ଅନୁଗୁଳ : ( ରିପୋର୍ଟ- ବିରଜା ପ୍ରସାଦ ଦାଶ ) ସେବାର ଅନ୍ୟନାମ କିନ୍ନର ଚିନ୍ମୟୀ ଦାସ । ମାନବ ସେବା ହିଁ ମାଧବ ସେବା ଧର୍ମକୁ ଜୀବନର ବ୍ରତ କରିଛନ୍ତି । ଭୋକିଲାକୁ ଦାନା ଆଉ ଦରିଦ୍ରକୁ କନା ଖଣ୍ଡେ ଦେଇ ଆତ୍ମତୃପ୍ତିର ଜୀବନ ଜିଉଁଛନ୍ତି । ଜୀବନର ଅଙ୍କାବଙ୍କା ରାସ୍ତାରେ ନିର୍ଯାତନା ଓ ପ୍ରତାରଣା ତାଙ୍କୁ ସଂଗ୍ରାମରେ ହରାଇପାରିନି । ସେ କାହା ପାଇଁ ମମତାମୟୀ ମା' ତ ଆଉ କାହା ପାଇଁ ସ୍ନେହରେ ବାନ୍ଧି ରଖି ପାରୁଥିବା ଭଉଣୀର ରୂପ । ଦୁଃଖୀ ଦରିଦ୍ରଙ୍କ ସେବା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି । କୁଷ୍ଠରୋଗୀ ଓ ଅନାଥଙ୍କ ସେବା କରି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲିଟିଛନ୍ତି ।
କିନ୍ନର ଚିନ୍ମୟୀ ଦାସ, ପ୍ରକୃତ ନାମ ଗଗନ ବିହାରୀ ଦାସ । ଜାନୁୟାରୀ ୧ତାରିଖ ୧୯୮୫ ମସିହାରେ ଜଗତସିଂହପୁରର ତିର୍ତ୍ତୋଲ ଥାନା ଅନ୍ତର୍ଗତ ପୋଷଲ ଗାଁରେ ତାଙ୍କର ଜନ୍ମ । କଳା ତଥା ମଡେଲିଙ୍ଗରେ ରୁଚି ରଖିଥିବା କିନ୍ନର ଚିନ୍ମୟୀ ସମାଜର ଟାହି ଟାପରାକୁ ଭ୍ରୁକ୍ଷେପ ନକରି ନିଜକୁ ସମାଜର କଲ୍ୟାଣ ପାଇଁ ଉତ୍ସର୍ଗ କରିଦଇଛନ୍ତି । କିଏ ମାଇଚିଆ, ଛକା ପୁଣି କିଏ ହିଞ୍ଜଡ଼ା ଆଉ କିନ୍ନର କହି ଟାହି ଟାପରା ସହୁଥିବା ଏହି ମଣିଷଟି ଦରଦୀ, ସ୍ନେହଭରା ହୃଦୟ ନେଇ ଭିନ୍ନ ଏକ ଜୀବନ ଜିଉଁଛନ୍ତି ।
ଦୁସ୍ଥ, ଅବହେଳିତ, ଦଳିତ, ନିଷ୍ପେସିତ ଲୋକଙ୍କ ସେବା ହେଉ ଅବା ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀର ସେବା ଶୁଶ୍ରୁଷା କରିବା ହେଉ ସବୁଥିରେ ଆଗଭର ଚିନ୍ମୟୀ । ପଶୁପକ୍ଷୀଙ୍କ ସେବା ସହ କୁଷ୍ଠ ଓ କର୍କଟ ରୋଗୀଙ୍କ ପାଖରେ ପହଞ୍ଚି ସେମାନଙ୍କ ସ୍ୱାସ୍ଥ୍ୟ କଥା ବୁଝି ତାଙ୍କ ସେବା କରିବା ସହ କିଭଳି ଚିକିତ୍ସା ସେବା ଯୋଗାଇ ଦିଆଯିବ ସେ ବ୍ୟବସ୍ଥା କରିବା କଥା ହେଉ ଅଥବା ନିଶା ନିବାରଣ ସବୁଠି ଥାନ୍ତି ଚିନ୍ମୟୀ । ନିସ୍ୱାର୍ଥପର ଭାବେ ସେବା କରିବା ତାଙ୍କ ଜୀବନର ମୂଳମନ୍ତ୍ର । ଜୀବନ ଥିବା ପର୍ଯ୍ୟନ୍ତ ନିଃସ୍ୱାର୍ଥପର ସେବାରେ ନିଜକୁ ନିୟୋଜିତ ରଖିବେ ବୋଲି କହନ୍ତି ସେ ।
ଚିନ୍ମୟୀଙ୍କ ପିଲାଦିନ ଓ ଯୁବବସ୍ଥା ଥିଲା ଅତ୍ୟନ୍ତ ବେଦନଦାୟକ । ମାତ୍ର ୫ ବର୍ଷ ବୟସରୁ ଝିଅଙ୍କ ଭଳି ବେଶ ପୋଷାକ ପିନ୍ଧିବାକୁ ଭଲପାଉଥିଲେ ସେ । ମାଟ୍ରକି ପଢ଼ୁଥିବା ସମୟରେ ପ୍ରଧାନଶିକ୍ଷକ ତାଙ୍କଠାରେ କିନ୍ନର ସ୍ଵଭାଵ ଦେଖି ଯୌନ ନିର୍ଯ୍ୟାତନା ଦେବା ସହ ଘଟଣା ବିଷୟରେ କାହାରିକୁ ନ କହିବାକୁ ତାଗିଦ କରିଥିଲେ । ଦାରିଦ୍ର୍ୟର ପୀଡ଼ା ଏତେ ଥିଲା ଯେ ଦଶମ ଶ୍ରେଣୀରେ ଛୋଟଛୋଟ ପିଲାଙ୍କୁ ଟ୍ୟୁସନ କରିବା ଆରମ୍ଭ କରି ପେଟ ପୋଷୁଥିଲେ ।
୧୯୯୯ ମହାବାତ୍ୟାରେ ଘରଦ୍ୱାର ଭାଙ୍ଗି ଛାରଖାର ହୋଇଗଲା ପରେ ଚିନ୍ମୟୀ ଏକ ବିଜ୍ଞାପନ ଦେଖି ଭୁବନେଶ୍ଵର ପଳାଇ ଆସିଥିଲେ । ଏକ ନୂଆ ଜୀବନର ସ୍ୱପ୍ନ ନେଇ ମାର୍କେଟିଙ୍ଗ ଲାଇନରେ ଯୋଗଦେଇଥିଲେ । ହେଲେ ଏତିକିରେ ତାଙ୍କ ସଂଘର୍ଷ ଶେଷ ହୋଇନଥିଲା । କମ୍ପାନୀର MD ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ । ଏକ ପ୍ରକାର ବନ୍ଧକ କରି ରଖିଥିଲା କମ୍ପାନୀର MD । ଅନେକ ଚେଷ୍ଟା ସେତ୍ୱେ ଖସି ଆସିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ ଚିନ୍ମୟୀ ।
ଅନେକ ନିର୍ଯ୍ୟାତନା ସହିବା ପରେ ଶେଷରେ ସୁଯୋଗ ଦେଖି ଅଜଣା ସହର ଅନୁଗୋଳରେ ପହଞ୍ଚିଥିଲେ ଚିନ୍ମୟୀ । ପେଟକୁ ମୁଠେ ଦାନା ଯୋଗାଇବାକୁ ଭାରି କଷ୍ଟ ହେଉଥିଲା ତାଙ୍କୁ । କେବେ ଟ୍ରାକ୍ଟର ହେଲ୍ପର ତ କେବେ ବାହାଘର ବରଯାତ୍ରୀରେ ନାଚି କିଛି ଟଙ୍କା ସଂଚୟ କଲେ । ଶେଷରେ ସଞ୍ଚୟ ଟଙ୍କାରେ ସ୍ୱାବଲମ୍ବୀ ହେବା ଲକ୍ଷ୍ୟ ନେଇ ଅନୁଗୋଳ ଜିଲ୍ଲା ଜରପଡ଼ା ଠାରେ ଚିନ୍ମୟୀ ଏକ ଲେଡ଼ିଜ କର୍ଣ୍ଣର ଖୋଲିଲେ । ନିଜ ପାଇଁ ନୁହେଁ ଦେକାନରୁ ଯାହା ଆୟ ହୁଏ ସମାଜ ସେବାରେ ଖର୍ଚ୍ଚ କରନ୍ତି । ସମାଜସେବା ତାଙ୍କୁ ଦେଇଛି ଆଜି ନୂଆ ଏକ ପରିଚୟ ।
ସମାଜସେବା ପାଇଁ ଅନେକ ସଂଗଠନ ତାଙ୍କୁ ପୁରସ୍କୃତ କରିଥିବାବେଳେ କଳା ଓ ମଡେଲିଙ୍ଗ କରି ମଧ୍ୟ ସେ ଅନେକଙ୍କ ମନ ମୋହିଛନ୍ତି । ଜୀବନର ଶେଷ ରକ୍ତବିନ୍ଦୁ ଯାଏଁ ସମାଜସେବା କରିବାପାଇଁ ଶପଥ ନେଇଥିବା ଚିନ୍ମୟୀ ମୃତ୍ୟୁ ପରେ ନିଜ ଶରୀର ଦାନ କରିବା ପାଇଁ ନିଷ୍ପତ୍ତି ନେଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଅନ୍ୟର ଦୁଃଖ ଦେଖି ସହି ପାରୁନଥିବା ଉଦରବାଦୀ ଆତ୍ମା ଚିନ୍ମୟୀ ରୂପରେ ନୂଆ ପରିଚୟ ପାଇ ସମାଜସେବାରେ ବ୍ରତୀ ହୋଇଥିବାବେଳେ ଅନେକଙ୍କ ପାଇଁ ପାଲଟିଛନ୍ତି ଆଦର୍ଶ ।