ଘରଚଟିଆର ଘର… ଗାଧୋଇବା ପାଇଁ ସୁଇମିଂପୁଲ୍, ଖାଇବା ଓ ପିଇବା ପାଇଁ ହୋଇଛି ବ୍ୟବସ୍ଥା….ଜାଣନ୍ତୁ କେଉଁଠି?

ନିଆରା ପକ୍ଷୀ ପ୍ରେମ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) ମଣିଷର ପରିବର୍ତ୍ତିତ ଜୀବନଶୈଳୀ କାରଣରୁ ପ୍ରକୃତି ଉପରେ ପଡୁଛି ଏହାର ନକରାତ୍ମକ ପ୍ରଭାବ। ଯାହାଫଳରେ ଅନେକ ଜୀବଜନ୍ତୁ ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇସାରିଲେଣି। ସେମାନଙ୍କ ସୁରକ୍ଷା ଯଦି କରାନଯାଏ ଜୀବନ ମଧ୍ୟ ଖୁବଶୀଘ୍ର ଲୋପ ପାଇଯିବ। ଘର ଚଟିଆ ମଧ୍ୟ ହେଉଛି ଏଭଳି ଏକ ଜୀବନ। ଘର ଚଟିଆଙ୍କ ସଂଖ୍ୟା ପୂର୍ବଭଳି ଆଉ ନାହିଁ। ଚଟିଆର ବଂଶ ଏବେ ଲୋପ ପାଇବାକୁ ବସିଛି। ଏଭଳି ସ୍ଥିତିରେ ନୟାଗଡ଼ର ଏକ ଦମ୍ପତ୍ତି ଘର ଚଟିଆଙ୍କ ସୁରକ୍ଷା ଲାଗି ପ୍ରୟାସ ଜାରି ରଖିଛନ୍ତି।

ପୂର୍ବଭଳି ଗାଁ ଗଣ୍ଡାରେ ଆଉ ଚାଳଘର ନାହିଁ। ଅନେକଙ୍କ ରହିଛି କଂକ୍ରିଟ୍ ଛାତ ଘର। ମଣିଷ ନିଜର ସୁବିଧା ଲାଗି କୋଠା ସିନା ନିର୍ମାଣ କଲା ହେଲେ ଏହି ନୀରିହ ଘରଚଟିଆ ବାସହରା ହୋଇଗଲେ। ପୂର୍ବରୁ ଚାଳଘର ତଳେ ବସା ବାନ୍ଧି କିଚିରିମିଚିର ଶବ୍ଦ କରୁଥିଲେ ହେଲେ ଏବେ ବାସ ନପାଇ ଘର ଚଟିଆଙ୍କ ପ୍ରଜାତି ଲୋପ ପାଇବାକୁ ବସିଲାଣି। ଏମାନଙ୍କୁ ବଂଚାଇ ରଖିବାକୁ ପ୍ରୟାସ କରିଛନ୍ତି ନୟାଗଡ଼ ସହରର ଏକ ଦମ୍ପତ୍ତି। ନୟାଗଡ଼ ବିଦ୍ୟୁତ୍‌ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ କାମ କରନ୍ତି ଆଦିତ୍ୟ କୁମାର ଦାଶ। ଜିଲ୍ଲାର ବିଭିନ୍ନ ସ୍ଥାନରେ ଘର ଚଟିଆଙ୍କ ଲାଗି କାର୍ଡବୋର୍ଡରେ ପ୍ରସ୍ତୁତ କୃତ୍ରିମ ଘର ବସାଇଛନ୍ତି।

ଆଉ ଏହି ଘରେ ସେମାନଙ୍କ ଲାଗି ଖାଦ୍ୟ ସହ ପାଣିର ପାତ୍ର ରଖାଯାଇଛି। ବିଭିନ୍ନ ଗାଁକୁ ଯାଇ ଲୋକଙ୍କୁ ଘର ଚଟିଆଙ୍କ ଲାଗି ପ୍ରସ୍ତୁତ କାର୍ଡବୋର୍ଡ ଘର ଦେବା ସହ ସୁରକ୍ଷା ନେଇ ସଚେତନ କରୁଛନ୍ତି ଆଦିତ୍ୟ। ଆଉ ତାଙ୍କୁ ଏହି କାମରେ ସହାୟତା କରୁଛନ୍ତି ପତ୍ନୀ ସଂଘମିତ୍ରା। ଘର ଚଟିଆଙ୍କ ଲାଗି ସମସ୍ତେ ପ୍ରୟାସ କରିବା ଉଚିତ ବୋଲି କହିଛନ୍ତି ଆଦିତ୍ୟ।

ଘର ଚଟିଆ କୃଷକର ବନ୍ଧୁ ଭାବେ ପରିଚିତ। ଅଣ୍ଡିରା ଓ ମାଇ ଘର ଚଟିଆ ସାଥିରେ ବର୍ଷ ବର୍ଷ ଧରି ବଂଶବିସ୍ତାର କରିଥାନ୍ତି। ଘରଚଟିଆ ଗୁଡିକ କେବଳ ଜନବସତି ଅଂଚଳରେ ରହିଥାନ୍ତି। ଆଦିତ୍ୟ ଓ ସଂଘମିତ୍ରା ଦୀର୍ଘ ବର୍ଷ ଧରି ଚଲାଇଥିବା ଅଭିଯାନରୁ ଏବେସୁଦ୍ଧା ୪ଶହ ଯୋଡ଼ା ଘର ଚଟିଆଙ୍କ ସୁରକ୍ଷା କରାଯାଇ ପାରିଛି। ଆଦିତ୍ୟଙ୍କ ଏହି ଅଭିଯାନକୁ ବିଭିନ୍ନ ମହଲରୁ ଅନେକ ପ୍ରଶଂସା ମିଳିଛି। ଆଉ ଆଦିତ୍ୟଙ୍କ ବାପା ତାଙ୍କର ପୁଅର କାମକୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ଆଦିତ୍ୟ ଓ ପତ୍ନୀ ସଂଘମିତ୍ରାଙ୍କ ଭଳି ସମସ୍ତେ ଏ ପ୍ରୟାସ ଜାରି ରଖିଲେ ଘର ଚଟିଆଙ୍କ ବଂଶକୁ ସୁରକ୍ଷା ଦିଆଯାଇ ପାରିବ। ତେବେ ଆସନ୍ତୁ ଆମେ ସମସ୍ତେ ମିଶି ଘରଚଟିଆଙ୍କୁ ରକ୍ଷା କରିବା।

You might also like