୨୧ ଯାଏଁ ଘନ କୁହୁଡ଼ି, ସତର୍କ କରାଇଲା SRC

ଭୁବନେଶ୍ୱର: ଆସନ୍ତା ୨୧ ତାରିଖ ଯାଏଁ ରାଜ୍ୟରେ ଘନ କୁହୁଡ଼ି ଅନୁଭୂତ ହେବାର ସମ୍ଭାବନା ରହିଛି। ଏ ନେଇ ସତର୍କ କରାଇଛି SRC। ୧୯ ତାରିଖ ରାତି ଓ ୨୦ ତାରିଖ ସକାଳେ ୧୦ ଜିଲ୍ଲାରେ ଘନ କୁହୁଡ଼ି ନେଇ ଆଲର୍ଟ କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା- ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଓ ନୟାଗଡ଼ ଜିଲ୍ଲା।

ସେହିପରି ୨୦ ତାରିଖ ରାତି ଓ ୨୧ ତାରିଖ ସକାଳେ ୬ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା ରହିଛି। ସେହି ଜିଲ୍ଲାଗୁଡ଼ିକ ହେଲା- ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧ। ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣାର ସମ୍ଭାବନା ରହିଛି। ଏନେଇ ଜିଲ୍ଲାପାଳମାନଙ୍କୁ ଚିଠି କରିଛନ୍ତି SRC।

କିଛି ଦିନର ବିରତି ପରେ ରାଜ୍ୟର ଉପକୂଳରୁ ଉତ୍ତର, ପୂର୍ବରୁ ପଶ୍ଚିମ, ସବୁଠି ଥଣ୍ଡାର ପ୍ରକୋପ ବଢିବାରେ ଲାଗିଛି। ସାରା ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ। ସକାଳ ୯ଟା ନବାଜିଲେ ସୂର୍ଯ୍ୟ ଦେବଙ୍କ ଦର୍ଶନ ମିଳୁନି। ଯଦି ବି ମିଳୁଛି ତେବେ କୋହଲା ପାଗ ଲାଗି ରହୁଛି। ସଂଧ୍ୟା ବେଳେ ଶୀତର ପରିମାଣ ଅଧିକ ଅନୁଭୂତ ହେଉଛି। ରାତି ବଢ଼ିବା ସହ ପାରଦ କମୁଛି। ଏଥର ଶୀତ ବିଳମ୍ବରେ ଆସି ମଧ୍ୟ ଗତ କିଛି ଦିନ ଧରି ଜାଡ଼ ପରିସ୍ଥିତି ସୃଷ୍ଟି କରିଛି।

ଗତ ଜାନୁଆରୀ ୧ରେ ଦିଲ୍ଲୀରେ ୧୫ ବର୍ଷର ରେକର୍ଡ ଭାଙ୍ଗିଥିଲା ଶୀତ।  ଦେଶର ରାଜଧାନୀରେ ତାପମାତ୍ରା ରହିଛି ୧ ଦଶମିକ ୧ ଡିଗ୍ରୀ ସେଲସିୟସ। ଯାହା  ୧୫ ବର୍ଷରେ ସବୁଠାରୁ କମ୍ ବୋଲି କୁହାଯାଉଛି। ଗତ ବର୍ଷ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୨.୪ ଡିଗ୍ରୀ ସେଣ୍ଟିଗ୍ରେଡ ରେକର୍ଡ କରାଯାଇଥିଲା।

ଏହା ଆଗରୁ ୨୦୦୬ ଜାନୁଆରୀ ୮ ତାରିଖରେ ଦିଲ୍ଲୀର ତାପମାତ୍ରା ସବୁଠୁ କମ୍ ଶୂନ ଦଶମିକ ୨ ଡିଗ୍ରୀି ସେଲ୍ସିୟସ ରେକର୍ଡ କରାଯାଇଥିଲା । ଉତ୍ତର ଭାରତରେ ଶୀତ ଲହରି ଜାରି ରହିଥିବା ବେଳେ ଦିଲ୍ଲୀରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି  । ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି ଦିଲ୍ଲୀବାସୀଙ୍କ ଅବସ୍ଥା ବେହାଲ କରିଛି।

You might also like