ଏହା ଏମିତି ଏକ ହାଟ, ଯେଉଁଠି ସବୁ ଦୋକାନୀ ଛୋଟ ଛୁଆ

ଚର୍ଚ୍ଚାରେ ଭଦ୍ରକର ଗଣିତ ହାଟ

ଭଦ୍ରକ(ପାର୍ଥ ସାରଥୀ ନାୟକ) କିଏ ଦହିବରା ବିକୁଛି ତ କିଏ ବିକୁଛି ଗୁପଚୁପ୍‌ ଓ କିଏ ଲଙ୍କା ଚପ୍। ତେଜରାତି ଦୋକାନ ସାଙ୍ଗକୁ ପରିବା ଦୋକାନ ବି ରହିଛି। ହାଟର ଭ୍ରମ ସୃଷ୍ଟି କରୁଥିବା ଭଦ୍ରକର ଏହି ସ୍ଥାନଟି ହେଉଛି ପରସିଙ୍ଗା ଶିବ ମନ୍ଦିର ନିକଟର। ଏଠାରେ ବସୁଛି ଗଣିତ ହାଟ। ଗଣିତକୁ ଆଉ ଡରିବୁ ନାହିଁ, ଗଣିତ କରିବୁ ହାଟକୁ ଯାଇ, ଏହି ଆହ୍ୱାନ କ୍ରମେ କୁନିକୁନି ପିଲା ବସାଇଛନ୍ତି ଗଣିତ ହାଟ। ଯେଉଁଠି ପିଲାମାନେ ବସି ବିକ୍ରି କରୁଛନ୍ତି ବିଭିନ୍ନ ଭେରାଇଟିର ସାମଗ୍ରୀ।

ବହି ଖାତା କଲମ ସହ ଡ୍ରେସ୍ , ଲୁଗାପଟା ସବୁକଛି ମିଳୁଛି ଏଠି। ଛୋଟ ପିଲାମାନେ ନିଜ ସାଧ୍ୟ ମୁତାବକ ଖାତା କଲମରେ ହିସାବ କରି ଲୋକଙ୍କୁ ଜିନିଷ ମଧ୍ୟ ବିକୁଛନ୍ତି। ପାଖରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ଏହାର ତଦାରଖ କରୁଥିବା ଦେଖିବାକୁ ମିଳିଛି। ଗଣିତ ପ୍ରତି ଥିବା ଡର ଓ ଭୟ ଦୂର କରିବାକୁ ଏଭଳି ଅଭିନବ ଉପାୟରେ ପିଲାଙ୍କୁ ଶିଖାଯାଉଛି ହିସାବ କିତାବ। ଯାହାକୁ ନେଇ ଭଦ୍ରକରେ ଚାଲିଛି ଜୋରସୋରରେ ଚର୍ଚ୍ଚା।

ତେବେ ହାଟରେ ଦୋକାନ ଦେଇଥିବା ଛାତ୍ରୀ ଜଣକ କହିଛନ୍ତି ଯେ,  ଆମେ ଯେଉଁ ଗଣିତ ବୁଝିପାରୁନାହୁଁ କି କରିପାରୁନାହୁଁ ତାହାକୁ ଏହି ହାଟ ମାଧ୍ୟମରେ କରିପାରୁଛୁ। କୁରକୁରି ଠାରୁ ଆରମ୍ଭ କରି ଚକୋଲେଟ୍ ପର୍ଯ୍ୟନ୍ତ ଆମେ ସବୁ ବିକ୍ରି କରୁଛୁ। ଏଠାରେ ଆମେ ସମସ୍ତେ ବେଶ ସହଜରେ ଭଲ ଭାବରେ ଗଣିତ ଶିଖିପାରୁଛୁ ବୋଲି ଛାତ୍ରୀ କହିଛନ୍ତି।

ସେପଟେ ଆଉ ଜଣେ ଛାତ୍ରୀ କହିଛନ୍ତି, ଏହି ହାଟ ସାହାଯ୍ୟରେ ଆମେ ଭଲ ଭାବରେ ପାଠ ପଢିପାରୁଛୁ। ଶାଢୀ ବି ବିକ୍ରି କରୁଛି। ଯାହାର ଦାମ ୧୭୦ ଠୁ ଆରମ୍ଭ କରି ୩୦୦ ପର୍ଯ୍ୟନ୍ତ ମଧ୍ୟ ରହିଛି।

ସେପଟେ ସ୍ଥାନୀୟ ଲୋକମାନେ ମଧ୍ୟ ଏପରି ନିଆରା ପଦକ୍ଷେପକୁ ସ୍ୱାଗତ କରିଛନ୍ତି। କହିଛନ୍ତି, ସାଧାରଣ ଭାବରେ ପିଲାମାନଙ୍କର ଗଣିତ ପ୍ରତି ଦୁର୍ବଳତା ଥାଏ। ତେଣୁ ଏପରି ପଦକ୍ଷେପ ଦ୍ୱାରା ତାହା ଦୂର ହୋଇପାରିଛି। ଆଗାମୀ ଦିନରେ ପିଲାମାନେ ନିଶ୍ଚିତ ଭାବରେ ଭଲ ରେଜଲ୍ଟ କରିବେ ବୋଲି ଅଭିଭାବକ ମଧ୍ୟ ଆଶାବାଦୀ ଅଛନ୍ତି।

ଭଦ୍ରକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶୁକମୁନି ଫାଉଣ୍ଡେସନ ପକ୍ଷରୁ ଏଭଳି ଭିନ୍ନ ପ୍ରୟାସ କରାଯାଇଛି। ଆଖପାଖ ଅଞ୍ଚଳର ବିଭିନ୍ନ ସ୍କୁଲର ତୃତୀୟରୁ ଅଷ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏଥିରେ ଭାଗ ନେଇ ଗଣିତ ପ୍ରତି ଥିବା ଭୟକୁ ଦୂର କରିଛନ୍ତି। ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି।

You might also like