତ୍ର କେନ୍ଦ୍ରରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବ ଓ କାହାର ଲକ୍ଷଣ ବାହାରିଲେ ସେମାନଙ୍କୁ ହସ୍ପିଟାଲ ପଠାଯିବା ବ୍ୟବସ୍ଥା ହେବ। ଏବଂ ଅନ୍ୟମାନେ ବାଟରେ କେଉଁଠି ନଅଟକି ସିଧା ଘର ବା ହୋଟେଲ୍ ଯାଇ କ୍ୱାରେଣ୍ଟିନରେ ରହିବେ ବୋଲି ନିର୍ଦ୍ଦେଶ ରହିଛି।

ତେବେ ରେଳ ଯୋଗେ ଯିବାକୁ ଥିବା ଲୋକମାନେ ସେମାନଙ୍କ ବୈଧ ଟ୍ରେନ୍ ଟିକେଟ୍‌କୁ ପାସ୍ ଭାବେ ବ୍ୟବହାର କରିପାରିବେ। ପ୍ଲାଟଫର୍ମରେ ପ୍ରବେଶ ବେଳେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବ। କରୋନା ଲକ୍ଷଣ ଥିଲେ, ସେମାନଙ୍କୁ ଯାତ୍ରା ପାଇଁ ଅନୁମତି ଦିଆଯିବ ନାହିଁ ଓ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ୱାରେଣ୍ଟିନକୁ ପଠାଯିବ।

ଷ୍ଟେସନ ଭିତରକୁ କେବଳ ଟିକେଟ୍‌ଧାରୀଙ୍କ ବ୍ୟତୀତ ତାଙ୍କର କେହି ପରିବାର ଲୋକ କିମ୍ବା ସଂପର୍କୀୟ ପଶିପାରିବେ ନାହିଁ।

You might also like