ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ଫୋନି ପ୍ରଭାବିତ ପୁରୀରେ ସବୁଜିମା ଫେରାଇ ଆଣିବା ପାଇଁ ବନ ବିଭାଗ ସ୍ୱତନ୍ତ୍ର ଯୋଜନା କରିବ। ସାମୁଦ୍ରିକ ଝଡ଼କୁ ପ୍ରତିହତ କରିବା ପାଇଁ ଯେଉଁ ଗଛ ଗୁଡ଼ିକ ସହାୟକ ହେବ, ସେହିଭଳି ବୃକ୍ଷରୋପଣ କରାଯିବ ବୋଲି ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ଅଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି।
ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ କାଜୁ ପ୍ରଭୃତି ବୃକ୍ଷରୋପଣ କରାଯିବ, ସେହିଭଳି ସମୁଦ୍ରରୁ ଅନତି ଦୂରରେ ଅନ୍ୟ ବୃକ୍ଷ ରୋପଣ ହେବ। ୧୯୭୦ ଦଶକରେ ପୁରୀ ତଥା ଉପକୂଳ ଓଡ଼ିଶାକୁ ସାମୁଦ୍ରିକ ପବନରୁ ରକ୍ଷା କରିବା ପାଇଁ ଝାଉଁ ଗଛ ଲଗାଯାଇ କୋଷ୍ଟାଲ୍ ସେଲ୍ଟର ୱାଲ୍ କରାଯାଇଥିଲା।
ସୁପର ସାଇକ୍ଲୋନ୍ ଓ ଫୋନିରେ ଏହା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଆଉ ଥରେ କିଭଳି ଏହି ଝାଉଁ ବଣ ସୃଷ୍ଟି କରାଯାଇ ପାରିବ, ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବ ବୋଲି ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ସୂଚନା ଦେଇଛନ୍ତି।