ଭୁବନେଶ୍ୱର: ୭ ଦିନରେ ହେବ ୫ ହଜାର ନମୂନା ପରୀକ୍ଷା

ଭୁବନେଶ୍ୱର: ଭୁବନେଶ୍ୱରରେ ଏଯାବତ ୧୯୫୮ଟି ସାମ୍ପଲ ଟେଷ୍ଟ ହୋଇଛି। ଆଗାମୀ ଦିନରେ ଏହାର ସଂଖ୍ୟାକୁ ଆହୁରି ବୃଦ୍ଧି କରାଯିବ।  ୭ ଦିନରେ ୫ ହଜାର ସାମ୍ପଲ ଟେଷ୍ଟ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

ଆଜି ଭୁବନେଶ୍ୱରର ଗୀତଗୋବିନ୍ଦ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଅଧିକରୁ ଅଧିକ ନମୂନା ପରୀକ୍ଷା ହେଲେ ଭୁବନେଶ୍ୱରର ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରିବ। ଏଥିପାଇଁ ଭୁବନେଶ୍ୱରରେ ଲ୍ୟାବ୍‌ର ଅପଗ୍ରେଡେସନ୍‌ ହେବ। ମୋବାଇଲ ଭ୍ୟାନ୍‌ ବୁଲି ମଧ୍ୟ ନମୂନା ସଂଗ୍ରହ କରିବ। ବିଭିନ୍ନ ସ୍ଥାନରେ କ୍ୟାମ୍ପ କରାଯାଇ ସାମ୍ପଲ ସଂଗ୍ରହ କରାଯିବ।

ତେବେ ୪ଟି ବର୍ଗର ଲୋକଙ୍କୁ ଚୟନ କରାଯାଇ ନମୂନା ନିଆଯିବ। ଟ୍ରାଭେଲ ହିଷ୍ଟ୍ରି ଥିବା ଲୋକ ଓ ଲକ୍ଷଣ ଥିବା ଲୋକଙ୍କ ନମୂନା ନିଆଯିବ। ତା’ସହିତ ସ୍ୱାସ୍ଥ୍ୟ କର୍ମୀ, ପୁଲିସ୍ ଓ ପରିମଳ କର୍ମଚାରୀଙ୍କ ସାମ୍ପଲ ଟେଷ୍ଟ ହେବ। ୬୦ ବର୍ଷରୁ ଅଧିକ ବୟସ୍କ ଓ ପୂର୍ବରୁ ରୋଗ ଥିବା ଲୋକଙ୍କର ମଧ୍ୟ ଟେଷ୍ଟ ହେବ।

ତେବେ ନମୂନା ସଂଗ୍ରହ ବେଳେ ସହଯୋଗ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସହଯୋଗ କରିବାକୁ ସେ ସାହି, ବସ୍ତି ଓ ପୂଜା କମିଟିଗୁଡ଼ିକୁ ଅନୁରୋଧ କରିଛନ୍ତି। ତେବେ ସହଯୋଗ ନକଲେ ପୁଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିବ ବୋଲି କହିଛନ୍ତି।

You might also like