୧୦ ବର୍ଷରୁ ନିଖୋଜ୍ ଥିଲା ମାଆ, ପୁଅ ପାଇଁ ଶ୍ରୀକ୍ଷେତ୍ରରୁ ଆସିଲା ଖୁସି ଖବର

ପୁରୀ: ୧୦ ବର୍ଷରୁ ନିଖୋଜ ଥିଲେ ମହିଳା। ଘରୁ କେଉଁ ଆଡ଼େ ଚାଲି ଯାଇଥିଲେ। ପରିବାରଲୋକେ ବି ଆଶା ଛାଡ଼ି ଦେଇଥିଲେ। ହେଲେ ଶ୍ରୀକ୍ଷେତ୍ରରୁ ଆସିଲା ଖୁସି ଖବର। ପଶ୍ଚିମବଙ୍ଗରୁ ନିଖୋଜ ମହିଳାଙ୍କ ପତ୍ତା ପୁରୀରୁ ମିଳିଲା। ପରିବାରଲୋକଙ୍କୁ ୧୦ ବର୍ଷ ପରେ ଦେଖିପାରିଲେ ପୁଅ ଓ ସ୍ୱାମୀ। ଆଉ ଏବେ ଖୁସି କହିଲେ ନସରେ।

ଘଟଣାଟି ଥିଲା ଏମିତି….

ପଶ୍ଚିମବଙ୍ଗ ବୋଲପୁରର ତାରା ଭଗତ। ୨୦୧୦ରୁ ନିଖୋଜ ଥିଲେ। ଘର ଛାଡ଼ି କେଉଁ ଆଡ଼େ ଚାଲି ଯାଇଥିଲେ। ହେଲେ ସେବେଠୁ ତାଙ୍କର ନା ମିଳିଥିଲା ପତ୍ତା, ନା ମିଳିଥିଲା କୌଣସି ଖୋଜଖବର। ହେଲେ ପୁରୀରେ ଶ୍ରୀଜଗନ୍ନାଥଙ୍କ ପାଖରେ ମାଆ ଥିବା ଖବର ଜାଣିବା ପରେ ପୁଅ ଓ ପୂରା ପରିବାର ଦୌଡ଼ି ଆସିଲେ ତାରାଙ୍କ ପାଖକୁ।

ପୁରୀର ଏକ ଜରା ନିବାସରେ ଦିନ କାଟୁଥିବା ତାରାଙ୍କୁ ମିଳିଛି ତାଙ୍କ ପରିବାର। ଏବେ ଖୁସି କହିଲେ ନ ସରେ।

ମାଆଙ୍କୁ ଭେଟି ପାରିବେ ବୋଲି ବି କଳନା କରିନଥିଲେ ତାରାଙ୍କ ପୁଅ। କେତେ ପୂଜାର୍ଚ୍ଚନା କେତେ ଠାକୁରଙ୍କୁ ଡାକିଥିଲେ। ୨୦୧୦ ମସିହାରେ ନିଜ ଝିଅଙ୍କ ବିବାହ ପରେ ତାରା ଘର ଛାଡ଼ି ଦେଇଥିଲେ। କୌଣସି ଏକ ବ୍ୟକ୍ତିଙ୍କ କଥାରେ ସେ ଘର ଛାଡ଼ି ଟ୍ରେନ୍‌ରେ ପୁରୀ ଚାଲି ଆସିଥିଲେ। ଦିନରେ ମନ୍ଦିରରେ ଓ ରାତି ବଡ଼ଦାଣ୍ଡରେ ଜୀବନ କାଟୁଥିଲେ। ୟା ତା ଘରେ କିଛି ଦିନ ରହିବା ପରେ ଶେଷରେ ତାଙ୍କୁ ଆଶ୍ରୟ ମିଳିଥିଲା ଏକ ବୃଦ୍ଧାଶ୍ରମରେ।

ହେଲେ ତାରାଙ୍କ ସମ୍ପର୍କରେ ଖୋଜଖବର ନେବାକୁ ଚେଷ୍ଟା କରିଥିଲେ ଜରା ନିବାସ କର୍ତ୍ତୃପକ୍ଷ। ପଶ୍ଚିମବଙ୍ଗ ବୋଲପୁରରେ ଖୋଜାଖୋଜି କରିବା ପରେ ଶେଷରେ ତାରାଙ୍କ ପରିବାରଲୋକଙ୍କ ସମ୍ପର୍କରେ ଜଣାପଡ଼ିଥିଲା।

 

You might also like