ଜୋତାଫିଙ୍ଗା ଘଟଣା: ଗୃହର ସମସ୍ତ ଭିଡ଼ିଓ କ୍ଲିପ୍‌ ମାଗିଲେ ବାଚସ୍ପତି

ଭିଡ଼ିଓ ମାଗିଲେ ବାଚସ୍ପତି

ଭୁବେନଶ୍ୱର: ବିଧାନସଭାରେ ବାଚସ୍ପତିଙ୍କ ପୋଡିୟମକୁ ଜୋତାଫିଙ୍ଗା ଘଟଣାରେ ବିଧାନସଭାର ସମସ୍ତ ଭିଡିଓ କ୍ଲିପିଂ ମାଗିଲେ ବାଚସ୍ପତି। କହିଲେ, ଭିଡିଓ କ୍ଲିପିଂ ଦେଖି ଅନୁଧ୍ୟାନ କରିବି। ସମସ୍ତଙ୍କ ସହ ଆଲୋଚନା ପରେ ଆବଶ୍ୟକୀୟ ପଦକ୍ଷେପ ନେବି ବୋଲି କହିଲେ ବାଚସ୍ପତି। ତେବେ ରାଜ୍ୟ ବିଧାନସଭାରେ ଆଜି ତୁମୁଳକାଣ୍ଡ ହୋଇଛି। ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ, ଇଅର ଫୋନ୍ ଓ କାଗଜ ଫୋପଡ଼ା ଯାଇଛି। ଖଣି ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଅଣାଯାଇଥିଲା। ତେବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅନୁମତି ନ ଦେବାରୁ କଂଗ୍ରେସ ସଦସ୍ୟ ହୋ ହଲ୍ଲା କରିଥିଲେ।

ବିଜେପି ସଦସ୍ୟ ମଧ୍ୟ ଖଣି ପ୍ରସଙ୍ଗରେ ଆଲୋଚନା ଦାବି କରି ହୋ ହଲ୍ଲା କରିଥିଲେ। ପରେ ପରେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚପଲ, ଇଅର ଫୋନ୍ ଫିଙ୍ଗା ଯାଇଥିବା ନେଇ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ। କେଉଁ ବିଧାୟକ ଫିଙ୍ଗିଥିଲେ, ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ହୋ ହଲ୍ଲା ପରେ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବି ଘୋଷଣା କରିଛନ୍ତି।

ସେପଟେ ଏହି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କଲେ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। କହିଲେ,  ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଜୋତା ଫିଙ୍ଗିଛନ୍ତି। ଏହାସହ ଜୟନାରାୟଣ ମିଶ୍ର ବାଚସ୍ପତିଙ୍କୁ କାଗଜ ଫିଙ୍ଗିଛନ୍ତି। କେବଳ ଏତିକି ନୁହେଁ ବରଂ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଇୟର ଫୋନ୍ ଫିଙ୍ଗିଛନ୍ତି ବୋଲି ପ୍ରମିଳା କହିବା ସହ ଘଟଣାର ଅନୁଧ୍ୟାନ ଚାଲିଛି, ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଲେ ପ୍ରମିଳା।

You might also like