ଭୁବନେଶ୍ୱର: ସମ୍ଭାବ୍ୟ ଲଘୁଚାପକୁ ଦୃଷ୍ଟିରେ ରଖି ପରିସ୍ଥିତିର ମୁକାବିଲା ଲାଗି ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ SRC। ଏନେଇ SRCଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ବିଡିଓ ଓ ତହସିଲଦାର, ଜଳସେଚନ ଓ ଡ୍ରେନେଜ୍ ବିଭାଗର ଯନ୍ତ୍ରୀଙ୍କୁ ସଜାଗ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ବନ୍ୟା ଓ ଭୂସ୍ଖଳନ ନେଇ ସତର୍କ ରହିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି।
ଆସନ୍ତାକାଲି ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତାକାଲିଠୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ଦକ୍ଷିଣ ଓଡ଼ିଶାରେ ମଧ୍ୟ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
ରାଜ୍ୟର ୧୨ ଜିଲ୍ଲାର ପ୍ରବଳ ବର୍ଷା ହୋଇପାରେ। ଏହି ଜିଲ୍ଲାଗୁଡିକ ହେଲା- ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, କନ୍ଧମାଳ , ବୌଦ୍ଧ, କେନ୍ଦୁଝର ଓ ମୟୂରଭଞ୍ଜ । ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରାଯାଇଛି।