କରୋନାକୁ ନେଇ କେତେ ସଚେତନ ଲୋଧା ସମ୍ପ୍ରଦାୟର ଆଦିବାସୀ?

ମୟୁରଭଞ୍ଜ: ଲୋଧା ସଂପ୍ରଦାୟର ଆଦିମ ଜନଜାତିଙ୍କ କଥା ଶୁଣିଲେ ଏବେବି ଅନେକ ଡରନ୍ତି। କାରଣ ସେମାନେ ହାତରେ ରହିଥାଏ ମାରଣସ୍ତ୍ର। ହେଲେ ସମୟ ଅନୁଯାୟୀ, ଏମାନଙ୍କ ଜୀବନ ଶୈଳୀ ବଦଳିଛି। କିଛି ଲୋଧା ଜନଜାତି ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଉପାନ୍ତ ଅଞ୍ଚଳ ଚେମଚେଟାରେ ବସବାସ କରୁଛନ୍ତି। ହେଲେ ଅନ୍ୟ ଆଦିବାସୀଙ୍କ ପରି ସରକାରଙ୍କ ସୁବିଧା ସୁଯୋଗ ଏମାନଙ୍କ ପାଖରେ ଅପହଞ୍ଚ। ଶିକ୍ଷା ସ୍ୱାସ୍ଥ୍ୟ ଭଳିି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଏମାନେ।

ଲୋଧା ଆଦିବାସୀ ପରିବାର କେତେ ସଚେଚନ? ମୟୁରଭଞ୍ଜ କପ୍ତିପଦା ଓ ବାଲେଶ୍ୱର ଜିଲ୍ଲାର କୁଲଢିଆ ଅଭୟାରଣ୍ୟ ସୀମାନ୍ତ ଚେମଚେଟା ଜଙ୍ଗଲରେ ରହୁଛନ୍ତି ପ୍ରାୟ ୨୮ଟି ପରିବାର। କରୋନା ସମୟରେ ଏମାନେ କେତେ ସଚେତନ, କଣ କରନ୍ତି ଓ କେମିତି ବଞ୍ଚନ୍ତି ଜାଣିବା ପାଇଁ ପହଞ୍ଚିଥିଲା ଆମ ଟିମ୍। ଏଠାରେ ଶିକ୍ଷା, ସ୍ୱାସ୍ଥ୍ୟ  ଅପହଞ୍ଚ ହୋଇଥିବା ବେଳେ ଗାଁରେ କେହି ମାସ୍କ ବ୍ୟବହାର କରୁନଥିବା ଦେଖିବାକୁ ମିଳିଥିଲା। ଜଙ୍ଗଲରେ ଝୁଣା, ଶାଳପତ୍ର, କାଠ ଓ ମହୁଲ ସଂଗ୍ରହ କରି ଆଖାପାଖ ଅଞ୍ଚଳରେ ବିକ୍ରୀ କରି ଗୁଜରାଣ ମେଣ୍ଟାନ୍ତି। ଏସବୁ ପରିବାର ଯଦିଓ ଚେମଚେଟା ବାଲେଶ୍ୱର ଜିଲ୍ଲାରେ ଯାଉଛି, ତଥାପି ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ଲୋକଙ୍କୁ ରାସନ କାର୍ଡରେ ୩୫ କିଲୋ ଚାଉଳ ମିଳୁଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା। ହେଲେ ପିଇବା ପାଣି କିମ୍ବା ସ୍ୱାସ୍ଥ୍ୟ ଭଳି  ମୌଳିକ ସୁବିଧା ଏମାନଙ୍କ ପାଇଁ ନାହିଁ। ଜଙ୍ଗଲ ଭିତରେ ଏକ କୂଅ ଅଛି, ହେଲେ ତାହା କାମକରୁନି। ଚୁଆ ପାଣି ଉପରେ ଏମାନେ ସମସ୍ତେ ନିର୍ଭର କରନ୍ତି ବୋଲି ଜଣାପଡ଼ିଛି।

ଏଠାରେ ନା ସରକାରୀ ସୁବିଧା ଅଛି, ନା ଅନ୍ୟ କିଛି ବିକଳ୍ପ। ପାଞ୍ଚ କିଲୋମିଟର ଦୂରରେ ରହିଛି ସ୍କୁଲ। ହେଲେ ସ୍କୁଲ କଣ ଏମାନଙ୍କୁ ଜଣାନାହିଁ। ଯଦିଓ ଗାଁ ପାଖ କପ୍ତିପଦା ବ୍ଲକର ପଦାଘାଟରେ ଏକ ଅଙ୍ଗନବାଡି କେନ୍ଦ୍ର ରହିଛି। ତାହା ଏମାନଙ୍କ କାମରେ ଲାଗୁନି। ଏପଟେ ସେମାନଙ୍କ ସମସ୍ୟା ଥିବା ନେଇ ସ୍ୱୀକାର କରିଛନ୍ତି ନୀଳଗିରି ଉପ-ଜିଲ୍ଲାପାଳ। ତେବେ ସେମାନଙ୍କୁ କେବେ ମୌଳିକ ସୁବିଧା ମିଳିବ ତାହାକୁ ଅପେକ୍ଷା ରହିଛି।

ସେପଟେ,ରାଜ୍ୟରେ ଗତ ୨୪ ଘଂଟାରେ ୭୦୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ ସେଂଟରରୁ ୩୯୨୧ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୩୦୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭାବରେ ଷ୍ଟେଟ୍‌ ପୁଲର ସଂଖ୍ୟା ୨୦୭ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ଏହାସହ ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୯୯୪ରେ ପହଞ୍ଚିଛି।

You might also like