ରୋଜିଙ୍କ ହାତରୁ ଯିଏ ପିଠା ଖାଇଛି ସିଏ ତାହାର ମଜା ପାଇଛି…

  • ରାଜଧାନୀରେ ରୋଜି କିଚେନ୍
  • ରୋଜିଙ୍କ ହାତ ତିଆରି ପିଠା ଖାଇବାକୁ ଢେର୍ ଅର୍ଡର
  • ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟ ପାଇଁ ଚାହିଦା
  • ଦିନେ ଉପମା ବନେଇ ନପାରି ଶାଶୁଙ୍କଠୁ ଶୁଣିଥିଲେ ଗାଳି

ଭୁବନେଶ୍ୱର(କପିଳେନ୍ଦ୍ର ପ୍ରଧାନ): ଆଜିକାଲିର ଯୁବପୀଢି ରୋଲ, ଚାଓମିନ୍, ବର୍ଗର ଭଳି ଫାଷ୍ଟ ଫୁଡ୍ ପଛରେ ଧାଉଁଛନ୍ତି ଆଉ ଭୁଲିଯାଉଛନ୍ତି କାକରା, ଆରିଷା, ପୋଡ଼ପିଠା ଭଳି ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟକୁ। ଲୋକେ କିଭଳି ଏସବୁ ଖାଦ୍ୟ ପ୍ରତି ଆକୃଷ୍ଟ ହେବେ, ସେଥିପାଇଁ ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ସରୋଜା ଚୌଧୁରୀ ନାମକ ଜଣେ ମହିଳା ତାଙ୍କ ଘରେ ଖୋଲିଛନ୍ତି ରୋଜିସ୍ କିଚେନ୍ ଏବେ ଏହାର ଢେର୍ ଚାହିଦା ବି ରହିଛି।

ରୋଜିସ୍ କିଚେନର ସ୍ୱତ୍ୱାଧିକାରୀ ସରୋଜା ଚୌଧୁରୀ (ରୋଜି)ଙ୍କୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। ପାରମ୍ପରିକ ଓଡ଼ିଆ ଖାଦ୍ୟ ଓ ପିଠା ପାଇଁ ଆଜି ରାଜଧାନୀରେ ବେଶ୍ ନାଁ କମାଇପାରିଛି ତାଙ୍କ କିଚେନ୍।  ଗ୍ରାଜୁଏସନ୍ ପରୀକ୍ଷା ସରୁ ସରୁ ଘର ଲୋକେ ବାହା କରିଦେଇଥିଲେ ରୋଜିଙ୍କୁ। ଯୌଥ ପରିବାରରୁ ଆସିଥିବାରୁ ରୋଷେଇ ଶିଖି ନ ଥିଲେ ସରୋଜା। ବିବାହ ପରଦିନ ଶାଶୂଙ୍କ ତାଗିଦ୍ ପରେ ରୋଷେଇ ଶିଖିବାର ଜିଦ୍ ଆଜି ତାଙ୍କୁ ଦେଇଛି ଏହି ଭିନ୍ନ ପରିଚୟ।

ଦିନେ ଉପମା ତିଆରି ଶିଖି ନଥିବା ରୋଜିଙ୍କର ଏବେ ହାତ ତିଆରି ପିଠା ଖାଇବାକୁ ଅର୍ଡର ଦେଉଛନ୍ତି ଗଜପତି ମହାରାଜାଙ୍କଠୁ ଆରମ୍ଭ କରି ମହାମହିମ ରାଜ୍ୟପାଳଙ୍କ ଯାଏଁ। ସେ କୁହନ୍ତି, ଓଡ଼ିଶାର ବହୁ ପାରମ୍ପରିକ ଖାଦ୍ୟ ଯେମିତିକି କାକରା, ମଣ୍ଡା, ଛୁଞ୍ଚି ପତ୍ର ପିଠା, ବିରି ପୋଡ଼ପିଠା, ଲାଉ ପୋଡ଼ପିଠା, ମୁଆଁ ପିଠା ଇତ୍ୟାଦି ଲୋପ ପାଇବାକୁ ବସିଲାଣି। ଏସବୁକୁ ଟିକେ ଟ୍ୱିଷ୍ଟ କରି ଲୋକଙ୍କ ପାଖରେ ପହଞ୍ଚାଇବାକୁ ସେ ଚଳାଇଛନ୍ତି ଏହି ପ୍ରୟାସ।

ଦିନକୁ ଦିନ ରୋଜିସ୍ କିଚେନର ଚାହିଦା ବଢ଼ିବାରେ ଲାଗିଛି। ପ୍ରତିଦିନ ଆସୁଛି ଢେର୍ ସାରା ଅର୍ଡର। ରୋଜିସ୍ କିଚେନର ୟୁଏସ୍ପି ହେଉଛି, ରେସ୍ତୋରାଁ ଭଳି। ଏଠାରେ କୌଣସି ଖାଦ୍ୟ ପୂର୍ବରୁ ତିଆରି ହୋଇ ରହେନି। ଫୋନରେ ଅର୍ଡର ମିଳିବା ପରେ ନିଜ ଟିମକୁ ନେଇ ରୋଜି ଆରମ୍ଭ କରିଦିଅନ୍ତି ରୋଷେଇ। ଯିଏ ଯେମିତି ଆଉ ଯେଉଁ ଖାଦ୍ୟ ଚାହେଁ, ତାହା ଯୋଗାଇ ଦେବାକୁ ଚେଷ୍ଟା କରନ୍ତି। କିଚେନ୍ ପରିବେଶ ମଧ୍ୟ ସମ୍ପୂର୍ଣ୍ଣ ହାଇଜେନିକ୍ ରହିଛି। ରୋଜିସ୍ କିଚେନ୍ ଷ୍ଟାଫଙ୍କ କହିବା କଥା, ସବୁ ଖାଦ୍ୟରେ ସରୋଜାଙ୍କ ହାତ ଲାଗେ। କାରଣ ସେ ଏ କିଚେନର ମାଆ। ଆଉ ତାଙ୍କ ହାତ ବାଜିଲେ ସ୍ୱାଦିଷ୍ଟ ହୋଇଯାଏ ସବୁ ଖାଦ୍ୟ। କେବଳ ସେତିକି ନୁହେଁ, ଓଡ଼ିଆ ଖାଦ୍ୟ ପରମ୍ପରାର ପୁନରୁଦ୍ଧାର ପାଇଁ ସରୋଜାଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରିଛନ୍ତି ଗ୍ରାହକ। ରୋଜିଙ୍କ ଇଚ୍ଛା, ରୋଷେଇ ଶିଖି ନ ଥିବାରୁ ସେ ଯେମିତି ଶାଶୂଙ୍କ ତାଗିଦ୍ ଶୁଣିଥିଲେ, ଆଉ କୌଣସି ଝିଅ ନ ଶୁଣନ୍ତୁ।

You might also like