ଟ୍ରେନ ଧକ୍କାରେ ଆଉ ଜୀବନ ହାରିବେନି ହାତୀ, ରକ୍ଷା କରିବ ସ୍ୱତନ୍ତ୍ର ଡିଭାଇସ

ଦୁର୍ଘଟଣା ପୂର୍ବରୁ ରେଳ ବିଭାଗକୁ ଦେବ ସୂଚନା, ହାତୀ ଘଉଡାଇବାକୁ ରହିଛି ବଜର୍ ବ୍ୟବସ୍ଥା

ଟ୍ରେନ ଧକ୍କାରେ ଆଉ ଜୀବନ ହାରିବେନି ହାତୀ

ତିଆରି ହେଲା ସ୍ୱତନ୍ତ୍ର ଡିଭାଇସ

ଦୁର୍ଘଟଣା ପୂର୍ବରୁ ରେଳ ବିଭାଗକୁ ଦେବ ସୂଚନା

ହାତୀ ଘଉଡାଇବାକୁ ରହିଛି ବଜର୍ ବ୍ୟବସ୍ଥା

୩ ଛାତ୍ରଛାତ୍ରୀଙ୍କ ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଛି ଡିଭାଇସ୍

ଡିଭାଇସକୁ କେନ୍ଦ୍ର ସରକାରଙ୍କ ପେଟେଣ୍ଟ ମାନ୍ୟତା

ଖୋର୍ଦ୍ଧା(ବଳରାମ ଲେଙ୍କା): ଟ୍ରେନ ଧକ୍କାରୁ ହାତୀଙ୍କୁ ରକ୍ଷା କରିବ ସ୍ୱତନ୍ତ୍ର ଡିଭାଇସ । ରେଳ ଧାରଣାରେ ଦୁର୍ଘଟଣା ପୂର୍ବରୁ ହାତୀଙ୍କ ବାବଦରେ ସୂଚନା ଦେବା ସହ ହାତୀଙ୍କୁ ଘଉଡାଇବାକୁ ଡିଭାଇସରେ ରହିଛି ବଜରର ବ୍ୟବସ୍ଥା । ଖୋର୍ଦ୍ଧା ସେଞ୍ଚୁରିଆନ୍ ୟୁନିଭରସିଟିର ୩ ଜଣ ଛାତ୍ରଛାତ୍ରୀ ପ୍ରସ୍ତୁତ କରିଥିବା ଡିଭାଇସକୁ କେନ୍ଦ୍ର ସରକାରଙ୍କ ପେଟେଣ୍ଟ ମାନ୍ୟତା ମଧ୍ୟ ମିଳିସାରିଛି ।

 

ଡିସେମ୍ବର ୨୦୧୨, ଗଞ୍ଜାମର ସୁବଳୟା
କରମଣ୍ଡଳ ଏକ୍ସପ୍ରେସ ଧକ୍କାରେ ୬ ହାତୀ ମୃତ

ଏପ୍ରିଲ ୨୦୧୮, ଝାରସୁଗୁଡା
୪ ଟି ହାତୀଙ୍କ ଉପରେ ଚଢିଗଲା ଟ୍ରେନ୍

ଫେବ୍ରୁଆରୀ ୨୦୨୧, ରାଉରକେଲା
ମାଲବାହୀ ଟ୍ରେନ୍ ଧକ୍କାରେ ୨ ହାତୀ ମୃତ

ରେଳ ଧାରଣାରେ ଛଟପଟ ହୋଇ ଶହ ଶହ ହାତୀଙ୍କ ପ୍ରାଣ ଗଲାଣି । କେତେବେଳେ ମାଲବାହୀ ଟ୍ରେନ୍ ତ ଆଉ କେତେବେଳେ ଏକ୍ସପ୍ରେସ ଧକ୍କାରେ ଗୋଟିଏ ପରେ ଗୋଟିଏ ହାତୀଙ୍କ ଜୀବନ ଚାଲିଯାଉଛି । ଏଭଳି ସ୍ଥିତିରେ ଟ୍ରେନ ଧକ୍କାରୁ ହାତୀଙ୍କୁ ରକ୍ଷା କରିବାକୁ ଆଗେଇ ଆସିଛନ୍ତି ୩ ଜଣ ଛାତ୍ରଛାତ୍ରୀ । ଖୋର୍ଦ୍ଧା ସେଞ୍ଚୁରିଆନ୍ ୟୁନିଭରସିଟି କମ୍ପ୍ୟୁଟର ସାଇନ୍ସ ବିଭାଗର ତିନି ଜଣ ଛାତ୍ରଛାତ୍ରୀ ମାନେ ଏଭଳି ଏକ ଡିଭାଇସ ତିଆରି କରିଛନ୍ତି , ଯାହା ରେଳଧାରଣାରେ ହାତୀ ମୃତ୍ୟୁ ରୋକିବାରେ ସହାୟକ ହୋଇପାରିବ ।

ତେବେ ଡିଭାଇସ ତିଆରି କରିବାକୁ ଲାଗିଥିଲା ୬ ମାସ ସମୟ । ହାତୀଙ୍କ ଆଚରଣ ଏବଂ ମନସ୍ତତ୍ତ୍ୱ ସମ୍ପର୍କରେ ଜାଣିବାକୁ ବାରମ୍ବାର ନନ୍ଦନକାନନ, ବନ ବିଭାଗ ଏବଂ ରେଳ ବିଭାଗ ଯାଇ ଅନୁଧ୍ୟାନ କରିବା ସହ ଫିଡବ୍ୟାକ୍ ନେଇଥିଲେ ଏହି ଟିମ୍ । ଏହାପରେ ମିଳିଥିଲା ସଫଳତା ।

ହାତୀଙ୍କୁ ଦୁର୍ଘଟଣାରୁ ରୋକିବାକୁ ଡିଭାଇସରେ ରହିଛି ତିନିଟି ପର୍ଯ୍ୟାୟର ବ୍ୟବସ୍ଥା । ହାତୀଙ୍କୁ ଚିହ୍ନଟ କରିବାକୁ ଡିଭାଇସରେ ଲାଗିଛି କ୍ୟାମେରା । ହାତୀ ଚିହ୍ନଟ ହେବା କ୍ଷଣି ସଙ୍ଗେ ସଙ୍ଗେ ରେଳ ବିଭାଗକୁ ସତର୍କ ସୂଚନା ଯିବ ଫଳରେ ଦୁର୍ଘଟଣା ପୂର୍ବରୁ ଟ୍ରେନକୁ ଅଟକା ଯାଇପାରିବ  । ହାତୀଙ୍କୁ ମଧ୍ୟ ରେଳଧାରଣା ପୂର୍ବରୁ ଅଟକାଇବାକୁ ଡିଭାଇସରେ ରହିଛି ବଜର୍ ବ୍ୟବସ୍ଥା । ବଡ କଥା ହେଉଛି , ଡିଭାଇସକୁ କେନ୍ଦ୍ର ସରକାରଙ୍କ ପେଟେଣ୍ଟ ମଧ୍ୟ ମିଳିସାରିଛି । ଆସନ୍ତା ଦିନରେ ଏହା ରେଳପଥରେ ହାତୀ ମୃତ୍ୟୁ ରୋକିବାରେ ବେଶ୍ ସଫଳ ହେବ ବୋଲି ଆଶା କରାଯାଉଛି ।

You might also like