ବାଇକ୍‌ ଚାଳକଙ୍କୁ ଧକ୍କା ଦେଇ ରେଲ୍‌ୱେ ଫାଟକରେ ପିଟି ହେଲା କାର୍‌

ବଲାଙ୍ଗିର: ଟ୍ରେନ୍‌ ଆସୁଥିବାରୁ ରେଲ୍‌ୱେ ଫାଟକ ବନ୍ଦ ଥିବା ବେଳେ ଉଭୟ ପଟରେ କିଛି ବାଇକ ଅଟକି ରହିଥିଲା। ତେବେ ଏହି ସମୟରେ ହଠାତ୍‌ ଏକ କାର୍‌ ଦ୍ରୁତ ବେଗରେ ଆସି ଦୁଇ ଜଣ ବାଇକ ଚାଳକଙ୍କୁ ଧକ୍କା ଦେବା ସହ ରେଲ୍‌ୱେ ଫାଟକରେ ପିଟି ହୋଇଯାଇଥିଲା। ଏଥିରେ ୨ଜଣ ବାଇକ୍‌ ଆରୋହୀ ଗୁରୁତର ଆହତ ହୋଇଛନ୍ତି।

ଗତକାଲି ରାତି ପ୍ରାୟ ୧୦ଟାରେ ବଲାଙ୍ଗିର ସୁନ୍ଦରପଡ଼ାରେ ଏହି ଅଘଟଣ ଘଟିଛି। ଗୁରୁତରମାନଙ୍କୁ ପୋଲିସ୍‌ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍‌ରେ ଭର୍ତ୍ତି କରିଛି। ଦୁଇ ଗୁରୁତରଙ୍କ ଭିତରେ ଜଣେ ହୋମଗାର୍ଡ ଅଛନ୍ତି। ତାଙ୍କ ନାଁ ସୁଶାନ୍ତ ସାଏ। କାର୍‌ଟି ଏତେ ଦ୍ରୁତ ଗତିରେ ଥିଲା ଯେ, ରେଲ୍‌ୱେ ଫାଟକ ଭାଙ୍ଗି ଯାଇଥିବା ବେଳେ କାର୍‌ର ସାମ୍ନା ପଟ ମଧ୍ୟ ଭାଙ୍ଗି ଯାଇଛି।

ସୂଚନା ଅନୁସାରେ, ଟ୍ରେନ୍‌ ଆସୁଥିବାରୁ ସୁଦପଡା ରେଲ୍‌ୱେ ଫାଟକ ବନ୍ଦ ରହିଥିଲା। ଫଳରେ ଉଭୟ ପଟରେ କିଛି ବାଇକ ଅଟକି ରହିଥିଲା। ଏହି ସମୟରେ ହଠାତ୍‌ ଏକ କାର୍‌ ଦ୍ରୁତ ବେଗରେ ଆସି ଦୁଇ ଜଣ ବାଇକ ଚାଳକଙ୍କୁ ଧକ୍କା ଦେବା ସହ ରେଲ୍‌ୱେ ଫାଟକରେ ପିଟି ହୋଇଯାଇଥିଲା। ଏହାପରେ କାର୍‌ ସହ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଡ୍ରାଇଭର। ଏଥିରେ ୨ଜଣ ବାଇକ୍‌ ଆରୋହୀ ଗୁରୁତର ଆହତ ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା କାର୍‌ରେ ଯାତ୍ରା କରୁଥିବା ୨ଜଣ ଲୋକ ସାମାନ୍ୟ ଆହତ ହୋଇଛନ୍ତି। କାର୍‌ଟି ବ୍ରହ୍ମପୁରରୁ ଆସୁଥିବା ବେଳେ ସେଥିରେ ଡ୍ରାଇଭରଙ୍କ ସମେତ ୩ ଜଣ ଥିଲେ।

ବଲାଙ୍ଗିର ଟାଉନ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।‌ ମଦ ପିଇ ଦ୍ରୁତ ଗତିରେ କାର୍‌ ଚଳାଉଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।

You might also like