ଧୂପକାଠି କାରଖାନା କରି ଅନ୍ୟମାନଙ୍କ ପାଇଁ ରୋଜଗାରର ବାଟ ଫିଟାଇଛନ୍ତି ଶାନ୍ତିଲତା

ଚର୍ଚ୍ଚାରେ ଶାନ୍ତିଲତାଙ୍କ ଧୂପକାଠି କାରଖାନା

ଯାଜପୁର(ଗୁଲାମ ଗସ): ଇଛାଶକ୍ତି ବଳରେ ଜଣେ ମହିଳା ଅନ୍ୟମାନଙ୍କୁ ସାଙ୍ଗରେ ନେଇ ବଦଳାଇ ଦେଇଛନ୍ତି ଗାଁର ଅର୍ଥନୀତି । କାରଖାନା କରି ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କୁ ଦେଇପାରିଛନ୍ତି ରୋଜଗାର। ଏମିତି ଜଣେ ମହିଳା ହେଉଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପାଟପୁର ଗ୍ରାମର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ଶାନ୍ତିଲତା ଦାସ । ଦୀର୍ଘ ୮ ବର୍ଷ ହେବ ସେ ଧୂପକାଠି ପ୍ରସ୍ତୁତ କରିଆସୁଛନ୍ତି। ଘର ନିକଟରେ ଧୂପକାଠି କାରଖାନା କରି ୩୦ରୁ ଅଧିକ ଯୁବତୀ ଓ ମହିଳାଙ୍କୁ ସ୍ୱାବଲମ୍ବୀ କରିପାରିଛନ୍ତି।

ଏହାକୁ ନିକଟସ୍ଥ ବଜାରରେ ବିକ୍ରି କରି ନିଜେ ଓ ଅନ୍ୟମାନଙ୍କ ପରିବାର ପ୍ରତିପୋଷଣ କରିପାରିଛନ୍ତି । ନିଜେ ସ୍ୱାବଲମ୍ବୀ ହେବା ଲକ୍ଷ୍ୟ ନେଇ ସେ ଏହାକୁ ଆରମ୍ଭ କରିଥିଲେ। ଶାନ୍ତିଲତା ଏବେ ୩୦ରୁ ଅଧିକ ମହିଳାଙ୍କୁ ରୋଜଗାରକ୍ଷମ କରାଇ ପାରିଛନ୍ତି। ଏଠାରେ କାମ କରି ମହିଳାମାନେ ବେଶ ଭଲ ଦୁଇ ପଇସା ରୋଜଗାର ମଧ୍ୟ କରିପାରୁଛନ୍ତି। ସରକାରଙ୍କ ସହେଯାଗ ରହିଥିବାରୁ ପ୍ରସ୍ତୁତ ଧୂପକାଠିର ବିକ୍ରିବଟାର କୈାଣସି ଅସୁବିଧା ନାହିଁ ବୋଲି କହିଛନ୍ତି ଶାନ୍ତିଲତା । ଜଣେ ସଫଳ ମହିଳା ଉଦ୍ୟୋଗୀ ଭାବେ ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଇଛନ୍ତି ।

କାରଖାନା ସମ୍ପର୍କରେ ଶାନ୍ତି କୁହନ୍ତି, ୨୦୧୨ ମସିହାରେ ପାଟପୁର ଅଗରବତୀ ମହାସଂଘ ଗଠନ କରିଥିଲି। ଏଥିରେ ଆମେ ୩୦ ଜଣ ମହିଳା ଟ୍ରେନିଂ ମଧ୍ୟ ନେଇଥିଲୁ। ଏବେ ଭଲ ଭାବରେ କାମ କରୁଛୁ, ବନ୍ଧାଠୁ ଆରମ୍ଭ କରି ପ୍ୟାକେଟ୍‌ କରିବା ପର୍ଯ୍ୟନ୍ତ ସବୁ କାର୍ଯ୍ୟ କରିପାରୁଛୁ। ଏବେ ମେସିନ ସାହାଯ୍ୟରେ ସବୁ ହୋଇପାରୁଛି ବୋଲି ଶାନ୍ତି କହିଛନ୍ତି।

ପ୍ରଥମେ ଶାନ୍ତିଲତା ୪/୫ଜଣ ଯୁବତୀ ଓ ମହିଳାଙ୍କୁ ଏକାଠି କରି ନିଜସ୍ୱ ଉଦ୍ୟମରେ ଘର ନିକଟରେ ଧୂପକାଠି ତିଆରି କରିବା ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବ୍ୟାଙ୍କରୁ ଋଣ ଆଣି ବ୍ୟବସାୟକୁ ବଢାଇଥିଲେ । ଭଲ ଧୂପକାଠି ହୋଇଥିବାରୁ ଚାହିଦା ବଢିଥିଲା। ସେହି ଅନୁସାରେ ରୋଜଗାର ମଧ୍ୟ ବଢିଥିଲା। ଏଥିରେ ଆଖପାଖ ଗ୍ରାମର ମହିଳା ଓ ଝିଅମାନେ ନିୟୋଜିତ ହୋଇଥିଲେ। ପରେ ଓରମାସ ପକ୍ଷରୁ ତାଙ୍କୁ ୨୦ଟି ଧୂପକାଠି ତିଆରି ମେସିନ ପ୍ରଦାନ କରାଯାଇଛି। ଏହି କାରଖାନାରୁ ମାସକୁ ପାଖାପାଖି ୩୦ କ୍ୱିଣ୍ଟାଲ ଧୂପକାଠି ପ୍ରସ୍ତୁତ ହେଉଥିବା ନେଇ ଜଣାପଡିଛି।

ତେବେ ଏହି ଧୂପକାଠି କାରଖାନା ଧର୍ମଶାଳା ଅଞ୍ଚଳରେ ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ କରିବାରେ ସହାୟକ ହୋଇଛି। ଏହି କାରଖାନାକୁ ଆହୁରି ବଡ କରି ଅଧିକ ମହିଳାଙ୍କୁ ସ୍ୱାବଲମ୍ୱୀ କରିବାକୁ ଲକ୍ଷ୍ୟ ରଖିଛନ୍ତି ଶାନ୍ତିଲତା।

You might also like