ତେଲକୋଇ(ଚିନ୍ମୟ କୁମାର ସାହୁ): ସମୟର କେମିତି ସଦୁପଯୋଗ କରିହୁଏ, ତାହା ତେଲକୋଇର ନବବିବାହିତା ମହିଳାଙ୍କ ପାଖରୁ ଶିଖିବାକୁ ପଡିବ । ସ୍ୱାମୀ ବାହାରେ ଚାକିରି କରୁଛନ୍ତି । ଗାଁରେ ଘରକାମ ପରେ ବୋର୍ ହେଉଥିଲେ ପତ୍ନୀ। ଆଉ ଏବେ ସ୍ୱାମୀଙ୍କ ପରାମର୍ଶରେ କରିଛନ୍ତି ସୂର୍ଯ୍ୟମୁଖୀ ଚାଷ। ଏହି ଚାଷ କରିବା ପରେ ସାରା ଅଞ୍ଚଳ ସେମାନଙ୍କୁ ପ୍ରଶଂସା କରୁଛି।

ତେଲକୋଇର ସେହି ସୁନ୍ଦର ସୂର୍ଯ୍ୟମୁଖୀ କ୍ଷେତ ଦେଖିଲେ ଆପଣଙ୍କର ବି ମନ ପୁରିଉଠିବ। ଏହି କ୍ଷେତରେ ସେଲଫି ନେଉଛନ୍ତି ପତିପତ୍ନୀ । ପତି ମନମୋହନ ସାହୁ ପୋଲିସ ବିଭାଗର ଜଣେ କର୍ମଚାରୀ ଓ ପତ୍ନୀ ମାମୁନି ଜଣେ ଗୃହିଣୀ। କିନ୍ତୁ ନିଜର ସମୟ ବାହାର କରି ଏହି କ୍ଷେତରେ ଏବେ ଦୁଇଜଣ ସେଲଫି ନେଉଛନ୍ତି । ସୂର୍ଯ୍ୟମୁଖୀର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ ବି କରୁଛନ୍ତି ।

ଏହି କ୍ଷେତର ସୌନ୍ଦର୍ଯ୍ୟ କେନ୍ଦୁଝର ତେଲକୋଇ ଅଞ୍ଚଳର ଶୋଭା ଏବେ ବଢାଇ ଦେଇଛି। କ୍ଷେତକୁ ଯିଏ ଦେଖିବ ତାହାର ସେଠାରେ ହିଁ ମନଲାଖି ହୋଇ ରହିଯିବ। ତେଲକୋଇ ଶିବନାରାୟଣପୁର ଗୋଡା ଗ୍ରାମର ଏହି ଦମ୍ପତି ଗାଁରେ ସୂର୍ଯ୍ୟମୁଖୀ ଚାଷ କରିଛନ୍ତି। ଦେଢ ବର୍ଷ ତଳେ ଦୁହିଁଙ୍କର ବିବାହ ହୋଇଛି । ମନମୋହନ ଜଣେ ମନ୍ତ୍ରୀଙ୍କ ପିଏସଓ ଭାବେ କାର୍ଯ୍ୟ କରୁଥିବାରୁ ଘରକୁ ଯିବାକୁ ସାଧାରଣତଃ ସମୟ ପାଆନ୍ତିନାହିଁ। ତେଣୁ ମାମୁନି ଘରେ ବସି ବସି ବୋର୍ ହେଉଥିଲେ।

ତେଣୁ ଘର କାମ ପରେ ଏହି ଚାଷ କାମ କରିବାକୁ ସ୍ୱାମୀ ପ୍ରେରଣା ଦେଇଥିଲେ। ମାମୁନି ବି ଏଥିରେ ରାଜି ହୋଇଥିଲେ। ଆଉ ଏବେ ସମାକୋଇ ନଦୀକୂଳରେ ଥିବା ନିଜ ଜମିରେ ସୂର୍ଯ୍ୟମୁଖୀ ଚାଷ କରିଛନ୍ତି । ମନମୋହନଙ୍କ ମାଆ ମଧ୍ୟ ଏଥିରେ ସହଯୋଗ କରୁଥିବା ନେଇ ସୂଚନା ମଧ୍ୟ ମିଳିଛି।

କୃଷି ବିଭାଗ ଅଧିକାରୀଙ୍କ ପରାମର୍ଶରେ ବୈଷୟିକ ଜ୍ଞାନର ଉପଯୋଗ ମଧ୍ୟ କରୁଥିବା ଉଭୟ କହିଛନ୍ତି ।ଆଉ ଯାହାର ଫଳ ହେଉଛି ସୂର୍ଯ୍ୟମୁଖୀର କ୍ଷେତ। ଏହିସ୍ଥାନକୁ ଦେଖିଲେ ସତେ ଯେମିତି ପ୍ରକୃତିରାଣୀ ଏଠାକୁ ଓହ୍ଲାଇ ଆସିଛନ୍ତି  ପରି ମନେ ହେଉଛି। ଏଇ କ୍ଷେତକୁ ଆସିଲେ ଦମ୍ପତିଙ୍କ ମନ କୁଣ୍ଢେମୋଟ ହୋଇଯାଉଥିବା ସେମାନେ ମଧ୍ୟ କହିଛନ୍ତି। କେବଳ ଏତିକି ନୁହେଁ ବରଂ ଖୁସିରେ ବିଭୋର ହୋଇଯାଉଛନ୍ତି  ଉଭୟ । ତେଲକୋଇ ବ୍ଲକରେ ଏ ବର୍ଷ ଭଲ ସୂର୍ଯ୍ୟମୁଖୀ ଚାଷ ହୋଇଛି । ସରକାର ବିହନ, ସାର ଓ ଔଷଧ ଯୋଗାଇ ଦେଇଛନ୍ତି । ଅନେକ ଚାଷୀ ଚାଷ କରିବାକୁ ଆଗେଇ ଆସିଛନ୍ତି । ହେଲେ ଜଣେ ନବବିବାହିତା ମହିଳା ଏହି ଚାଷ କରିବାକୁ ଆଗେଇ ଆସି ସଫଳ ହୋଇଛନ୍ତି । ତାଙ୍କର ଏଭଳି କାର୍ଯ୍ୟକୁ କୃଷି ଅଧିକାରୀ ପ୍ରଶଂସା କରିଛନ୍ତି ।

ଘରେ ବସି ବୋର୍ ହେବା ଅପେକ୍ଷା କିଛି କାମ କରିବାର ମାନସିକତା ମାମୁନିଙ୍କୁ ଜଣେ ସଫଳ ସୂର୍ଯ୍ୟମୁଖୀ ଚାଷୀର ପରିଚୟ ଦେଇଛି । ଏହା ଏକ ଲାଭଜନକ ଚାଷ । ତାଙ୍କୁ ଦେଖି ଅନ୍ୟମାନେ ବି ଏହି ଚାଷ କରିବାକୁ ଅନୁପ୍ରାଣିତ ହେଉଥିବା ସୂଚନା ମିଳିଛି।

Other Stories