ଅନାବିଳ ସ୍ନେହର ଆଗରେ ହାର ମାନିଥିଲା ବାରହା, ହେଲେ ଏବେ ଜଙ୍ଗଲକୁ ପଳାଇଲା…..

ମଣିଷ ବାରହାର ନିଆରା ସମ୍ପର୍କ

ତେଲକୋଇ: ଜଙ୍ଗଲୀ ଯନ୍ତୁକୁ ଘରେ ପାଳିବା ଆଇନତଃ ନିଷିଦ୍ଧ। ତେବେ ଆଇନ କିନ୍ତୁ ଅଟକାଇ ପାରିନି କେନ୍ଦୁଝର ତେଲକୋଇ ପୁରୁଷୋତ୍ତମପୁରର କୁନ୍ତଳାଙ୍କ ଅନାବିଳ ମାତୃତ୍ୱକୁ। ନିଜେ ମଣିଷ ହୋଇ ବି ହିଂସ୍ର ବାରହାକୁ ନିଜ ସନ୍ତାନ ଭଳି କରିଆସୁଥିଲେ ଲାଳନପାଳନ। ବାରହା ବି ବନିଯାଇଥିଲା ପରିବାରର ସଦସ୍ୟ। ହେଲେ ଆଜିକୁ ସପ୍ତାହେ ହେଲା ବାରହାକୁ ଛଡ଼ାଇ ନେଇ ଜଙ୍ଗଲରେ ଛାଡ଼ିଦେଇଛି ବନବିଭାଗ। ଏହାପରେ ପରିବାରରେ ଏବେ ଶୋକର ଛାୟା ଦେଖିବାକୁ ମିଳୁଛି…

ଅଗନା ଅଗନି ଜଙ୍ଗଲ ଭିତରେ ଖୋଜାପଡ଼ିଛି ଢୁଡ଼କୁ। କାରଣ ତାର ଖାଇବା ସମୟ ହୋଇଗଲାଣି,ହୁଏତ ସେ ଖାଇନଥିବ…ଭୋକ ଲାଗୁଥିବ… ସେଥିପାଇଁ ଟିଫିନରେ ଭାତ ଧରି ଜଙ୍ଗଲକୁ ଆସି କୁନ୍ତଳା ନାମକ ମହିଳା ଜଣକ ଡାକୁଛନ୍ତି ଢୁଡ଼କୁ। ହେଲେ ସେ କଣ ଆସୁଛି? ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ ଡାକି ଡାକି ନୟାନ୍ତ ହେବା ପରେ ଶେଷରେ ଭାତକୁ ଧରି ନିରାଶ ମନରେ ଫେରିଆସୁଛନ୍ତି କୁନ୍ତଳା। ପ୍ରତିଦିନ ଲୁହ ଗଡ଼ାଉଛନ୍ତି ଢୁଡକୁ ନପାଇ, ଗୁମ୍ ମାରି ବସୁଛନ୍ତି। କାରଣ ଯେଉଁ ଢୁଡ଼କୁ ନିଜର ସନ୍ତାନ ଭଳି ସ୍ନେହ କରୁଥିଲେ, ମମତାର ପଣତକାନିରେ ବାନ୍ଧି ରଖିଥିଲେ, ତାକୁ ବା ଭୁଲିବେ କେମିତି? ତାସହ ବିତିଯାଇଥିବା ପ୍ରତିଟି ମୁହୁର୍ତ୍ତ ଆଜି ମନେପଡୁଛି। ଢୁଡ଼ ଏକ ଜଙ୍ଗଲି ଯନ୍ତୁ ହୋଇଥିବାରୁ ତାକୁ ନେଇ ଜଙ୍ଗଲରେ ଛାଡ଼ିଦେଇଛନ୍ତି ବନ କର୍ମଚାରୀ।

ପ୍ରାୟ ବର୍ଷେ ତଳର କଥା। ଅକାଳରେ ନିଜ ସାନ ଝିଅକୁ ହରାଇଥିଲେ କେନ୍ଦୁଝର ପୁରୁଷୋତ୍ତମପୁର ଗାଁର କୁନ୍ତଳା। ଘର ପାଖ ଜଙ୍ଗଲରେ କରାଯାଇଥିଲା ଅନ୍ତିମ ସଂସ୍କାର। ସେହିଦିନଠୁ କୁନ୍ତଳା ପ୍ରାୟ ସମୟରେ ସଂସ୍କାର ସ୍ଥଳକୁ ଯାଉଥିଲେ। ଦିନେ ସେହି ଜଙ୍ଗଲରୁ ଶାବକ ଅବସ୍ଥାରେ ବାରହାକୁ ଉଦ୍ଧାର କରି ଘରକୁ ନେଇଆସିଥିଲେ। ଆଉ ସ୍ନେହରେ ନାଁ ଦେଲେ ଢୁଡ଼, ତାପରଠୁ ଢୁଡ଼ ହୋଇଗଲା ପରିବାରର ସଦସ୍ୟ। ଜଙ୍ଗଲୀ ଯନ୍ତୁ ହୋଇବି ମଣିଷର ଭାବ ଆଉ ଆବେଗ ସହ ଛନ୍ଦି ହୋଇଗଲା। କିନ୍ତୁ ଦୁର୍ଭାଗ୍ୟ, ସପ୍ତାହେ ହୋଇଗଲା ଢୁଡ଼ ଆଉ ଏହି ପରିବାର ମଧ୍ୟରେ ପାଚେରୀ ପକାଇ ଦେଇଛି ଆଇନ। ବନବିଭାଗ କର୍ମଚାରୀ ଆସି ଢୁଡକୁ ନେଇଯିବା ସହ ଜଙ୍ଗଲରେ ଛାଡ଼ି ଦେଇଛନ୍ତି। ତାପରଠୁ ଢୁଡକୁ ଝୁରୁଛନ୍ତି କୁନ୍ତଳା ଓ ତାଙ୍କ ପୁଅ ଝିଅ ।

କୁନ୍ତଳା ଜାଣ ନାହାନ୍ତି ସରକାରୀ ନୀତି ନିୟମ। ସେ କେବଳ ଅନାବିଳ ସ୍ନେହ ଓ ମମତା ଦେଇ ଜଙ୍ଗଲୀ ଜନ୍ତୁ ବାରହା ଛୁଆକୁ ଆଣି ପାଳିପୋଷି ଆଦର କରୁଥିଲେ । ଏଣେ ବନ ଅଧିକାରୀ କହିଛନ୍ତି, ଢୁଡ଼ ଉପରେ ନଜର ରଖାଯାଇଛି।

You might also like