ସାବଧାନ ହୁଅ ଅମାନିଆ ଗାଡ଼ି ଚାଳକ, ଆଉ ଚଳିବ ନାହିଁ ମନମାନି

ଏପ୍ରିଲରୁ କଡ଼ା ହେବ ଗାଡ଼ି ଚେକିଂ

  • ଏପ୍ରିଲରୁ କଡ଼ା ହେବ ଗାଡ଼ି ଚେକିଂ
  • ବର୍ତ୍ତିବେନି ବେପରୁଆ ଚାଳକ
  • ନିୟମ ଭାଙ୍ଗିଲେ ଘରେ ପହଞ୍ଚିବ ମୋଟା ଅଙ୍କର ଚାଲାଣ
  • ଫୋକସରେ ରହିବ ଡବଲ ହେଲମେଟ୍

ଭୁବନେଶ୍ୱର: ଏପ୍ରିଲରୁ କଡ଼ାକଡ଼ି ହେବ ଚେକିଂ ଆଉ ସାବାଡ଼୍ ହେବେ ବେପରୁଆ ଗାଡ଼ି ଚାଳକ। ନିୟମ ଭାଙ୍ଗିଲେ ଆଉ ବର୍ତ୍ତି ପାରିବେନି, ଲାଗିବ ମୋଟା ଫାଇନ୍। ଘରେ ପହଞ୍ଚିବ ଚାଲାଣ। ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର କମାଇବାକୁ ସରକାର ନେଇଛନ୍ତି ଏମିତି ନିଷ୍ପତ୍ତି। ଏପଟେ କିନ୍ତୁ ଗାଡ଼ି ଚାଳକ ଏବେ ବି ବେଫିକର୍। ଆଇନର ଧଜିଆ ଉଡ଼ାଇ ରାସ୍ତାରେ ମନଇଛା ଚଳାଉଛନ୍ତି ଗାଡ଼ି।

ଅମାନିଆ ଚାଳକ ସାବଧାନ! ଏପ୍ରିଲରୁ ହେବ ସ୍ୱତନ୍ତ୍ର ଡ୍ରାଇଭ୍। ଫୋକସରେ ରହିବେ ଦୁଇଚକିଆ ଯାନ ଚାଳକ। ପୂରା ରାଜ୍ୟରେ ଚାଲିବାକୁ ଥିବା ଏହି ଡ୍ରାଇଭରେ ଟୁ ହ୍ୱିଲର ଡ୍ରାଇଭର ଓ ପିଲିଅନ୍ ରାଇଡର ଯଦି ହେଲମେଟ୍‌ ପିନ୍ଧି ନ ଥିବେ, ତାହାଲେ ଗଣିବେ ମୋଟା ଅଙ୍କର ତଣ୍ଡ। ଦୁର୍ଘଟଣାଜନିତ ମୃତ୍ୟୁ ହାର ରୋକିବାକୁ ଆସିଲା ସରକାରଙ୍କ ନିୟମ। ସବୁ ଜିଲ୍ଲାପାଳ ଓ ଏସ୍ପିଙ୍କ ସହ ଭିଡିଓ କନଫରେନ୍ସ ଯୋଗେ ମୁଖ୍ୟଶାସନ ସଚିବଙ୍କ ସମୀକ୍ଷା ପରେ ନିଆଯାଇଛି ଏହି ନିଷ୍ପତ୍ତି। ଏନେଇ ପରିବହନ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ, ଏସ୍ପି ଓ ବିଭିନ୍ନ ବିଭାଗକୁ ଅବଗତ କରାଯାଇଛି।

୨୦୧୯ ତୁଳନାରେ ୨୦୨୦ ସେପ୍ଟେମ୍ବରରୁ ଡିସେମ୍ବର ଭିତରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁହାର ୨୬.୫ ପ୍ରତିଶତ ବୃଦ୍ଧି ଘଟିଛି। କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ସୁନ୍ଦରଗଡ଼, କଟକ, ଖୋର୍ଦ୍ଧା ଓ ବାଲେଶ୍ୱର ଜିଲ୍ଲାରେ ସ୍ଥିତି ସଙ୍ଗୀନ ରହିଛି। ବିଶେଷ କରି ବେପରୁଆ ଭାବେ ଦୁଇ ଚକିଆ ଯାନ ଚାଳନାଜନିତ ମୃତ୍ୟୁ ହାର ଏସବୁ ଜିଲ୍ଲାରେ ହ୍ରାସ କରିବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ହେଲମେଟ୍ ଆଇନ୍ ଉଲ୍ଲଘଂନକାରୀ ନୁହନ୍ତି, ରଙ୍ଗ୍ ଡ୍ରାଇଭ୍, ସ୍ପିଡ୍ ଡ୍ରାଇଭ୍ ଓ ମଦ୍ୟପାନ କରି ଗାଡ଼ି ଚାଳନା ରୋକିବାକୁ ବି ସ୍ୱତନ୍ତ୍ର ଡ୍ରାଇଭ୍ କରିବାକୁ ପରିବହନ ବିଭାଗ ନିର୍ଦ୍ଦେଶ ଦେଇଛି।

ରାଉରକେଲାର ଅଧିକାଂଶଙ୍କ ମୁଣ୍ଡରେ ହେଲମେଟ୍‌ ନଥିବା ଆଜି ଦେଖାଯାଇଛି। ଚାଳକ ଓ ପିଲିଅନ୍ ରାଇଡର୍ର ବେଫିକର୍ ଭାବେ ଗାଡିରେ ଯ।ଉଛନ୍ତି। ଟ୍ରିପଲ ରାଇଡ୍ ମଧ୍ୟ ଖୁଲମଖୁଲା ଚାଲିଛି। ଖାଲି ରାଉରକେଲା ନୁହେଁ, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ସମେତ ପ୍ରାୟ ସବୁଠି ସମାନ ଚିତ୍ର ଦେଖିବାକୁ ମିଳୁଛି। ସଡ଼କ ସୁରକ୍ଷା ଉପରେ କାମ କରୁଥିବା ସାମାଜିକ କର୍ମୀଙ୍କ ମତରେ, ସରକାରଙ୍କ ଏ ନିଷ୍ପତ୍ତି ସ୍ୱାଗତଯୋଗ୍ୟ କିନ୍ତୁ  ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି ବୋଲି ସେମାନେ କହିଛନ୍ତି।

ପରିବହନ ବିଭାଗର ତଥ୍ୟ ଅନୁଯାୟୀ, ୨୦୧୯ରେ ରାଜ୍ୟରେ ସମୁଦାୟ ୧୧, ୦୬୪ଟି ଦୁର୍ଘଟଣା ଘଟିଥିଲା ସେଥିରୁ ୪, ୬୮୮ଟି ଦୁଇଚକିଆ ଯାନ ଦୁର୍ଘଟଣା ମାମଲା ଥିଲା। ସେହିପରି ସେହିବର୍ଷ ସମୁଦାୟ ୫,୩୩୩ ଜଣ ରୋଡ୍ ଆକ୍ସିଡେଣ୍ଟରେ ପ୍ରାଣ ହରାଇଥିବା ବେଳେ ସେଥିରୁ ୨,୩୯୮ ଜଣ ଦୁଇଚକିଆ ଯାନ ଆରୋହି ଥିଲେ, ଆଉ ସେଥିରୁ ୨୧୫୬ ଜଣ ହେଲମେଟ୍‌ ନପିନ୍ଧିଥିବାରୁ ଜୀବନ ହାରିଥିଲେ।

You might also like