ପ୍ରେମ ବାଣ୍ଟୁଛି ପ୍ରକୃତି: ଆମ୍ବ ବଉଳର ଭୁରୁ ଭୁରୁ ବାସ୍ନାରେ ଡେଣା ଝାଡ଼ୁଛି ବସନ୍ତ

ଆନମନା ହେଉଛି ପ୍ରେମିକର ମନ.ଋତୁରାଜ ଆଗମନରେ ରଙ୍ଗୀନ ହୋଇଉଠିଛି ଚତୁର୍ଦ୍ଦିଗ

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା) : ଧରଣୀରୁ ଶୀତ ଚାଲିଯାଇଥିବା ବେଳେ, ଥିରି ଥିରି ପାଦ ଥାପୁଛି ବସନ୍ତ । ଏହି ଋତୁର ଆଗମନରେ ଚଳଚଂଚଳ ହୋଇଉଠିଛନ୍ତି ବୃକ୍ଷଲତା, ପ୍ରକୃତି ଓ ପରିବେଶ ଆଉ ପ୍ରେମିକ । ଗହଳିଆ ବନରୁ କୋଇଲିର କୁହୁ ତାନ ଶୁଭୁଛି। ମୃଦୁ ମଳୟର କାଉଁରୀ ସ୍ପର୍ଷରେ ଉଲ୍ଲସିତ ହେଉଛି ତନୁମନ। ରାସ୍ତାକଡ ଠାରୁ ଗାଁ ଆମ୍ବତୋଟା ଯାଏଁ ଚାରିଆଡ଼େ ବସନ୍ତ ଭରିଦେଇଛି ଆମ୍ବ ବଉଳ । ଲାଗୁଛି ସେତ କି ଯେମିତି ପ୍ରକୃତି ପ୍ରେମ ବାଣ୍ଟୁଛି।  କୋରାପୁଟ ଜିଲ୍ଲାରେ ଋତୁରାଜ ବସନ୍ତର ଆଗମନରେ ଜିଲ୍ଲାର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଯାଇଛି।

ହେମାଳ ପବନ କମିକମି ଯାଇଛି।  ଶୀତ ଛାଡ଼ି ଛାଡ଼ି ଯିବାବେଳେ ଫୁଲର ମହକରେ କେତେ ବେଳେ ବସନ୍ତ ଆସି ପହଞ୍ଚି ଯାଇଛି। ଗାଁ ମୁଣ୍ଡର ଆମ୍ବତୋଟା ପେନ୍ଥା ପେନ୍ଥା ବଉଳରେ ଭର୍ତ୍ତି ହେଇଯାଇଛି। ରାଧାଚୂଡ଼ା ଆଉ ପଳାସ ଫୁଲରେ ଆଉଟିକେ ରଙ୍ଗୀନ ହେଇଯାଇଛି ପରିବେଶ। କୃଷ୍ଣଚୁଡା ଫୁଲେଇ ହେବାର ନିଶାରେ ମସଗୁଲ ହୋଇଯାଇଛି। ରାସ୍ତାସାରା ରାଧାଚୁଡା ଫୁଲ ଧାଡ଼ି ଧାଡ଼ି ହୋଇ ଲମ୍ବିଯାଇଛି।  ବସନ୍ତର ଛୁଆଁରେ ବିଭୋର ହୋଇଛି ପଥିକ । ବାଟବଣା ହେଉଛି କବିର କବିତା। ପ୍ରେମର ରାଗିଣୀ ଗାଉଛି ବସନ୍ତ।


ପବନରେ ମିଠା ବାସ୍ନା ମନକୁ ଆନମନା କରୁଛି। ପ୍ରେମ ପ୍ରଣୟର ସ୍ପର୍ଶରେ ନିରସ ମନ ଜାଗି ଉଠୁଛି। ପାହାନ୍ତି ନିଦରେ ଶୋଇଶୋଇ କେତେ ଲୋକେ ସପନ ରାଇଜେ ହଜିଗଲେଣି । ଋତୁରାଜ ବସନ୍ତର ଛୁଆଁରେ ଜଳପ୍ରପାତରୁ ଝରୁଥିବା ଜଳରାଶିକୁ ଚମକେଇ ଦେଉଛି ଇନ୍ଦ୍ରଧନୁ ।  ସେଇ ଇନ୍ଦ୍ରଧନୁକୁ ଆଉ ଟିକେ ରଙ୍ଗେଇ ନେଇ ବସନ୍ତ କୋରାପୁଟର ମାଟିକୁ ଚୁମି ଯାଉଛି। ଶୈଶବରୁ ପୌଢ଼ାବସ୍ଥା ଯାଏ, ଋତୁଚକ୍ରର ଆବର୍ତ୍ତନ ଭିତରେ ଋତୁରାଜର କଥା ସବୁକାଳେ ଏହିପରି ମନ୍ତ୍ରମୁଗ୍ଧ କରୁଥାଏ ।

You might also like